ଭୁବନେଶ୍ୱର,୦୧/୦୯: କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) ପଞ୍ଝାରେ ବି-ଟେକ୍ ଗଞ୍ଜେଇ ମାଫିଆ ଧରାପଡ଼ିଛି । ଚୋରା ଗଞ୍ଜେଇ କାରବାର କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ । ଲାଭ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ଦାମୀ କାର୍ ଚଢ଼ୁଥିଲେ । ରାଜ୍ୟ ବାହାରୁ ସୁନ୍ଦରୀ ତରୁଣୀମାନଙ୍କୁ ଆଣି ରିଲ୍ସ ବନାଉଥିଲେ । ସୋସିଆଲ ମିଡିଆରେ ଧମାଲ କରୁଥିଲେ । ଏଭଳି ଜଣେ ରଙ୍ଗିଲା ବି-ଟେକ୍ ଡିଗ୍ରୀଧାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସ୍ସିୟୁ । ତାଙ୍କ ନାମ ଜିତୁ ଓରଫ ପୁଷ୍ପକ ଶ୍ରୀଚନ୍ଦନ(୨୫) । ଘର ଖୋର୍ଦ୍ଧା ଜଙ୍କିଆ ଥାନା ଅଧୀନ ବଘେଇପୁର । ପୁଷ୍ପକଙ୍କ ସମେତ ତାଙ୍କର ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ଜଙ୍କିଆ ସିକୋର ଲିପୁ ଓରଫ ମିଲନ ନାୟକ(୨୩), ରିଲ୍ସ ମେକର ତଥା ଭିଡିଓ ଏଡିଟର ଯାଜପୁର ବାଲିଚନ୍ଦ୍ରପୁରର ଜମିର ଓରଫ ସେଖ୍ ଜମିରଉଲ୍ଲା(୩୬), ପଶ୍ଚିମବଙ୍ଗ ବୀରଭୁମର ନେକ୍ୱର ଓରଫ ଆଜମିର ସେଖ୍(୨୮) ଏବଂ ପଶ୍ଚିମବଙ୍ଗ ବର୍ଦ୍ଧମାନର ସେଖ୍ ସମିର(୩୯) । ପୁଲିସ ସେମାନଙ୍କ ଠାରୁ ୧୩୦ କିଲୋ ଗଞ୍ଜେଇ, ୨ଟି ଦାମୀ କାର୍ ଓ ୫ଟି ମୋବାଇଲ ଫୋନ୍ ଜବତ କରିଛି ।
ସୁନ୍ଦରୀ ତରୁଣୀଙ୍କୁ ଆଣି ରିଲ୍ସ କରୁଥିଲେ
ପୁଲିସ ତଦନ୍ତରୁ ଜଣା ପଡ଼ିଛି କି, ପୁଷ୍ପକ ଓ ସାଥୀମାନେ ଗଞ୍ଜେଇ କାରବାରରୁ ମୋଟା ଅଙ୍କର ଟଙ୍କା ଲାଭ କରୁଥିଲେ । ଲାଭ ଟଙ୍କାରେ ସେମାନେ ରାଜ୍ୟ ବାହାରୁ ସୁନ୍ଦରୀ ତରୁଣୀମାନଙ୍କୁ ଆଣି ସେମାନଙ୍କ ସହ ରିଲ୍ସ ବନାଉଥିଲେ । ରିଲ୍ସ ମେକର ତଥା ଭିଡିଓ ଏଡିଟର ଯାଜପୁରର ଜମିରଙ୍କର ସୁନ୍ଦରୀ ତରୁଣୀମାନଙ୍କ ସହ ସଂପର୍କ ଥିବାରୁ ସେ ସେମାନଙ୍କୁ ଡକାଇ ରିଲ୍ସ ବନାଉଥିଲେ । ସୋସିଆଲ ମିଡିଆରେ ରିଲ୍ସ ଭାଇରାଲ କରୁଥିଲେ । ସୁନ୍ଦରୀମାନଙ୍କ ସହ ଦାମୀ ହୋଟେଲ ଗୁଡିକୁ ଯାଇ ମଉଜ ମଜଲିସ୍ କରୁଥିଲେ ।
ଗାଡ଼ି ଭଡ଼ା ୧ ଲକ୍ଷ ଟଙ୍କା
ପୁଲିସ ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି କି, ପୁଷ୍ପକ ଓ ସହଯୋଗୀ ଗଞ୍ଜେଇ କାରବାରରେ ଦାମୀ କାର୍ ବ୍ୟବହାର କରୁଥିଲେ । ଧରା ପଡ଼ିଥିବା ଦୁଇ ବଙ୍ଗୀୟ ଯୁବକ ସେମାନଙ୍କ ଠାରୁ ଗଞ୍ଜେଇ ନେଇ କୋଲକାତାକୁ ଚାଲାଣ କରନ୍ତି । ଯଦି ପୁଷ୍ପକ କୋଲକାତାକୁ ନିଜ କାର୍ରେ ଚାଲାଣ କରନ୍ତି, ତେବେ ଭଡ଼ା ବାବଦକୁ ୧ ଲକ୍ଷ ଟଙ୍କା ଦାବି କରନ୍ତି । ଅଧିକ ପରିମାଣର ଗଞ୍ଜେଇ ନେଇ କୋଲକାତାରେ ପହଞ୍ଚାଇଦେଲେ ସେମାନେ ୧ ଲକ୍ଷ ଟଙ୍କା ପାଉଥିଲେ । ସବୁଠାରୁ ବଡ଼ କଥା ହେଉଛି, ଏମାନେ କନ୍ଧମାଳରୁ ଗଞ୍ଜେଇ କିଲୋ ପିଛା ୩ ହଜାର ଟଙ୍କାରେ କିଣି କୋଲକାତା ବେପାରୀଙ୍କୁ କିଲୋ ୧୦ ହଜାର ଟଙ୍କାରେ ଯୋଗାଉଥିଲେ । ଶେଷରେ ପୁଲିସ ହାତରେ ଧରା ପଡ଼ିଗଲେ ।
