ନୂଆଦିଲ୍ଲୀ,୧୧/୧୧: ଦୀପାବଳି ପାଇଁ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ସୁସଜ୍ଜିତ ହେବାରେ ଲାଗିଛି । ଘର ଠାରୁ ଆରମ୍ଭ କରି ମନ୍ଦିର, ରାସ୍ତାଠାରୁ ଆରମ୍ଭ କରି ନଦୀ ଘାଟ ପର୍ଯ୍ୟନ୍ତ ସବୁ ସ୍ଥାନ ଚଳଚଞ୍ଚଳ ହୋଇଉଠିଛି । ଚଳିତବର୍ଷ ଦୀପାବଳିରେ ଅଯୋଧ୍ୟାରେ ୨୪ ଲକ୍ଷ ଦୀପ ଜଳିବ । ଗତବର୍ଷ ସରଯୁ ନଦୀର ୩୭ଟି ଘାଟରେ ୧୬ ଲକ୍ଷରୁ ଅଧିକ ଦୀପ ଜଳି ଗିନିଜ ରେକର୍ଡସ୍ରେ ସ୍ଥାନ ପାଇଥିଲା । ଚଳିତବର୍ଷ ସେହି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଦୀପୋତ୍ସବ ପାଇଁ ସରଯୁ ନଦୀର ରାମ କି ପୌଡି ଓ ଚୌଧୁରୀ ଚରଣ ସିଂହ ଘାଟ ସମତେ ସମସ୍ତ ୫୧ଟି ଘାଟରେ ଦୀପ ପହଞ୍ଚାଇ ଦିଆଯାଇଛି । ଶନିବାର ସନ୍ଧ୍ୟାରେ ଦୀପ ଲଗାଯିବ । ଦୀପ ଲଗାଇବା ପାଇଁ ୨୫ ହଜାର ସ୍ୱୟଂସେବକଙ୍କୁ ନିଯୁକ୍ତ କରାଯାଇଛି । ଭବ୍ୟ ଦୀପୋତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିପାଇଁ ଦେଶ ବିଦେଶର କଳାକାରମାନେ ଅଯୋଧ୍ୟାରେ ପହଞ୍ଚି ଗଲେଣି । ଶନିବାର ସନ୍ଧ୍ୟାରେ ଭଗବାନ ରାମ ବନବାସୀ ବେଶଭୂଷାରେ ପୁଷ୍ପକ ବିମାନ ରୂପୀ ହେଲିକପ୍ଟରରେ ଲକ୍ଷ୍ମଣ ଓ ସୀତାଙ୍କ ସହ ଆସି ରାମକଥା ପାର୍କରେ ପହଞ୍ଚିବେ । ସେଠାରେ ଗୁରୁ ବଶିଷ୍ଠଙ୍କ ରୂପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲ ସେମାନଙ୍କୁ ସ୍ୱାଗତ କରିବେ । ଏହି ଅବସରରେ ହେଲିକପ୍ଟରରେ ସମଗ୍ର ଅଯୋଧ୍ୟା ନଗରୀରେ ପୁଷ୍ପବର୍ଷା କରାଯିବ । ଦୀପୋତ୍ସବରେ ୨୪ଟି ରାଜ୍ୟର ୨୫୦୦ କଳାକାର ଯୋଗଦେଇ ନିଜ ରାଜ୍ୟର ସଂସ୍କୃତିର ଝଲକ୍ ଦେଖାଇବେ ।
ଗୁଜରାଟର ଗର୍ବା, କେରଳର କଥକଳୀ, ଛତିଶଗଡ଼ର ଗୋଣ୍ଡି ନୃତ୍ୟ, ଓଡ଼ିଶାର ଡାଲ୍ଖାଇ, କର୍ଣ୍ଣାଟକର ଢୋଲୁ କୁନିଥା ଓ ରାଜସ୍ଥାନର କାଲବେଲିୟା ନୃତ୍ୟ ଚଳିତବର୍ଷ ଆକର୍ଷଣର କେନ୍ଦ୍ର ହେବ । ଭାରତୀୟ କଳାକାରଙ୍କ ବ୍ୟତୀତ ରୁଷ, ଶ୍ରୀଲଙ୍କା, ନେପାଳ ଓ ସିଙ୍ଗାପୁରର କଳାକାର ଅଯୋଧ୍ୟା ନଗରୀରେ ରାମଲୀଳା ପରିବେଷଣ କରିବେ । ଉତ୍ତରପ୍ରଦେଶରେ ସରକାର ଗଠନ କରିବା ପରେ ଯୋଗୀ ଆଦିତ୍ୟନାଥ ୨୦୧୭ରେ ପ୍ରଥମଥର ପାଇଁ ଦୀପାବଳିରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେହି ବର୍ଷ ରାମ କି ପୌଡି ଘାଟରେ ୧ ଲକ୍ଷ ୮୭ ହଜାର ଦୀପ ଲଗାଯାଇଥିଲା । ଏହା ପରଠାରୁ ପ୍ରତିବର୍ଷ ଦୀପ ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ସଂସ୍କରଣରେ ୩ ଲକ୍ଷ, ତୃତୀୟ ସଂସ୍କରଣରେ ୪ ଲକ୍ଷ, ପଞ୍ଚମ ସଂସ୍କରଣରେ ୯ ଲକ୍ଷ ଏବଂ ଷଷ୍ଠ ସଂସ୍କରଣରେ ୧୫ ଲକ୍ଷରୁ ଅଧିକ ଦୀପ ଲଗାଯାଇଥିଲା । ଚଳିତବର୍ଷ ଦୀପୋତ୍ସବର ସପ୍ତମ ସଂସ୍କରଣ ।