ବେତନଟୀ, ୨୯/୧୧ : ବେତନଟୀ ବ୍ଲକ ଅଧିନ ବୈଦପୁର ହାଟପଡିଆ ନିକଟରେ ବାଘୁଆ ମହୁମାଛି ଆକ୍ରମଣରେ ୨ ସ୍କୁଲ ଛାତ୍ରଙ୍କ ସମେତ ୭ଜଣ ଗୁରୁତର ଆହତ। ସମସ୍ତଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ସକାଳ ସାଢେ ୯ଟାରେ ସମସ୍ତଙ୍କୁ ମହୁମାଛି ଆକ୍ରମଣ କରିଛି।
ସୂଚନା ମୁତାବକ, ବୁଧବାର ସକାଳ ସାଢେ ୯ଟାରେ ହଠାତ୍ ବାଘୁଆ ମହୁମାଛି ଦଳ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ l ବାଘୁଆ ମହୁମାଛି କାମୁଡ଼ାରେ ୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ସ୍କୁଲ ଛାତ୍ର ହେଲେ କୁରାଢ଼ିକ ଗ୍ରାମର କିରଣ ମହାନ୍ତ ଏବଂ ଶୁଭମ ମହାନ୍ତ। ସେହିପରି ବୈଦପୁର ଗ୍ରାମର ଦୁର୍ଗା ସିଂ(୧୮ ବର୍ଷ), ମେର୍ଦା ଗ୍ରାମର ଦୀପିକା ଡଗରା(୧୯), ଯୁଗଳ ଗ୍ରାମର ରାଜେନ୍ଦ୍ର ଧାଉଁଡିଆ (୩୮) ଏବଂ ସାତପଉଟିଆ ଗ୍ରାମର ଇନ୍ଦ୍ରଜିତ ସାହୁ(୨୮) ଏବଂ ଶୁଭଲକ୍ଷ୍ମୀ ସାହୁ(୧୬) ୭ଜଣ ଗୁରୁତର ଆହତ ହୋଇଥିଲେ l ୭ଜଣଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l କିଛି ସୁସ୍ଥ ହୋଇ ଫେରିଯାଇଥିବା ବେଳେ ଆଉ କିଛି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି l ତେବେ ବାଘୁଆ ମହୁମାଛି ଆକ୍ରମଣ ଖବର ପାଇ କିଛି ସମୟ ପାଇଁ ବୈଦପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଭୟର ବାତାବରଣ ଦେଖାଦେଇଥିଲା l