ନୂଆଦିଲ୍ଲୀ, ୮।୧୧: ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ଖରାପ ଥିବାବେଳେ ଆଇଆଇଟି କାନପୁର ସହାୟତାରେ କୃତ୍ରିମ ବର୍ଷା କରାଯିବ । ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ ସହ ସଂପର୍କ କରାଯାଇଛି । ତାଙ୍କୁ କୃତ୍ରିମ ବର୍ଷା କରିବାକୁ କୁହାଯାଇଛି । ଏହି ମାମଲାରେ ଡିଜିସିଏ କହିଛି, ଏହି ପ୍ରକ୍ରିୟା ସମୟରେ କୌଣସି ବିମାନର ରୁଟ୍ ବଦଳାଯିବ ନାହିଁ । କିମ୍ବା ବିଳମ୍ବ ହେବନାହିଁ । କେବଳ ହାଲ୍କା ବର୍ଷା କରାଯିବ । ସେପଟେ ଦିଲ୍ଲୀର ପଡ଼ୋଶୀ ଉତ୍ତରପ୍ରଦେଶର ୯ଟି ସହର ବାୟୁ ପ୍ରଦୂଷଣ କବଳରେ କବଳିତ । ଗାଜିଆବାଦ, ଗ୍ରେଟର ନୋଏଡ଼ା ଏବଂ ନୋଏଡ଼ାର ବାୟୁ ଗୁଣବତ୍ତା ବିପଜ୍ଜନକ ସ୍ତରରେ ରହିଛି ।
ମଙ୍ଗଳବାର ସକାଳ ୯ଟା ସୁଦ୍ଧା ଗ୍ରେଟର ନୋଏଡ଼ାର ବାୟୁ ଗୁଣବତ୍ତା ପୂରା ଦେଶରେ ସବୁଠୁ ଖରାପ ଥିଲା । ସେଠାରେ ୪୪୧ ରେକର୍ଡ ହୋଇଥିଲା ଏକ୍ୟୁଆଇ । ପ୍ରଦୂଷଣକୁ ଦୃଷ୍ଟିରେ ରଖି ନୋଏଡ଼ା ଜିଲ୍ଲା ପ୍ରଶାସନ ୩ ଦିନ ଲାଗି ସ୍କୁଲ ବନ୍ଦ ଘୋଷଣା କରିଛି । ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ୮-୧୦ ତାରିଖ ଯାଏ ସ୍କୁଲ ବନ୍ଦ ରହିବ । କାନପୁରର ସିଏସ୍ଏ ବିଶ୍ୱବିଦ୍ୟାଳୟର ପାଣିପାଗ ବିଜ୍ଞାନୀ ଡ. ଏସ୍ଏନ୍ ସୁନୀଲ ପାଣ୍ଡେ କହିଛନ୍ତି, ଦୀପାବଳି ମଧ୍ୟରେ ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶରେ ବର୍ଷାର ଆଶା ରହିଛି । ତେଣୁ ସାମୟିକ ଭାବେ ପ୍ରଦୂଷଣ ଟିକେ କମିବ । ୧୨୨ ବର୍ଷ ପରେ ଏହା ହେଉଛି ସବୁଠୁ ଉତ୍ତପ୍ତ ନଭେମ୍ବର । ଦିନ ଏବଂ ରାତିର ତାପମାତ୍ରାରେ ବହୁତ ଫରକ ହେଉଛି । ନଭେମ୍ବରରେ ହାରାହାରି ତାପମାତ୍ରା ୨୬-୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା କଥା । କିନ୍ତୁ ୟୁପିର ଅଧିକାଂଶ ଜିଲ୍ଲାରେ ହାରାହାରି ତାପମାତ୍ରା ୩୦-୩୨ ଡିଗ୍ରୀ ରହିଛି । ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି ।