ରାଉରକେଲା,୧୫/୦୯: ଟ୍ରଲି ରିକ୍ସାରେ ବୋହୁଥିଲେ ସାମଗ୍ରୀ । ଦିନସାରା ଝାଳବୁହା ପରିଶ୍ରମ ପରେ ଯାହା ମିଳୁଥିଲା ସେଥିରେ ଦୁଇଓଳି ଯୋଗାଡ଼ ହେଉଥିଲା ଦାନା । ଦୁଇବର୍ଷ ତଳେ ଗୋଡ଼ ଉପରେ ଚଢ଼ିଗଲା ଟ୍ରକ୍ । ଆଣ୍ଠୁ ତଳକୁ କଟାଗଲା ଗୋଡ଼ । ଯେଉଁ ଗୋଡ଼ରେ ପେଡାଲ ମାରି ଟ୍ରଲିକୁ ମାଇଲ୍ ମାଇଲ୍ ବାଟ ନେଇଯାଉଥିଲେ ସେଥିରେ ପଡ଼ିଛି ଯବନିକା । ଆରମ୍ଭ ହୋଇଛି ସଂଘର୍ଷମୟ ଜୀବନ । ଦଇବର ଏତେ ବଡ଼ ଯନ୍ତ୍ରଣା ପରେ ବି ଭାଙ୍ଗିନି ବିପିନ ମହାପାତ୍ରଙ୍କ ମନୋବଳ । ଏହି ସ୍ୱାଭିମାନୀ ମଣିଷ ଜଣକ ହାତରେ ଥାଳ ଧରି ଭିକ୍ଷା ବୃତ୍ତି କରିବା ଅପେକ୍ଷା ପର ଦୋକାନ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ଶ୍ରେୟସ୍କର ମଣିଛନ୍ତି । ‘ଦୟାର ପାତ୍ର ହେବାକୁ ଚାହେଁ ନାହିଁ । କାମ ଯୋଗାଡ଼ କରିଦିଅ । କାମ କରି ଖାଇବି ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି । ସମୟର ପ୍ରତିକୂଳ ସ୍ରୋତରେ ମଣିଷ ପଥଭ୍ରଷ୍ଟ ହୋଇଯିବାର ଢେର୍ ଉଦାହରଣ ଅଛି । ହେଲେ ଏ କ୍ଷେତ୍ରରେ ବିପିନ ବ୍ୟତିକ୍ରମ ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କମାପଲ୍ଲୀ ଅଞ୍ଚଳର ବିପିନ । ବୟସ ୬୦ ଡେଇଁଲାଣି । ପରିବାର କହିଲେ ସେ ନିଜେ । ମାତ୍ର ୧୦ ବର୍ଷର ହୋଇଥିବାବେଳେ ପେଟପାଟଣା ତାଙ୍କୁ ଟାଣିଆଣିଲା ରାଉର୍କେଲାକୁ । ପ୍ରଥମେ ଦୋକାନରେ କାମ କଲେ । ସେଥିରୁ ସଞ୍ଚିତ ଅର୍ଥରେ ଏକ ଟ୍ରଲି ରିକ୍ସା କିଣିଲେ । ୧୮ ବର୍ଷ ବୟସରୁ ଟ୍ରଲି ରିକ୍ସାରେ ଆଳୁ, ପିଆଜ ସମେତ ଅନ୍ୟାନ୍ୟ ଜିନିଷ ରାଉରକେଲା ମାର୍କେଟ୍ରୁ ଆଣି ଦୋକାନରେ ପହଞ୍ଚାଉଥିଲେ । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜିନିଷ ବୁହାରେ ଭଲ ଦୁଇ ପଇସା ରୋଜଗାର ହେଉଥିଲା । ସବୁକିଛି ଠିକ୍ଠାକ୍ ଚାଲିଥିବାବେଳେ ବିପିନଙ୍କ ମୁଣ୍ଡରେ ଛିଣ୍ଡିପଡ଼ିଲା ଦୁଃଖର ପାହାଡ଼ ।
୨୦୨୨ରେ ବିପିନ ଏକ ସାଇକଲ୍ ଧରି ଛେଣ୍ଡ ଆଡ଼କୁ ଯାଉଥିଲେ । ଛେଣ୍ଡର ବାଗବୁଡ଼ି ବସ୍ତି ନିକଟ ରିଂରୋଡ୍ରେ ହଠାତ୍ ମାଡ଼ିଆସିଲା ଏକ ଟ୍ରକ୍ । ବାମଗୋଡ଼ରେ ଚଢ଼ିଗଲା ଗାଡ଼ି ଚକ । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଆଣ୍ଠୁ ତଳକୁ କାଟିବାକୁ ପଡ଼ିଲା । ୨ମାସ ଧରି ଚିକିତ୍ସିତ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଆଣି ସେକ୍ଟର-୫ ମାର୍କେଟ୍ରେ ଛାଡ଼ି ଦେଇଥିଲେ । ହେଲେ ଦିବ୍ୟାଙ୍ଗ ପାଲଟି ସାଜିଥିବା ବିପିନ ସେତେବେଳକୁ ହୋଇପଡ଼ିଥିଲେ ସମ୍ପୂର୍ଣ୍ଣ ଅସହାୟ । ଏକଦା ରୋଜଗାର କରି ଦୁଇ ଓଳି ପେଟପୂରା ଖାଉଥିବା ମଣିଷ ଏବେ ଦୁଇ ଓଳି ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରୁଛି ।
ରାଉରକେଲାରେ ଦୀର୍ଘବର୍ଷର ରହଣି ଭିତରେ ଘରଖଣ୍ଡିଏ ଯୋଗାଡ଼ କରିପାରି ନ ଥିବାରୁ ତାଙ୍କ ଠିକଣା ପାଲଟିଛି ସେକ୍ଟର-୫ସ୍ଥିତ ମାର୍କେଟ୍ ବାରଣ୍ଡା । ଅନ୍ୟପଟେ ଆଧାର କାର୍ଡ କି ଭୋଟର ପରିଚୟ ପତ୍ର ନ ଥିବାରୁ ତାଙ୍କୁ ମିଳୁନାହିଁ ଦିବ୍ୟାଙ୍ଗ ଭତ୍ତା । ଟ୍ରାଇ ସାଇକଲ୍ ପାଇଁ ସେ ଅନେକଥର ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇଛନ୍ତି । ସବୁଥର ତାଙ୍କୁ କାଗଜପତ୍ର ମଗାଯାଇଛି । ମିଛ ଆଶ୍ୱାସନା ହିଁ ମିଳିଛି ।
ରାଉରକେଲାରେ ଘର ନାହିଁ କି ଜାଗା ନାହିଁ । ଆଧାରକାର୍ଡ କି ଭୋଟର ପରିଚୟ ପତ୍ର କେଉଁଠୁ ଆଣିବେ ବୋଲି କହିଛନ୍ତି ବିପିନ୍। ବିପିନ୍ଙ୍କ ଏଭଳି ଅବସ୍ଥାରେ ପରେ ମାର୍କେଟ୍ର ଦୋକାନୀମାନେ ସାଜିଛନ୍ତି ତାଙ୍କ ପରିବାର ସଦସ୍ୟ । ସହଯୋଗର ହାତ ବଢ଼ାଇଛନ୍ତି । ଖାଇବାକୁ ବି ଦେଉଛନ୍ତି । ହେଲେ କାହା ଦୟାର ପାତ୍ର ହେବାକୁ କୁଣ୍ଠାବୋଧ କରୁଛନ୍ତି ବିପିନ । ଦୋକାନୀମାନେ ଖାଇବାକୁ ଦେଲେ ଖାଉଛନ୍ତି ସତ, କିନ୍ତୁ କେହି ଟଙ୍କା ଦେଲେ ଫେରାଇ ଦେଉଛନ୍ତି । ବିପିନ କୁହନ୍ତି, କାମ ଯୋଗାଡ଼ କରିଦିଅ । ନିଜେ ଖଟି ଖାଇବି । ଅସହାୟ ବିପିନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ସ୍ଥାନୀୟ ଦୋକାନୀ ପ୍ରଶାସନକୁ ନିବେଦନ କରିଛନ୍ତି ।