ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ସହ ଜଡିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି । ମଙ୍ଗଳବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସ୍ୱତନ୍ତ୍ର ଜଜ୍ କାବେରୀ ବାୱେଜା ସିଏମ୍ କେଜ୍ରିୱାଲଙ୍କ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଜ୍ କାଭେରୀ ବାୱାଜାଙ୍କ ସମ୍ମୁଖରେ ସିଏମ୍ କେଜ୍ରିୱାଲଙ୍କୁ ହାଜର କରାଯାଇଥିଲା । ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ ହାଜର କରାଯାଇଥିଲା । ଅଗଷ୍ଟ ୨୭ ରେ କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଉପରେ କୋର୍ଟ ଶୁଣାଣି କରିବେ ।
ଇଡି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଥିଲା କିନ୍ତୁ ସିବିଆଇ ଗିରଫ ହେତୁ ତାଙ୍କୁ ମୁକ୍ତ କରାଯାଇ ପାରି ନାହିଁ । ଗତ ସପ୍ତାହରେ ସୁପ୍ରିମକୋର୍ଟ ସିଏମ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିଦେଇଥିଲେ । ତେବେ ଗିରଫଦାରୀ ବିରୋଧରେ ଆବେଦନ ଉପରେ କୋର୍ଟ ସିବିଆଇକୁ ନୋଟିସ ଦେଇଥିଲେ । ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ ରେ ହେବ।
ଅନ୍ୟପକ୍ଷରେ, ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୫ରେ ସିଏମ କେଜ୍ରିୱାଲଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେଉଁଥିରେ ସେ ସିବିଆଇ ଦ୍ୱାରା ଗିରଫକୁ ଚ୍ୟାଲେଞ୍ଜ କରିଥିଲେ । ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ। ହାଇକୋର୍ଟ କହିଥିଲେ ଯେ "ଏହା କୁହାଯାଇପାରିବ ନାହିଁ ଯେ ଗିରଫ କୌଣସି ଉପଯୁକ୍ତ କାରଣ ବିନା ହୋଇଛି । ସୂଚନାଥାଉକି, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ୍ସାଇଜ୍ ପଲିସି ମାମଲାରେ ଜାମିନରେ ଥିବାବେଳେ ସଞ୍ଜୟ ସିଂଙ୍କୁ ମଧ୍ୟ ସମାନ ମାମଲାରେ ଜାମିନ ମିଳିସାରିଛି।