ନୂଆଦିଲ୍ଲୀ: ଶ୍ରେୟସ ଆୟରଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଆଇପିଏଲ ୨୦୨୪ ଟ୍ରଫି ଜିତିନେଇଛି । ଟୁର୍ଣ୍ଣାମେଣ୍ଟରେ ଆୟର ସବୁଠୁ ଭଲ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି । କେକେଆର ଫାଇନାଲରେ ପାଟ କମିନ୍ସଙ୍କ ଟିମ୍ ହାଇଦ୍ରାବାଦକୁ ପରାସ୍ତ କରିଛି । ସେପଟେ ଆୟରଙ୍କ ବଡ଼ ସଫଳତା ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଶ୍ରେୟସ ଆୟର, ଶୁଭମନ ଗିଲଙ୍କ ପୂର୍ବରୁ ଭାରତୀୟ ଟିମ୍ର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି । ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ବ୍ୟାଟର ରବିନ ଉତ୍ଥାପା ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ କ୍ରିକେଟ ଟିମ୍ର ଆଗାମୀ ଅଧିନାୟକ ଆୟର ହୋଇପାରନ୍ତି ।
ଶ୍ରେୟସ ଆୟର ୨୦୨୨ରେ କେକେଆରର କ୍ୟାପ୍ଟେନ ହୋଇଥିଲେ । ୨୦୨୩ରେ ଆହତ ଯୋଗୁଁ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇପାରି ନଥିଲେ ଆୟର । ତାଙ୍କ ସ୍ଥାନରେ ନୀତିଶ ରାଣା ଅଧିନାୟକ ଦାୟତ୍ବ ନେଇଥିଲେ । କିନ୍ତୁ ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିବା ସହ ଟିମ୍କୁ ବିଜୟୀ କରିଛନ୍ତି ଶ୍ରେୟସ ଆୟର । ଉତ୍ଥପା ଜିଓ ସିନେମାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ଏଠାରେ ଏହା କହିବାକୁ ଯାଉଛି ସେ ଭବିଷ୍ୟତରେ ଭାରତୀୟ ଟିମ୍ର ଅଧିନାୟକ ହେବେ । ସେ ଲାଇନ୍ରେ ଆଗରେ ଅଛନ୍ତି, ବୋଧହୁଏ ଶୁଭମନ ଗିଲଙ୍କ ଆଗରେ । ଟିମ୍କୁ ସମ୍ଭାଳିବା ଲାଗି ତାଙ୍କ ପାଖରେ ଉପାୟ ରହିଛି । ସେ ଏହି ସିଜନରୁ ବହୁତ କିଛି ଶିଖିଛନ୍ତି । ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ ସେ ଗମ୍ଭୀର, ଚନ୍ଦ୍ରକାନ୍ତ ପଣ୍ଡିତ ଏବଂ ଅଭିଷେଖ ନାୟରଙ୍କ ଭଳି ୩ ଜଣ ମଜଭୁତ ବ୍ୟକ୍ତିତ୍ବଙ୍କ ସହ କାର୍ଯ୍ୟ କରିଛନ୍ତି ।’
ରବିନ ଉତ୍ଥାପା କହିଛନ୍ତି, ଆଇପିଏଲ ପୂର୍ବରୁ ଆୟରଙ୍କୁ ଟିମ୍ ଇଣ୍ଡିଆର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାହାର କରିଦିଆଯାଇଥିଲା । ରଣଜୀ ଖେଳିବାକୁ ମନା କରିବାରୁ ବିସିସିଆଇ ଶ୍ରେୟସ ଆୟରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବ୍ୟାକ ଇଞ୍ଜୁରି, ବିଶ୍ବକପରୁ ବାଦ୍, ସେଣ୍ଟ୍ରାଲ ଚୁକ୍ତିରୁ ବାହାର ହେବା ଭଳି ଅନେକ କିଛି ସହିଛନ୍ତି ଆୟର । କିନ୍ତୁ ଏନେଇ ହୁଏତ ସେ କେବେ କହିନାହାନ୍ତି ବୋଲି ରବିନ ଉତ୍ଥାପା କହିଛନ୍ତି।