ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଞ୍ଜାମ ରାଜନୀତିରେ ବଡ଼ ପରିବର୍ତ୍ତନ ସମ୍ଭାବନା, ୪ ବିଧାନସଭା ଆସନର ଅଙ୍କ ଛିଣ୍ଡୁନି !

ବ୍ରହ୍ମପୁର, ୩୦/୦୩ : ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଆସନରୁ ୯ ଓ ଦୁଇଟି ଲୋକସଭା ଆସନରୁ ଆସିକାରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେପି ଉଭୟ ବ୍ରହ୍ମପୁର ଓ ଆସିକା ଲୋକସଭା ପ୍ରାର୍ଥୀଙ୍କ ନାମ ସାର୍ବଜନୀନ କରିଛି। କିନ୍ତୁ ବିଧାନସଭା ପ୍ରାର୍ଥୀ ତାଲିକା ଝୁଲି ରହିଛି। କଂଗ୍ରେସ କୌଣସି ପ୍ରାର୍ଥୀ ଏଯାବତ୍‌ ଘୋଷଣା କରିନି। ବିଜେଡି ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର। ଏଯାବତ୍‌ ବ୍ରହ୍ମପୁର, ଆସିକା, ଖଲ୍ଲିକୋଟ ଓ ସାନଖେମୁଣ୍ଡି ବିଧାନସଭା ଆସନ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ଏହି ୪ ବିଧାନସଭା ଆସନ ଓ ବ୍ରହ୍ମପୁର ଲୋକସଭା ଆସନ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗୋଷ୍ଠୀ ବିବାଦ ଓ ଆଶାୟୀଙ୍କ ଲମ୍ବା ତାଲିକା ଯୋଗୁଁ ଦଳର ଉଚ୍ଚ ନେତୃତ୍ୱ ଏତେ ଶୀଘ୍ର ନିଷ୍ପତ୍ତିରେ ପହଞ୍ଚିବା ସହଜ ହେଉ ନ ଥିବା ଅନୁମାନ କରାଯାଇଛି । 

ବ୍ରହ୍ମପୁର ବିଧାନସଭା ଆସନ ପାଇଁ ଦୁଇ ଭେଟେରାନ୍‌ଙ୍କ ମଧ୍ୟରେ ଟଣାଓଟରା ଲାଗି ଥିବା ଚର୍ଚ୍ଚା ହେଉଛି । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁରକୁ ସ୍ଥାନାନ୍ତର ହେବା ପରେ ସାଂସଦ ଚନ୍ଦ୍ରଶେଖର ସାହୁ ଏଥର ବିଧାନସଭା ଯିବାକୁ ମନସ୍ଥ କରିଛନ୍ତି। ଜିଲ୍ଲା ବିଜେଡି ସଭାପତି ତଥା ୫ ଥରର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମଧ୍ୟ ପୁଣି ଟିକଟ ଆଶା ରଖିଛନ୍ତି । ଦୁଇ ଜଣ ବିଧାୟକ ପ୍ରାର୍ଥୀ ହେବାକୁ ଆବେଦନ କରିଥିବା ଜଣାପଡ଼ିଛି । ଦଳ ପାଇଁ ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଟିକଟ କାହାକୁ ମିଳିବ ତାହା ସ୍ଥିର ହୋଇପାରୁ ନାହିଁ । ଉଭୟ ଆଶାୟୀଙ୍କ ସମର୍ଥକ ବିଭିନ୍ନ ସୂତ୍ରରେ ଦଳର ନେତୃତ୍ୱ ଉପରେ ଚାପ ଦେଉଥିବା ପରିଲକ୍ଷିତ ହୋଇଛି । ମେୟର ସଂଘମିତ୍ରା ଦଳାଇ ମଧ୍ୟ ରେସ୍‌ରୁ ବାଦ୍‌ ପଡ଼ିନାହାନ୍ତି । ଆସିକା ଆସନରେ ବିଧାୟକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ତିକ୍ତତା ତୃଣମୂଳରେ ପହଞ୍ଚିଲାଣି । ମାଆ-ପୁଅ ରାଜନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଅସନ୍ତୁଷ୍ଟ । ଖଲ୍ଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି । ବିଧାୟିକା ହଟାଅ ଅଭିଯାନ ଶଙ୍ଖ ଭବନ ଯାଏଁ ପହଞ୍ଚିଛି । ସହସ୍ରାଧିକ ଅସନ୍ତୁଷ୍ଟ କର୍ମୀ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ ଭେଟି ଅସନ୍ତୋଷ ଜାହିର କରିଛନ୍ତି । ଏନ୍‌ଏସି ଅଧ୍ୟକ୍ଷ ନିରଞ୍ଜନ ବେହେରା ଗାଁକୁ ଗାଁ ପଦଯାତ୍ରା କରିଛନ୍ତି । ସାନଖେମୁଣ୍ଡି ଆସନ କଂଗ୍ରେସ ଦଖଲରେ ଥିଲେ ମଧ୍ୟ ବିଜେଡିରେ ବିବାଦ ଘନୀଭୂତ ହୋଇଛି । ପୂର୍ବତନ ବିଧାୟିକାଙ୍କୁ ଟିକଟ ନଦେବାକୁ ଅଡ଼ି ବସିଛନ୍ତି । 

ଦୁଇ ଦିନ ତଳେ ସାନଖେମୁଣ୍ଡି ଅଞ୍ଚଳର ବହୁ ଆଗଧାଡ଼ିର ନେତା ବ୍ରହ୍ମପୁର ଲୋକସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କୁ ଶଙ୍ଖ ଭବନରେ ସାକ୍ଷାତ କରି ଅସନ୍ତୋଷ ଜଣାଇଥିବା କୁହାଯାଉଛି । ଏହା ମଧ୍ୟରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଜେଡିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିବା ପରେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ରହିଛି । ଦିନେ ଦୁଇ ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ହେବା ପରେ ଅବଶିଷ୍ଟ ପ୍ରାର୍ଥୀ ତାଲିକା ବିଜେଡି ଘୋଷଣା କରିପାରେ । ସେହିପରି ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଜଟିଳ ପରିସ୍ଥିତି ଉପୁଜିଛି । ସାଂସଦ ଚନ୍ଦ୍ରଶେଖର ସାହୁ ପୁଣି ଲୋକସଭା ପାଇଁ ନିର୍ବାଚନ ଲଢ଼ିବାକୁ ଅପ୍ରସ୍ତୁତ ଥିବା ବେଳେ ତାଙ୍କର ବିକଳ୍ପ ପ୍ରାର୍ଥୀ ଖୋଜା ଚାଲିଛି । ବିଜେପିରୁ ପ୍ରଦୀପ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଚନ୍ଦ୍ରଶେଖର ସାହୁ ହିଁ କଡ଼ା ମୁକାବିଲା କରିପାରିବେ ବୋଲି ଦଳ ଆକଳନ କରିଥିଲା । କିନ୍ତୁ ସେ ବିଧାନସଭା ଟିକଟ ଇଛା ପ୍ରକାଶ କରିବା ପରେ ଦଳ ଅକଳରେ ପଡ଼ିଛି । ବିଜେପି ପ୍ରାର୍ଥୀଙ୍କୁ ଟକ୍କର ଦେବା ଭଳି ସମକକ୍ଷ ପ୍ରାର୍ଥୀ ସ୍ଥିର ହେବା ଯାଏଁ ଘୋଷଣା ବିଳମ୍ବ ଆଶଙ୍କା ରହିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.