ଭୁବନେଶ୍ୱର ୨୦/୦୯: ଆଜିକାଲିର ପ୍ରାୟ ଲୋକଙ୍କ ଜୀବନଶୈଳୀର ଅଭିନ୍ନ ଅଙ୍ଗ ଗ୍ରୀନ୍ ଟି’ । ବିଶେଷକରି ଓଜନ କମାଇବା ପାଇଁ ଲୋକମାନେ ଏହାକୁ ନିୟମିତ ଜୀବନରେ ସାମିଲ୍ କରୁଛନ୍ତି । ଅବଶ୍ୟ ଏହାକୁ ଠିକ୍ ଭାବେ ଠିକ୍ ସମୟରେ ପିଇବା ଦ୍ୱାରା ହିଁ ଫାଇଦା ମିଳିଥାଏ । କିନ୍ତୁ କିଛି ଲୋକ ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଉଛନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ।
ଗ୍ରୀନ୍ ଟି’ ପିଇବା ଦ୍ୱାରା ଓଜନ କମିବାଠାରୁ ଆରମ୍ଭ କରି ରକ୍ତରେ ଶର୍କରାସ୍ତର ସ୍ଥିର ରହିବା ଯାଏ ଅନେକ ଫାଇଦା ମିଳିଥାଏ । ଫାଇଦାକୁ ଦୃଷ୍ଟିରେ ରଖି ଲୋକମାନେ ପାଶ୍ୱର୍ ପ୍ରତିକ୍ରିୟାକୁ ଅଣଦେଖା କରିଥାନ୍ତି । ଭୁଲ୍ ସମୟରେ ଗ୍ରୀନ୍ ଟି’ ପିଇବା ଦ୍ୱାରା ଅନେକ ପାଶ୍ୱର୍ ପ୍ରତିକ୍ରିୟାକୁ ସାମ୍ନା କରିବାକୁ ପଡିପାରେ । ଯେପରିକି...
ରକ୍ତଚାପ ଓ ହୃଦ୍ ସ୍ପନ୍ଦନ ବଢାଏ :
କେତେକ ଗବେଷଣାରୁ ଜଣାପଡିଛି ଯେ ହୃଦ୍ଘାତରେ ପୀଡିତ ବ୍ୟକ୍ତି ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଅନୁଚିତ୍ । ଏଥିରେ ଥିବା କ୍ୟାଫିନ୍ ଏଡ୍ରେନଲ୍ ଗ୍ଲାଣ୍ଡକୁ ଉତ୍ତେଜିତ କରିଥାଏ, ଯାହା କାର୍ଟିସୋଲ୍ ଓ ଏଣ୍ଡ୍ରୋନାଲାଇନ୍ ପରି ଷ୍ଟ୍ରେସ୍ ହର୍ମୋନ୍ କ୍ଷରଣ କରିଥାଏ । ଫଳରେ ରକ୍ତଚାପ ଓ ହୃଦ୍ସ୍ପନ୍ଦନ ହାର ବଢିଯାଇଥାଏ, ଯାହା ହୃଦ୍ରୋଗୀଙ୍କ ପାଇଁ ଖୁବ୍ କ୍ଷତିକାରକ ।
ମୁଣ୍ଡ ବୁଲାଇପାରେ :
ଯଦି ଆପଣ ନିୟମିତ ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଉଥାନ୍ତି, ତେବେ ଥକ୍କାପଣ ଓ ମୁଣ୍ଡ ବୁଲାଇବା ପରି ସମସ୍ୟା ଉପୁଜିପାରେ । ଏହି ଚା’ରେ ଥିବା କ୍ୟାଫିନ୍ ମସ୍ତିଷ୍କ ଓ ସେଣ୍ଟ୍ରାଲ୍ ନର୍ଭସ୍ ବ୍ୟବସ୍ଥାରେ ରକ୍ତ ସଞ୍ଚାଳନକୁ କମ୍ କରିଥାଏ । ଫଳରେ ମୁଣ୍ଡ ବୁଲାଇବା ଓ ଥକ୍କାପଣ ପରି ସମସ୍ୟା ଉପୁଜିଥାଏ ।
ଆଇରନ୍ର ଅଭାବ ବା ଆନେମିଆ :
ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଦ୍ୱାରା ଶରୀରରେ ଆଇରନ୍ର ଅଭାବ ଦେଖା ଦେଇପାରେ । ଏହି ଚା’ ଶରୀରର ଆଇରନ୍ ଅବଶୋଷଣ କ୍ଷମତାକୁ କମ୍ କରି ଦେଇଥାଏ । ସେଥିପାଇଁ ଆଇରନ୍ ଅଭାବ ଥିବା ବ୍ୟକ୍ତିଙ୍କୁ ଗ୍ରୀନ୍ ଟି’ ନ ପିଇବାକୁ ପରାମର୍ଶ ଦିଆଯାଇଥାଏ ।
କବ୍ଚ ଓ ପେଟ ଯନ୍ତ୍ରଣା :
ଗ୍ରୀନ୍ ଟି’ରେ ଥିବା ଟେନିନ୍ ପେଟରେ ଏସିଡ୍ର ମାତ୍ରାକୁ ବଢାଇଥାଏ । ଫଳରେ ପେଟରେ ଯନ୍ତ୍ରଣା ହୋଇଥାଏ । ଏହି ସମସ୍ୟା କ୍ରମଶଃ ବଢିବା ଦ୍ୱାରା କବ୍ଚ ସୃଷ୍ଟି ହୋଇଥାଏ । ଅଲସର୍ ଥିବା ବ୍ୟକ୍ତିକୁ ମଧ୍ୟ ଖାଲି ପେଟରେ ଗ୍ରୀନ୍ ଟି’ ନ ପିଇବାକୁ ପରାମର୍ଶ ଦିଆଯାଇଥାଏ ।