ଭୁବନେଶ୍ୱର,୧୮/୧୧: ଅଳିଆ ଅଲଗା ନ କରି ସଫେଇ ଗାଡ଼ିରେ ଦେଉଛନ୍ତି କି? ମୋଟା ଅଙ୍କର ଜରିମାନା ଦେବେ, ନଚେତ୍ ଅଳିଆ ସେମିତି ଘର ଆଗରେ ପଡ଼ି ରହିବ । ଖୁବ୍ଶୀଘ୍ର ଅଳିଆ ସଂଗ୍ରହକୁ ନେଇ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଓଦା ଏବଂ ଶୁଖିଲା ଅଳିଆ ଅଲଗା କଲେ ହିଁ ବିଏମ୍ସି ଘରୁ ଅଳିଆ ସଂଗ୍ରହ କରିବ। ଅଲଗା ନ କଲେ ଘରୁ ଆଦୌ ଅଳିଆ ଉଠିବନି । ଯିଏ ଓଦା, ଶୁଖିଲା ଅଳିଆ ମିଶାଇ ଦେବ ବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଏମିତି ଚେତାବନୀ ଦେଇଛନ୍ତି । ବିଏମ୍ସିରେ ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଏମ୍ସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ଉପସ୍ଥିତ ଥିଲେ । ଗାଁରେ ଥିବା ସବୁ କଚ୍ଚା ରାସ୍ତାକୁ ପକ୍କା କରିବାକୁ ବୈଠକରେ ଆଲୋଚନା ହୋଇଛି ।
The Contracts Standing Committee meeting was held today under the chairmanship of Hon'ble Mayor @MayorofBBSR in the presence of the BMC Commissioner, Standing Committee Chairpersons, and Team BMC.
— BMC (@bmcbbsr) November 17, 2023
Various projects were approved by the Committee like
6 nos. of Cesspool Vehicles… pic.twitter.com/HfUWx6aFBr
ସେହିଭଳି ପଞ୍ଚାୟତରେ ଏକ ପିଏଚ୍ଚି କରିବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି । ଦାରୁଠେଙ୍ଗ ପଞ୍ଚାୟତରେ ଥିବା ପିଣ୍ଡି ଓ ଖେଳପଡ଼ିଆର ବିକାଶ କରାଯିବ। ଦାରୁଠେଙ୍ଗ ଗାଁରୁ ବିଏମ୍ସି ଅଳିଆ ସଂଗ୍ରହ କରିବ । ବିଏମ୍ସି ଗାଡ଼ି ଗାଁ ବୁଲି ବୁଲି ଲୋକଙ୍କ ଘରୁ ଓଦା ଏବଂ ଶୁଖିବା ଅଳିଆ ଆଣିବ। ତେବେ ସ୍ଥାନୀୟ ବିଡିଓଙ୍କ ସହ ମିଶି ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ସହ ପାଣ୍ଠି ବ୍ୟବସ୍ଥା କରାଯିବ। ଗାଁ ପାଖରେ ଥିବା ଡମ୍ପିଂୟାର୍ଡରୁ ଅଳିଆ ଖାଲି କରିବାକୁ ବାୟୋମାଇନିଂ ପ୍ରକଳ୍ପ ହେବ । ବାୟୋମାଇନିଂ ପାଇଁ ଖୁବ୍ଶୀଘ୍ର ଆଉ ଦୁଇଟି ଟ୍ରମେଲ୍ ମେସିନ୍ ଅଣାଯିବ ।
ସେହିଭଳି ରାଜଧାନୀରେ ଖୁବ୍ଶୀଘ୍ର ୨୦୦ଟନ୍ କ୍ଷମତା ବିଶିଷ୍ଟ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ୫୦ ଟନ୍ କ୍ଷମତା ବିଶିଷ୍ଟ ୪ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଟେଣ୍ଡର ଆହ୍ୱାନ ସରିଛି ବୋଲି କମିଶନର ସୂଚନା ଦେଇଛନ୍ତି । ସହରରୁ ବାହାରୁଥିବା ସମସ୍ତ ଅଳିଆ ଓ ଆବର୍ଜନାକୁ ଦୈନିକ ଟ୍ରିଟ୍ମେଣ୍ଟ କରିବାକୁ ବିଏମ୍ସି ଲକ୍ଷ୍ୟ ରଖିଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।