ନୂଆଦିଲ୍ଲୀ,୩୦/୮: ହରିୟାଣା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ଜଣେ ବିଧାୟକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବିଧାୟକ ରାମନିବାସ ସୁରଜାଖେଡାଙ୍କ ବିରୋଧରେ ଜଣେ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ତଦନ୍ତ ପାଇଁ ଗଠିତ ହୋଇଛି ଏସଆଇଟି କମିଟି। ତେବେ ଏନେଇ ବିଧାୟକ ଜଣକ ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଛନ୍ତି । ଜେଜେପି ବିଧାୟକ ଥିବା ରାମନିବାସ ସୁରଜାଖେଡା କିଛି ଦିନ ପୂର୍ବେ ଦଳରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ୧ ତାରିଖରେ ସେ ବିଜେପିରେ ମିଶିବେ। ମାତ୍ର ଏହା ପୂର୍ବରୁ ତାଙ୍କ ନାମରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ତାଙ୍କ ବିରୋଧରେ ଏକ ସାଂଘାତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।
ତେବେ ଦୁଇ ଦିନ ପୂର୍ବେ ପଞ୍ଜାବର ଜଣେ ମହିଳା ବିଧାୟକ ରାମନିବାସଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ରାମନିବାସ ଓ ତାଙ୍କ ପିଏ ବିନୋଦଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ପୂର୍ବେ ୨୦୨୧ ମସିହାରେ ଚାକିରି ଦେବା ବାହାନାରେ ସୁରଜାଖେଡ଼ା ତାଙ୍କ ଯୌନ ନିର୍ଯାତନ କରିଥିଲେ। ଏହି ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହାର ତଦନ୍ତ ପାଇଁ SITଟିମ୍ ଗଠିତ ହୋଇଛି। ଜଣେ ମହିଳା ଡିସିପି ଏହାର ନେତୃତ୍ୱ ନେଉଛନ୍ତି। ମହିଳାଜଣକ ଗତ ମାର୍ଚ୍ଚ ମାସରେ ବିଧାୟକଙ୍କ ବିରୋଧରେ ପଟିଆଲା ଥାନାରେ ମାମଲା ରୁଜୁ କରିଥିଲେ। ମାତ୍ର ପରେ ଆପୋଷ ବୁଝାମଣା ହୋଇଥିଲା। ତେବେ ଏଥିପାଇଁ କିଏ ଚାପ ପକାଇଥିଲା କି ନାହିଁ ତାହାର ତଦନ୍ତ ହେଉଛି।