ଭୁବନେଶ୍ୱର,୧୯/୦୯: ଭୁବନେଶ୍ୱରରେ ବୁଧବାର ଆୟୋଜିତ ହୋଇଯାଇଛି ‘ମେଟାଲ କନ୍କ୍ଲେଭ୍-୨୦୨୪’ । ଏଥିରେ ଏକତ୍ର ହୋଇ ଶିଳ୍ପନେତା, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନେ ଧାତବ ଓ ବିନିର୍ମାଣ ଶିଳ୍ପର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । ନିରନ୍ତରତା, ଅଭିବୃଦ୍ଧି ଏବଂ ଋଣ ଯୋଗାଣ ନେଇ ଶିଳ୍ପ ସାମ୍ନା କରୁଥିବା କେତେକ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିଥିଲେ ବିଶେଷଜ୍ଞ । କନ୍କ୍ଲେଭ୍କୁ ଉଦ୍ଘାଟନ କରିଥିଲେ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ର, ଓଡ଼ିଶା ରାଜ୍ୟ ଲଘୁ ଉଦ୍ୟୋଗ ଭାରତୀ ସଭାପତି ତପନ କୁମାର ସ୍ୱାଇଁ, ଓଡ଼ିଶା ପ୍ଲାଷ୍ଟିକ୍ ପାଇପ୍ସ ଉତ୍ପାଦନ ସଂଘର ଅଧ୍ୟକ୍ଷ ନିକୁଞ୍ଜ ଛୋଟରାୟ ଏବଂ ୱାଲେଟ୍୪ୱେଲ୍ଥର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମର ଆବାହକ ତ୍ରିନାଥ ଲେଙ୍କା ।
କାର୍ଯ୍ୟକ୍ରମ ପାଇଁ ଶୁଭ କାମନା ପଠାଇଥିଲେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ସେ ଧାତବ ଶିଳ୍ପର ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ନବସୃଜନ ଏବଂ ନିରନ୍ତରତାର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ଶ୍ରୀ ତ୍ରିନାଥ ଲେଙ୍କା ରାଜ୍ୟର ଦୁର୍ବଳ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବଳ ଦେବା ପାଇଁ ଭାରତୀୟ ତଥା ବିଦେଶୀ ନିବେଶକଙ୍କ ପକ୍ଷରୁ ସହାୟତା ଏବଂ ଋଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ।