ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ବାରବାଟୀ-କଟକକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା, ଏବେ ବିଜେଡିରୁ କିଏ ?

କଟକ,୧୩/୦୨: ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ବାରବାଟୀ-କଟକର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବିଜେଡି ପ୍ରଥମ ପସନ୍ଦ ଭାବେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା କଟକ ରାଜନୀତିକୁ ଅଚାନକ ସରଗରମ କରିଦେଇଛି । ବାରବାଟୀ-କଟକରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ଏଥର ବିଜେଡି ଟିକେଟ୍‌ ପାଇଁ ପ୍ରମୁଖ ଦାବିଦାର ଥିବା ଦେବାଶିଷଙ୍କ ପରିବର୍ତ୍ତିତ ଭୂମିକା ଏହି ବିଧାନସଭା କ୍ଷେତ୍ରରେ ବିଜେଡି ସମୀକରଣକୁ ଏକଦମ୍‌ ଓଲଟପାଲଟ କରିଦେଇଛି । 

 ଦେବାଶିଷ ହିଁ ବାରବାଟୀ-କଟକରେ ବିଜେଡିର ମୁଖ୍ୟ ଚେହେରା ଭାବେ ରାଜନୈତିକ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ । ଚା-ଖଟିଠାରୁ ଆରମ୍ଭ କରି ଘରେ ଘରେ ଶଙ୍ଖ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ତାଙ୍କୁ ଆଗରେ ରଖି ହିଁ କରାଯାଉଥିଲା । ମାତ୍ର ଅଚାନକ ଦେବାଶିଷ ରାଜ୍ୟସଭା ଯିବା ପରେ ବାରବାଟୀ-କଟକ ବିଧାନସଭା ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବାରୁ ଶ୍ରୀ ସାମନ୍ତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ନିଜ ପ୍ରତିକ୍ରିୟାରେ ସେ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବତନ ସାଂସଦ ଓ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟଙ୍କ ପୁଅ ଦେବାଶିଷ ୨୦୦୦ ମସିହାରେ ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କୁ ହରାଇ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ସହ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲେ । ତେବେ ପରବର୍ତ୍ତୀ ନିର୍ବାଚନ ଅର୍ଥାତ୍‌ ୨୦୦୪ରେ ତାଙ୍କୁ ବସନ୍ତ ବିଶ୍ୱାଳଙ୍କ ବଡ଼ପୁଅ ଚିରଞ୍ଜିବୀ ବିଶ୍ୱାଳଙ୍କଠାରୁ ହାରିବାକୁ ପଡିଥିଲା । ବିଧାନସଭା ନିର୍ବାଚନରେ ହାରିବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଭାବେ କିଛି ବର୍ଷ ସେ ଦାୟିତ୍ୱ ନିର୍ବାହ କରିଥିଲେ । 

ଅନ୍ୟପକ୍ଷରେ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ କ୍ରମାଗତ ତିନି ଥର ଜିତି ବିଜେପି ନେତା ସମୀର ଦେ’ କଟକ ସହରାଞ୍ଚଳକୁ ଏକରକମ ବିଜେପି ଗଡ଼ରେ ପରିଣତ କରିଦେଇଥିଲେ । ବିଜେଡି-ବିଜେପି ମେଣ୍ଟ ରାଜନୀତିରେ କଟକ ସହର ଆସନ ବିଜେପି ଭାଗରେ ରହିବା ଥିଲା ଏହାର ବଡ଼ କାରଣ । ମେଣ୍ଟ ଭଙ୍ଗ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ୨୦୦୯ରେ ବାରବାଟୀ-କଟକ ନାମରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀ ନାମିତ ହେଲା ଓ ସେହି ବର୍ଷ ବିଜେଡିର ନୂଆ ମୁହଁ ଭାବେ ଦେବାଶିଷ କଟକ ରାଜନୀତି ମଇଦାନକୁ ଓହ୍ଲାଇଲେ । ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେବାରୁ ବିଜେଡି ଏଠାରେ ଦେବାଶିଷଙ୍କୁ ପ୍ରାର୍ଥୀ କରିଥିଲା । ଦେବାଶିଷଙ୍କ ଆବିର୍ଭାବ ପରେ ବାରବାଟୀ-କଟକର ରାଜନୈତିକ ସମୀକରଣ ବଦଳିଗଲା । ୨୦୦୯ ଓ ୨୦୧୪ରେ ଲଗାତର ଭାବେ ଦୁଇ ଥର ବଡ଼ ବ୍ୟବଧାନରେ ନିର୍ବାଚିତ ହେଲେ ସେ । ୨୦୦୯ରେ କଂଗ୍ରେସ୍‌ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କୁ ୨୪ହଜାରରୁ ଅଧିକ ଭୋଟ୍‌ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍‌ଙ୍କୁ ୧୪ ହଜାର ଭୋଟ୍‌ ବ୍ୟବଧାନରେ ହରାଇଥିଲେ ଦେବାଶିଷ । କିନ୍ତୁ ୨୦୧୯ରେ ଦେବାଶିଷଙ୍କୁ ମହମ୍ମଦ ମୋକିମ୍‌ଙ୍କ ଠାରୁ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ହାରିବାକୁ ପଡ଼ିଥିଲା । 

