ପ୍ରମୂଖ ଖବର

ଏକାକୀ ବହୁମତ ପାଇବାରୁ ପଛରେ ରହିଯାଇଛି ବିଜେପି, ଖେଳ ବିଗାଡ଼ିଲା ୟୁପି, ରାଜସ୍ଥାନ ଓ ହରିୟାଣା

ନୂଆଦିଲ୍ଲୀ, ୦୫/୦୬ ; ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଏହାର ମଜଭୁତ ଗଡ଼ ଉତ୍ତରପ୍ରଦେଶ ସମେତ ରାଜସ୍ଥାନ ଓ ହରିୟାଣାରୁ ଶକ୍ତ ଝଟକା ଲାଗିଛି । ଏଠାରେ ବିଜେପିକୁ ଆଶା ଅନୁସାରେ ସଫଳତା ମିଳିପାରିନାହିଁ । ଓଡ଼ିଶା, ତେଲଙ୍ଗାନା, କେରଳରେ ଆଖିଦୃଶିଆ ସଫଳତା ପାଇଥିଲେ ବି ବିଜେପି ଏକାକୀ ବହୁମତ ପାଇବାରୁ ପଛରେ ରହିଯାଇଛି । ଏହା ପଛରେ ବଡ଼ କାରଣ ହେଉଛି ୟୁପି ଭଳି ରାଜ୍ୟରେ ପ୍ରାୟ ଅଧା ସିଟ୍‌ ହରାଇବା । ଫଳରେ ଏନ୍‌ଡିଏର ‘୪୦୦ ପାର୍‌’ ନାରା ଏବଂ ମୋଦିଙ୍କ ‘୩୭୦ ପାର୍‌’ ସ୍ଲୋଗାନ୍‌ ବାସ୍ତବ ହୋଇପାରିନାହିଁ । ୟୁପିରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବିଜେପିକୁ କଡ଼ା ଟକ୍କର ଦେଇଛି । ଏଠାରେ କଂଗ୍ରେସ ମଧ୍ୟ ଲାଭବାନ ହୋଇଛି । ଏହି ସର୍ବପୁରାତନ ଦଳ ୨୦୧୯ରେ ୟୁପିରେ ମାତ୍ର ଗୋଟିଏ ସିଟ୍‌ ଜିତିଥିବାବେଳେ ଏଥର ୮ ଆସନରେ ଆଗୁଆ ଅଛି । ଏଠାରେ ସପା ୩୩ ଆସନରେ ଆଗୁଆ ଥିବାବେଳେ ବିଜେପି ୩୬ ସିଟ୍‌ରେ ଆଗରେ ରହିଛି । 

୨୦୧୯ରେ ବିଜେପି ୟୁପିରେ ୬୨ ସିଟ୍‌ ଜିତିଥିଲା । ୟୁପିର ହାଇପ୍ରୋଫାଇଲ ସିଟ୍‌ ଆମେଥିରୁ ନିର୍ବାଚନ ଲଢ଼ୁଥିବା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କଠାରୁ ହାରିଛନ୍ତି । ଏଠାରେ ବିଜୟ ବିଜେପି ପାଇଁ ସମ୍ମାନର କଥା ଥିଲା । ୟୁପିର ସୁଲତାନପୁରରୁ ମଧ୍ୟ ବିଜେପି ପ୍ରାର୍ଥୀ ମେନକା ଗାନ୍ଧୀ ପଛୁଆ ଅଛନ୍ତି । ସେହିପରି ରାଜସ୍ଥାନରେ ବିଜେପି ୧୪ ଆସନରେ ଆଗୁଆ ଥିବାବେଳେ ୮ ଆସନରେ କଂଗ୍ରେସଠାରୁ ପରାଜିତ ହେବା ଥୟ ହୋଇଛି । ୨୦୧୯ରେ ବିଜେପି ରାଜସ୍ଥାନର ମୋଟ ୨୫ ଆସନରୁ ୨୪ଟିରେ ଜିତିଥିଲା । ହରିୟାଣାରେ ବିଜେପି ଗତଥର ସବୁ ଆସନ ଜିତିଥିବାବେଳେ ଏଥର କିନ୍ତୁ ୧୦ରୁ ମାତ୍ର ୪ଟିରେ ଆଗୁଆ ରହିଛି । ପଶ୍ଚିମବଙ୍ଗରେ ବିଜେପି ଗତ ଥର ୧୮ ଆସନ ହାସଲ କରିଥିବାବେଳେ ଏଥର ତାହା ହାତରୁ ଖସିଛି । ଏଠାରେ ତୃଣମୂଳ କଂଗ୍ରେସ ୩୨ ଆସନରେ ଆଗୁଆ ଥିବାବେଳେ ବିଜେପି ୯ ଆସନକୁ ଖସିଛି । ସେହିପରି ମହାରାଷ୍ଟ୍ର ମଧ୍ୟ ବିଜେପି ପାଇଁ ମୁଣ୍ଡବଥା ବଢ଼ାଇଛି । ଗତଥର ଏଠାରେ ୨୩ ଆସନ ପାଇଥିବା ବିଜେପି ଚଳିତ ଥର ଅଧିକ ଆସନରେ ଲଢ଼ିଥିଲେ ବି ୧୦ ଆସନ ହରାଇଛି । ଏଠାରେ କଂଗ୍ରେସ ଏବଂ ଶିବସେନା (ୟୁବିଟି) ବିଜେପିକୁ କଡ଼ା ଟକ୍କର ଦେଇଛନ୍ତି । ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନ୍‌ସିପି ଗୋଷ୍ଠୀ ମହାରାଷ୍ଟ୍ରରେ ବିଶେଷ ଯାଦୁ କରିପାରିନାହିଁ । ସେପଟେ ଏନ୍‌ସିପି ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ପୁତୁରା ତଥା ବିଦ୍ରୋହୀ ଅଜିତ ପାୱାରଙ୍କ ସ୍ତ୍ରୀ ସୁନେତ୍ରା ପାୱାରଙ୍କୁ ପଛରେ ଛାଡ଼ିଛନ୍ତି । ତେବେ ଚଳିତ ଥର ତେଲଙ୍ଗାନା, ଓଡ଼ିଶାରେ ବିଜେପିକୁ ଆଶାତୀତ ସଫଳତା ମିଳିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.