ଧରାପଡ଼ିଲେ ଏମିତି
ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି, ପୁଷ୍ପକ ଶ୍ରୀଚନ୍ଦନ ବି-ଟେକ୍ ପାସ୍ କରିଛନ୍ତି । ପାଠପଢ଼ା ସରିବା ପରେ ଇଞ୍ଜିନିୟରିଂ ଚାକିରି କରିବା ପରିବର୍ତ୍ତେ ଗଞ୍ଜେଇ ବେପାର କରିବା ପାଇଁ ମନ ବଳାଇଥିଲେ । ସେଥିପାଇଁ ଏକ ଗ୍ରୁପ୍ ଗଢ଼ିଥିଲେ । ଏମାନେ କନ୍ଧମାଳରୁ ଗଞ୍ଜେଇ ଆଣି ପ୍ରଥମେ ଖୋର୍ଦ୍ଧାରେ ଭଡ଼ା ଘରେ ରଖୁଥିଲେ । ସେଠାରୁ ବମିଖାଲରେ ଥିବା ଭଡ଼ା ଘରକୁ ଆଣୁଥିଲେ । ପୁଲିସ ହାତରେ ଧରା ନ ପଡ଼ିବା ପାଇଁ ଦିନ ୨ଟାରୁ ୪ଟା ଭିତରେ ଗଞ୍ଜେଇ ଚାଲାଣ କରୁଥିଲେ । ପରବର୍ତ୍ତୀ ସମୟରେ ସେହି ଗଞ୍ଜେଇକୁ କୋଲକାତା ପଠାଉଥିଲେ । ପଶ୍ଚିମବଙ୍ଗକୁ ୨ଟି ଉପାୟରେ ଗଞ୍ଜେଇ ଚାଲାଣ ହେଉଥିଲା । ପୁଷ୍ପକ ଓ ତାଙ୍କ ସାଥୀମାନେ ସିଧାସଳଖ ଗଞ୍ଜେଇ ନେଇ କୋଲକାତାର ମାଫିଆଙ୍କୁ ଦେଉଥିଲେ । ବେଳେ ବେଳେ କୋଲକାତାର ମାଫିଆମାନେ ଓଡ଼ିଶା ଆସି ଭୁବନେଶ୍ୱରରୁ ଗଞ୍ଜେଇ ଧରି ଯାଉଥିଲେ । ସେମାନଙ୍କୁ ସୁରକ୍ଷା ଦେଇ ନେଉଥିଲେ ପୁଷ୍ପକ ଶ୍ରୀଚନ୍ଦନ ଓ ସାଥୀମାନେ ।
ଗଞ୍ଜେଇ ଚାଲାଣ କରି ଯାହା ଲାଭ କରୁଥିଲେ ସେହି ଟଙ୍କାରେ ପୁଷ୍ପକ ଓ ତାଙ୍କ ସହଯୋଗୀମାନେ ଅୟସ କରୁଥିଲେ । ଏମାନଙ୍କ ଗଞ୍ଜେଇ କାରବାର ବିଷୟରେ ସୂଚନା ପାଇବା ପରେ ସେମାନଙ୍କୁ ଧରିବା ପାଇଁ ଏସ୍ସିୟୁ ଟିମ୍ ଜାଲ ବିଛାଇଥିଲା । ଗତକାଲି ସେମାନେ ୨ଟି ଦାମୀ କାର୍ରେ ଅପରାହ୍ଣ ୩ଟାରେ ଖୋର୍ଦ୍ଧାରୁ ଗଞ୍ଜେଇ ଧରି ବମିଖାଲସ୍ଥିତ ଭଡ଼ା ଘରକୁ ଆସୁଥିଲେ । ଏହି ସୂଚନା ପାଇବା ପରେ ଏସ୍ସିୟୁ ଟିମ୍ ସେମାନଙ୍କ ପିଛା କରିଥିଲା । ବମିଖାଲରେ ଭଡ଼ା ଘରେ ସେମାନେ ପହଞ୍ଚିବାବେଳେ ଟିମ୍ ଚଢ଼ଉ କରି ୫ ଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ୨ଟି ଗଞ୍ଜେଇ ଭର୍ତ୍ତି ଦାମୀ କାର୍, ୫ଟି ମୋବାଇଲ ଫୋନ୍ ଜବତ କରିଥିଲା । କାର୍ ଯାଞ୍ଚ କରିବା ବେଳେ ସେଥିରୁ ୧୩୦ କିଲୋ ଗଞ୍ଜେଇ ମିଳିଥିଲା । ଯାହାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି କମିଶନର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଆଜି ପୁଷ୍ପକଙ୍କ ସମେତ ତାଙ୍କ ୪ ସହଯୋଗୀଙ୍କୁ ଅଦାଲତ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରଗାରକୁ ପଠାଇ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ପୁଷ୍ପକଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ ବୋଲି କମିଶନର ଶ୍ରୀ ପଣ୍ଡା କହିଛନ୍ତି ।