ତେବେ ଗତ ସିଏମ୍‌ସି ନିର୍ବାଚନରେ ଦେବାଶିଷଙ୍କ ନେତୃତ୍ୱରେ ବିଜେଡି ସିଏମ୍‌ସିକୁ କବ୍‌ଜା କରିବା ସହ ମେୟର ଆସନରେ ବସିଲେ ସୁବାସ ସିଂହ । ତେଣୁ ଏଥର ଦେବାଶିଷଙ୍କୁ ପୁଣି ଥରେ ଦଳ ପ୍ରାର୍ଥୀ କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା । ଯଦିଓ ସୁବାସ ସିଂହ ମେୟର ହେବା ପରେ ବିଜେଡିର ମନୋମାଳିନ୍ୟ ସୃଷ୍ଟି ହୋଇଥିଲା ତଥାପି ବିଜେଡିର ମୂଳ ସଂଗଠନ ସହ ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚା ସଂଗଠନ ଦେବାଶିଷଙ୍କ ସହ ରହିଥିଲା । 

ଦେବାଶିଷଙ୍କ ଦବ୍‌ଦବା ପାଇଁ ବିଜେଡ଼ିରୁ ଅନ୍ୟ କୌଣସି ଆଶାୟୀ ପ୍ରାର୍ଥୀ ବି ବାରବାଟୀ-କଟକରେ ସମାନ୍ତରାଳ ସଙ୍ଗଠନ ତିଆରି କରିପାରି ନାହାନ୍ତି । ତେଣୁ ଏବେ ଦେବାଶିଷ ରାଜ୍ୟସଭାକୁ ଯିବା ପରେ ଅନେକ ଆଶାୟୀ ମୁଣ୍ଡ ଟେକିବାର ସମ୍ଭାବନା ସୃଷ୍ଟି ହୋଇଛି । ସ୍ୱାଭାବିକ ଭାବେ ବାରବାଟୀ-କଟକରୁ ବିଜେଡିର ପ୍ରାର୍ଥୀ କିଏ ହେବେ ତା’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବାରବାଟୀ-କଟକ ବିଜେଡି ସଂଗଠନ ସହ ସଂପୃକ୍ତ କୌଣସି ଅଭିଜ୍ଞ ନେତାଙ୍କୁ ଦଳ ଏଥର ପ୍ରାର୍ଥୀ କରିବ ନା କୌଣସି ବଡ଼ ଏବଂ ଚର୍ଚ୍ଚିତ ଚେହେରାଙ୍କୁ ନୂଆ କରି ମଇଦାନ୍‌ରେ ଓହ୍ଳାଇବ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଦଳ ଭିତରେ ଦ୍ୱିତୀୟ ଧାଡ଼ିରେ ଥିବା ଅନେକ ନେତା ଏଥର ସାମ୍ନାକୁ ଆସିବାର ସମ୍ଭାବନା ବି ରହିଛି । ତେବେ ଦେବାଶିଷଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ବାରବାଟୀ-କଟକ ପାଇଁ ବିଜେଡି ନିର୍ଦ୍ଦିଷ୍ଟ ଭାବେ କିଛି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିସାରିଥିବା କୁହାଯାଉଛି । ହୁଏତ ଠିକ୍‌ ସମୟରେ ଦଳ ସେ ‘କାର୍ଡ’ ଖୋଲିବ । ତେବେ ବିଜେଡିର ତଥାକଥିତ ସେହି ମୁହଁ କିଏ ହେବେ, ସେନେଇ ନାନା ଚର୍ଚ୍ଚା, ଆଲୋଚନା ଏବେ ସହରସାରା ଶୁଣିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.