ଭୁବନେଶ୍ୱର, ୧୪/୦୮ : ଅଗଷ୍ଟ ୩୧ରେ ବିଏମ୍ସି ସ୍ୱାୟତ୍ତ ଶାସନ ଦିବସ ପାଳିବ । ନୂଆ ସରକାରର ମନ୍ତ୍ରୀ ବିଧାୟକ ଉତ୍ସବରେ ସାମିଲ ହେବେ। ହେଲେ ଉଦ୍ଘାଟନ କରିବାକୁ ଗୋଟିଏ ବି ଆଖିଦୃଶିଆ ପ୍ରକଳ୍ପ ନାହିଁ । ମାତ୍ର କେଇଟା ୱାର୍ଡ ଅଫିସ ଓ କନଜଭେନ୍ସି ଲେନ୍ କରି ବାହାଦୁରି ମାରୁଛି ବିଏମ୍ସି । ଖାଲି ଏତିକି ନୁହେଁ, ୨୦୨୪- ୨୫ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନ୍ୱୟନ ଯୋଜନା ହୋଇପାରିଲା ନାହିଁ । ବିଏମ୍ସି ପକ୍ଷରୁ ପୂର୍ବ ସ୍ୱାୟତ୍ତଶାସନ ଦିବସରେ ୱାର୍ଡ ଅଫିସ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ହେଲେ ମାତ୍ର ହାତଗଣତି ୱାର୍ଡ ଅଫିସ୍ କାମ ସରିଛି । ଅଧିକାଂଶ ନିର୍ମାଣ କାର୍ଯ୍ୟ ସରିଲା ନାହିଁ । ସେହିପରି ସବୁ ପୋଖରୀ ପୁନରୁଦ୍ଧାର ଯୋଜନା ମଧ୍ୟ ସରିନି ।
ଖାଲି ଏତିକି ନୁହେଁ, ଗୋଟିଏ ବଡ଼ ପ୍ରକଳ୍ପର ନକ୍କା ମଧ୍ୟ ଆଙ୍କିପାରିନି ବିଏମ୍ସି । ୟୁନିଟ୍-୧ ହାଟ ନିର୍ମାଣ ଯୋଜନା ପୁଣି ଫାଇଲ ତଳେ ଚାପି ହୋଇଗଲା। ଏହାର ଭାଗ୍ୟ କଣ ହେବ ଜଣାପଡୁନି। ସେହିପରି ଜାମୁକୋଳିରେ ବିଶାଳ ଗୋଶାଳା ନିର୍ମାଣ ଯୋଜନା ହୋଇଥିଲା । ହେଲେ ସେ କାମ ବି ଆଗେଇ ପାରିଲା ନାହିଁ । ଏମିତି ଅନେକ ପ୍ରକଳ୍ପର ଭାଗ୍ୟ ବି ଫିଟିଲାନି । ଏହି ସହ ପଳାଶୁଣି ମେଗା ଏମ୍ସିସି ନିର୍ମାଣ କାର୍ଯ୍ୟ ସରିନି । ଅନେକ ଗୁଡ଼ିଏ ପ୍ରକଳ୍ପ ଅଧାରେ ରହିଛି ।
ସାଧାରଣତଃ ବିଏମ୍ସି ବଜେଟ୍ ପରେ ୨୦୨୪-୨୫ ବର୍ଷ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୁଏ । ନଗର ଯନ୍ତ୍ରୀ ଏହାକୁ ପ୍ରସ୍ତୁତ କରନ୍ତି । ଏଥିରେ ୩ ପ୍ରକାର ଯୋଜନାକୁ ଗୁରୁତ୍ୱ ଦିଆଯାଏ । ପୂର୍ବ ବର୍ଷ କାର୍ଯ୍ୟର ବକେୟା ଟଙ୍କା, ଚାଲିଥିବା ପ୍ରକଳ୍ପ ପାଇଁ ଆବଶ୍ୟକ ଟଙ୍କା ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ରିର୍ପୋଟ ରହେ । ବର୍ତ୍ତମାନ ଅଗଷ୍ଟ ମାସ ଶେଷ ହେବାକୁ ବସିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ଆକ୍ସନ ପ୍ଲାନ ହୋଇ ପାରିଲା ନାହିଁ । ଫଳରେ ପ୍ରକଳ୍ପ ଭାଗ୍ୟ ଝୁଲି ରହିଛି । ସ୍ୱାୟତ୍ତଶାସନ ଦିବସ ପାଖେଇ ଆସୁଥିବା ବେଳେ ଏବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ହଜିଗଲାଣି । ନୂଆ ମନ୍ତ୍ରୀ , ସଚିବଙ୍କୁ ଖୁସି କରିବାକୁ ଏବେ ପ୍ରକଳ୍ପ ଖୋଜାଚାଲିଛି । ଏପରିକି ମାତ୍ର ୧୫ ଦିନ ଭିତରେ ଏକାଧିକ ନିର୍ମାଣ କାର୍ଯ୍ୟ ସାରିବାକୁ ତଳିଆ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି । ତରବରିଆ ଭାବେ କାମ ସାରି ରଙ୍ଗ ବୋଲି ଉଦ୍ଘାଟନ ଯୋଜନା ଚାଲିଛି । ତା’ ବି କେବଳ କିଛି ରାସ୍ତା, ଭେଣ୍ଡିଂ ଜୋନରେ ସୀମିତ ।
ଆଜି ବିଏମ୍ସିର ବୈଠକ ବସିବ । ଅନେକ ଗୁଡ଼ିଏ ପ୍ରକଳ୍ପରେ ମୋହର ମାରିବାକୁ ବିଏମ୍ସି ସଜବାଜ ହୋଇଛି । ନୂଆ ସରକାର ଆସିବା ପରେ ଏବେ ସାଂସଦ ଓ ଏକାମ୍ର ବିଧାୟକ ହିସାବ ମାଗୁଛନ୍ତି । ତେଣୁ ଏକାଥରକେ ଗୁଡ଼ାଏ ପ୍ରକଳ୍ପ ମଞ୍ଜୁର କରିବାକୁ ଭିତିରି ଯୋଜନା ହୋଇଥିବା ବିଶ୍ୱସ୍ତ ସୂଚନା ମିଳିଛି । ସେପଟେ କିଛି ଶାସକ ଦଳର କର୍ପୋରେଟର ଆସନ୍ତାକାଲି ଜଳବନ୍ଦୀ ପ୍ରସଙ୍ଗ ଉଠାଇବେ । ଅସରାଏ ବର୍ଷା ହେଲେ ସହର ବୁଡ଼ିଯାଉଛି । ଗତ ବର୍ଷାରେ ଲକ୍ଷ୍ମୀସାଗର ଅଞ୍ଚଳ ପାଣିରେ ବୁଡିଲା । ଘରେ ପାଣି ପଶିଲା । ବାଧ୍ୟ ହୋଇ ଲୋକେ ରାସ୍ତା ଅବରୋଧ କଲେ । ସେପଟେ ଡେଙ୍ଗୁ ହୁ ହୁ ହୋଇ ବଢୁଛି । ରାଜଧାନୀରେ ସ୍ଥିତି ଅସମ୍ଭାଳ ହେଲାଣି । ଏହି ସବୁ ପ୍ରସଙ୍ଗ ଉଠିବ ।