ଖଲ୍ଲିକୋଟ, ୧୯/୦୮: ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ଅଘଟଣା । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗାଁରେ ଏଭଳି ଘଟିଛି ଅଘଟଣ । ୧୬ନଂ ଜାତୀୟ ରାଜପଥର ଲଙ୍ଗଳେଶ୍ୱର କଳାଝର ନଈ ନିକଟରେ ଥିବା ମା’ ନାରାୟଣୀ ଚା’ ଦୋକାନ ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ୱାମୀଙ୍କ ମୃତଦେହ ତଳେ ପଡ଼ିଥିବା ବେଳେ ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଲଙ୍ଗଳେଶ୍ୱର ଗ୍ରାମର ଦିଲ୍ଲୀପ ଦଳେଇ କନ୍ଦିଗାଁର ରଶ୍ମିତା ଦଳେଇଙ୍କୁ ଗତ ପ୍ରାୟ ୧୦ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ଦିଲ୍ଲୀପ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବେଳେ ବେଳେ ଝଗଡ଼ା ହେଉଥାଏ ବୋଲି ଜଣାପଡ଼ିଛି । ତେବେ ଗତକାଲି ଦିଲ୍ଲୀପଙ୍କ ପୁଅ ଝିଅ କନ୍ଦିଗାଁରେ ଅଜା ଘରେ ଥିବାବେଳେ ଦିଲ୍ଲୀପ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କ ସହ ରାତିରେ ଦୋକାନ ଭିତରେ ରହିଯାଇଥିଲେ ।
ସୋମବାର ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଦିଲ୍ଲୀପଙ୍କ ପୁଅ ହାତରେ ରାକ୍ଷୀ ବାନ୍ଧିବା ପାଇଁ ନିଜ ଝିଅକୁ ଧରି ସଙ୍ଗାତ ଟିଟୁ ବେହେରା ସକାଳୁ ଦୋକାନ ପାଖରେ ପହଞ୍ଚିଥିଲେ । ଦୋକାନ ଭିତର ପଟୁ ବନ୍ଦ ଥିବାରୁ ସେ କବାଟ ବାଡ଼େଇଥିଲେ । ବାରମ୍ବାର କବାଟ ବାଡ଼େଇବା ପରେ ନ ଖୋଲିବାରୁ ମୋବାଇଲ ଫୋନକୁ କଲ କରିଥିଲେ । ହେଲେ ଫୋନ ଭିତରେ ରିଂ ହେଉଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ମନରେ ସନ୍ଦେହ ହେବାରୁ କବାଟ ଫାଙ୍କରେ ଉଙ୍କି ମାରି ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍ ଉଡ଼ି ଯାଇଥିଲା । ତୁରନ୍ତ କନ୍ଦିଗାଁ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ବାରିପଟ କବାଟ ତାଡ଼ି ଭିତରେ ପଶିଥିଲେ ଏବଂ କାନ୍ଦ ବୋବାଳିରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ମୃତଦେହ ଦୁଇଟିକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି । ସ୍ତ୍ରୀ ରଶ୍ମିତା କରୁଥିବା ଏକ ଚାକିରିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ସ୍ୱାମୀଙ୍କ ଇଚ୍ଛା ବିରୋଧରେ ରଶ୍ମିତା ଚାକିରି କରୁଥିଲେ ।
ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଜଣାପଡ଼ୁଥିଲେ ମଧ୍ୟ ତଦନ୍ତ ଜାରି ରହିବ ବୋଲି ଆଇଆଇସି ନରେଶ କୁମାର ସାହୁ କହିଛନ୍ତି । ତେବେ ରଶ୍ମିତାଙ୍କ ଭାଇ ଦିଲ୍ଲୀପ କୁମାର ନାୟକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ଘରର ଛାତ ପଡ଼ୁଥିବାରୁ ରବିବାର ଭୋଜି ହୋଇଥିଲା । ଭୋଜି ଖାଇ ସାରିବା ପରେ ରାତି ୮ଟାରେ ଭଉଣୀ ଓ ଭିଣୋଇଙ୍କୁ ଆଣି ଦୋକାନରେ ଛାଡ଼ିଥିଲେ । କିନ୍ତୁ, ରାତିରେ କ’ଣ ଏମିତି ହେଲା ଯେ, ସେମାନେ ଆତ୍ମହତ୍ୟା କରିବେ ବୋଲି ରଶ୍ମିତାଙ୍କ ଭାଇ ପ୍ରଶ୍ନ କରିଛନ୍ତି ।