ଭୁବନେଶ୍ୱର,୦୫/୧୧: ବିଜୁ ପଟ୍ଟନାୟକ ବିମାନ ବନ୍ଦର ନୂଆ ରୂପ ପାଇବ । ନୂଆ ବର୍ଷରେ ନୂଆ ଟିର୍ମିନାଲ ଲିଙ୍କ ବିଲ୍ଡିଂର ଶୁଭାରମ୍ଭ ହେବ । ଏନେଇ ସିକ୍ୟୁରିଟି କ୍ଲିୟରାନ୍ସ ପାଇଁ ଆବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । କ୍ଲିୟରାନ୍ସ ମିଳିବା ପରେ ପ୍ରସ୍ତୁତ ହେବ ଏସଓପି । ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ । ନୂଆ ଟର୍ମିନାଲ କାର୍ଯ୍ୟକ୍ଷମ ହେବା ପରେ ୪ ସହରକୁ ବିମାନ ସେବା ଆରମ୍ଭ ହେବ ।
ନୂଆ ଟର୍ମିନାଲ କାର୍ଯ୍ୟକ୍ଷମ କରିବା ପାଇଁ ସିଆଇଏସଏଫ, କଷ୍ଟମ,ଏୟାରଲାଇନ୍ସ,ଇମିଗ୍ରେସନ ସହ ସମନ୍ୱୟ ବୈଠକ କରାଯିବ । ବର୍ତ୍ତମାନ ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଛି । ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ,ଜମ୍ମୁକୁ ମିଳିବ ବିମାନ ସେବା । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ୱର ବିମାନ ବନ୍ଦର ସଂଯୋଗ କରିଛି ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ସୁରଟକୁ ଦୀର୍ଘଦିନ ଧରି ବିମାନ ସେବା ପାଇଁ ଦାବି ହୋଇ ଆସୁଥିଲା । ଏନେଇ ବିମାନ ବନ୍ଦର ପକ୍ଷରୁ ଉଡାଣ ପାଇଁ ପକ୍ରିୟା ଆରମ୍ଭ ହୋଇଛି । ଫଳରେ ସୁରଟରେ ରହୁଥିବା ଶହ ଶହ ଓଡିଆ ଏହା ଦ୍ୱାରା ଉପକୃତ ହେବେ ।
ସେହିପରି ଡେରାଡୁନ, ଚଣ୍ଡିଗଡ ଓ ଜମ୍ମୁକୁ ବିମାନ ସେବା ଆରମ୍ଭ ହେଲେ ପର୍ଯ୍ୟଟକ ଉପକୃତ ହେବେ । ଓଡିଶା ସିଧାସଳଖ ପର୍ଯ୍ୟଟନ ସହ ଯୋଡି ହୋଇପାରିବ । ନଭେମ୍ବର ୬ରୁ କୋରାପୁଟର ଜୟପୁରକୁ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ । ସୋମବାର ଓ ଶୁକ୍ରବାର ଏହି ବିମାନ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱରରୁ ସକାଳ ୭.୧୦ରେ ବିମାନ ଛାଡି ୮.୪୫ରେ ଜୟପୁରରେ ପହଞ୍ଚିବ । ସେଠାରୁ ୯ଟାରେ ଛାଡି ଭୁବନେଶ୍ୱରରେ ୧୦.୩୫ରେ ପହଞ୍ଚିବ । ଅଗ୍ରଣୀ ବିମାନ ସେବା ଇଣ୍ଡିଆ ୱାନ୍ ପକ୍ଷରୁ ଏହି ସେବା ଯୋଗଇ ଦିଆଯିବ ।