କୋଣାର୍କ,୦୭/୦୮: ବିଗତ କିଛି ଦିନ ଧରି ଲାଗି ରହିଛି ବର୍ଷା । ସେଥିପାଇଁ ଦେବୀ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ନଦୀକୁ ଶୌଚ ହେବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ।
ସୂଚନା ଅନୁଯାୟୀ, ଦେବୀ ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ଏହି କାରଣରୁ ତଟବର୍ତ୍ତୀ ଗାଁ ନିକଟରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ଏଡ଼ବାଂଶ ଗ୍ରାମ ନିକଟରେ ଦେବୀ ନଦୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଏଡ଼ବାଂଶ ଗାଁର ଆଶିଷ ସେନାପତି ମଙ୍ଗଳବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଜଳସ୍ତର ବୃଦ୍ଧି ଯୋଗୁଁ ଆଶିଷ ନଦୀରେ ଭାସି ଯାଇଥିଲେ । ଘଟଣା ସ୍ଥଳରୁ ଘର ଲୋକେ ଚପଲ ଓ ଗାମୁଛା ଦେଖି ଏ ବିଷୟରେ ଜାଣିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ଅସ୍ତରଙ୍ଗ ଅଗ୍ନିଶମ ବାହିନୀକୁ ଅବଗତ କରାଇଥିଲେ । ସକାଳୁ ଅସ୍ତରଙ୍ଗ ଅଗ୍ନିଶମ ବାହିନୀର ଏକ ୭ଜଣିଆ ଟିମ୍ ଏବଂ ଅଞ୍ଚଳବାସୀଙ୍କ ସହ ମିଶି ଦେବୀ ନଦୀରେ ସର୍ଚ ଅପେରେସନ ଆରମ୍ଭ କରିଛି । ଦେବୀ ନଦୀ ଜଳମଧ୍ୟରେ କରେଣ୍ଟ ଥିବାରୁ ଅଗ୍ନିଶମ ବାହିନୀକୁ ପାଣି ଭିତରକୁ ଯିବାକୁ କଷ୍ଟ ହେଉଛି । ତେବେ ଏପର୍ଯ୍ୟନ୍ତ ଯୁବକଙ୍କ ଉନ୍ଧାର କାର୍ଯ୍ୟ ଜାରି ରହିଛି । ତାଙ୍କର କୌଣସି ପତ୍ତା ମିଳିନାହିଁ ।