ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜଗତସିଂହପୁରରେ ଟିକେଟ୍ ଘୋଷଣାକୁ ଅପେକ୍ଷା, ବିଜେଡିରେ ବଢ଼ୁଛି ଆଶାୟୀଙ୍କ ରକ୍ତଚାପ

ଜଗତସିଂହପୁର,୨୮/୦୩: ଶାସକ ବିଜେଡି ପକ୍ଷରୁ ଜଗତସିଂହପୁର ଲୋକସଭା ଆସନ ପାଇଁ  ସାଂସଦ ଡ. ରାଜଶ୍ରୀ ମଲିକଙ୍କୁ ପୁଣି ଏଥର ପ୍ରାର୍ଥୀ କରାଯାଇଥିବା ବେଳେ ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କିନ୍ତୁ ଏଯାବତ୍‌ ପ୍ରାର୍ଥୀ ଘୋଷଣା କରାଯାଇନଥିବାରୁ ଅନେକ ଆଶାୟୀ ନେତାଙ୍କ ରକ୍ତଚାପ ବଢ଼ିଯାଇଛି । ପଡ଼ୋଶୀ  କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଆସନ ନିମନ୍ତେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ସାରିଥିବାରୁ ଜଗତସିଂହପୁର ଜିଲ୍ଲା କ୍ଷେତ୍ରରେ ଉପର ମହଲରେ ଘଣ୍ଟାଚକଟା ଚାଲିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି ।  

ଛକାପଞ୍ଝାର ରାଜନୀତି ଭିତରେ ବୁଧବାର ରାଜଧାନୀର ଶଙ୍ଖଭବନରେ ପାରାଦୀପ ନିର୍ବାଚନମଣ୍ଡଳୀର କିଛି ଅସନ୍ତୁଷ୍ଟ ନେତା, କର୍ମୀ  ପହଞ୍ଚି ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ସ୍ୱର ଉଠାଇଥିଲେ ।  ଶଙ୍ଖଭବନରେ  ପାରାଦୀପର ଶ୍ରମିକ ନେତା ବାପି ସର୍ଖେଲ ଉପସ୍ଥିତ ଥିଲେ । ନିକଟରେ ବାପିଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ  ହୋଇଛନ୍ତି । ବାପିଙ୍କୁ ଦେଖି ଶଙ୍ଖଭବନ ଯାଇଥିବା ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଆବାକାବା ହୋଇଯାଇଥିଲେ । ଦଳୀୟ ସଙ୍ଗଠନ ଓ ନିଜ  ଅସନ୍ତୋଷ ସଂପର୍କରେ ଅଧିକ କିଛି ମୁହଁ ଖୋଲି କହିପାରି ନଥିଲେ ବୋଲି ଚର୍ଚ୍ଚା ହେଉଛି । ତଥାପି ବ୍ୟସ୍ତତା ଭିତରେ କିଛି ସମୟ ପାଇଁ ଦଳର ଏହି  ଅସନ୍ତୁଷ୍ଟ ନେତା ଓ କର୍ମୀମାନଙ୍କୁ ଭେଟିଥିଲେ ରାଜ୍ୟ  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ପ୍ରମୁଖ । ତେବେ ଏ ପ୍ରସଙ୍ଗରେ ବିଧାୟକ ଶ୍ରୀ ରାଉତରାୟଙ୍କ ସହ ଆଲୋଚନା କରାଯିବ ଏବଂ ହାଇକମାଣ୍ଡଙ୍କୁ  ଅବଗତ କରାଯିବା ପରେ ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ଉପସ୍ଥିତ ଗୋଷ୍ଠୀଙ୍କୁ କିଛି ନେତା  ପ୍ରତିଶ୍ରୁତି ଦେଇଥିବା ଖବର ମିଳିଛି ।

ଏଣେ ରାଜ୍ୟ ନେତୃବୃନ୍ଦଙ୍କ ଏପରି ରୋକଠୋକ୍‌ ଉତ୍ତର ଶୁଣି କିଛି  ଅସନ୍ତୁଷ୍ଟ ନେତା ଓ କର୍ମୀ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି । କିନ୍ତୁ ବରିଷ୍ଠ ନେତା ଡା. ଦାମୋଦର  ରାଉତଙ୍କ ଏକାଦଶାହ ନଯାଉଣୁ ତାଙ୍କ ପୁଅ ତଥା  ପାରାଦୀପ ବିଧାୟକଙ୍କ ବିରୋଧରେ ଏଭଳି  ମୋର୍ଚ୍ଚା ଖୋଲାଯିବାକୁ ନେଇ ନିର୍ବାଚନମଣ୍ଡଳୀର  ବହୁ ଦଳୀୟ କର୍ମୀ ଓ ନେତା ତୀବ୍ର ଅସନ୍ତୋଷ  ପ୍ରକାଶ କରିଛନ୍ତି । ଏନେଇ ପାରାଦୀପ ବିଧାୟକ ଶ୍ରୀ ରାଉତରାୟ ମଧ୍ୟ ମୁହଁ ଖୋଲି ଶଙ୍ଖଭବନ  ଯାଇଥିବା ବିରୋଧୀ ଗୋଷ୍ଠୀରେ ବିଜେଡି ପରିବର୍ତ୍ତେ  ଅନେକ ବିଜେପି କର୍ମୀ ସାମିଲ ଥିବା କହିଛନ୍ତି ।  

ଅନ୍ୟପଟେ ରାଜ୍ୟର ଅନେକ ଆସନ ପାଇଁ  ଦଳୀୟ ଟିକଟ ଘୋଷଣା ପରଠୁ ଜଗତସିଂହପୁର  ଜିଲ୍ଲା ବିଜେଡି ରାଜନୀତି ପୁଣି ହଲ୍‌ଚଲ୍‌ ସ୍ତରକୁ ଚାଲି  ଆସିଛି । ତିର୍ତ୍ତୋଲ ବିଧାନସଭା ଆସନରେ ନୂଆଁ  ମୁହଁର ସମ୍ଭାବନା ଥିବା ଚର୍ଚ୍ଚା ଆରମ୍ଭ ହୋଇଥିବା  ବେଳେ ବାଲିକୁଦା-ଏରସମା, ଜଗତସିଂହପୁର  ଆସନ ପାଇଁ ସସ୍‌ପେନ୍ସ ଅଧିକ ବଢି଼ଛି । ବିଶେଷକରି  ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଧାୟକ  ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ଭିତରୁ ଜଣଙ୍କୁ ଟିକଟ୍‌ ପ୍ରଦାନ ନେଇ ଉପର ମୁଣ୍ଡରେ କାଗଜଚାଷ ଚାଲିଥିବା  ପ୍ରଚାର କରାଯାଉଛି । ଏମିତିକି ପ୍ରଶାନ୍ତଙ୍କୁ ତାଙ୍କ  ପୂର୍ବ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ଦାନା ବାନ୍ଧିଥିବା ବେଳେ ବିଧାୟକ  ରଘୁନନ୍ଦନ ଦାସଙ୍କ ରାଜନୈତିକ ଭବିଷ୍ୟତ  ଅନିଶ୍ଚିତତା ଦେଇ ଗତି କରୁଥିବା କୁହାଯାଉଛି। ସରଗରମ ରାଜନୀତି ଭିତରେ ପୂର୍ବତନ  ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଏଣ୍ଟ୍ରି ମାରିପାରନ୍ତି । ବିଜେଡି ଟିକଟରେ ସେ ଜଗତସିଂହପୁରରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି ।  

ଅପରପକ୍ଷରେ ଅମରେନ୍ଦ୍ର ସେନା ବିଦ୍ରୋହ  ବି କରିପାରନ୍ତି ବୋଲି ଆଶଙ୍କା କରାଗଲାଣି । ଚର୍ଚ୍ଚା  ଚାଲିଛି କି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ  ଶାରଦା ଜେନାଙ୍କୁ ଦଳର ଟିକଟ ମିଳିପାରେ ।  ମୋନୀଦିପା ସର୍ଖେଲ ମଧ୍ୟ ବାଜି ମାରି ନେଇପାରନ୍ତି ।  ସେହିପରି ପାରାଦୀପ ଆସନରୁ ଇଂ. ପ୍ରମୋଦ  କିଶୋର ଜେନାଙ୍କ ଭଳି ଅନେକ ଆଶାୟୀ ଥିଲେ ସୁଦ୍ଧା  ବିଧାୟକ ସମ୍ବିତଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ  ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିପାରେ । ତିର୍ତ୍ତୋଲରୁ  ବିଜେଡି ଟିକଟ୍‌ ପାଇଁ ଆଶାୟୀ ରହିଛନ୍ତି ଜିଲ୍ଲା  ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପ୍ରଫେସର  ରମାକାନ୍ତ ଭୋଇ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ  ବେହେରା ପ୍ରମୁଖ । ଅବଶିଷ୍ଟ ୩ ନିର୍ବାଚନମଣ୍ଡଳୀ  ପାଇଁ ବିଜେଡି ସୁପ୍ରିମୋ ଶେଷ ମୁହୂର୍ତ୍ତରେ  ହଟଚମଟ ଆଣିପାରନ୍ତି ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.