ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିନେ ବାଣିଜ୍ୟିକ ପେଣ୍ଠସ୍ଥଳୀ ଥିଲା ବାଲିଅନ୍ତା, ଦୟା ଓ କୁଆଖାଇରେ ଲାଗୁଥିଲା ଜାହାଜ...

ଭୁବନେଶ୍ୱର,୧୩/୦୪(ମନୋରଞ୍ଜନ ମହାନ୍ତି): ସମଗ୍ର ବିଶ୍ୱରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ରହିଛି । ତନ୍ମଧ୍ୟରେ ଏକାମ୍ରକ୍ଷେତ୍ର, ମନ୍ଦିର ମାଳିନୀ ତଥା ଆଜିର ସ୍ମାର୍ଟସିଟି ଭୁବନେଶ୍ୱର ଗୁରୁତ୍ୱ ବହନ କରେ ବୋଲି ଐତିହାସିକ ଓ ଗବେଷକମାନେ ମତ ରଖିଛନ୍ତି । ଖ୍ରୀଷ୍ଟପୂର୍ବରୁ ପରିଚିତ ଏହାର ଐତିହ୍ୟ ଦେଶବିଦେଶର ବଣିକମାନଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲା । କେତେ ଯେ ନୌବଣିକ ଏହି ସ୍ଥାନ ପ୍ରତି ଆକୃଷ୍ଟ ହୋଇ ଆସିଛନ୍ତି ତାହା ଇତିହାସ ପୃଷ୍ଠାରେ ରହିଯାଇଛି ।

ଏହାର ଆହୁରି ଅନେକ ପ୍ରମାଣ ରହିଛି । ଯାହା ସୂଚାଇ ଦେଉଛି ଦୟା, କୁଆଖାଇ ନଦୀର ଉପସ୍ଥିତ ଏବଂ ପୋତି ହୋଇଯାଇଥିବା ପ୍ରାଚୀ ନଦୀ । ଏ ବିଷୟରେ ଥରେ ନୁହେଁ, ଅନେକ ଥର କହିଛନ୍ତି ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ । ସେ ବି ଏ କଥାକୁ ବିଭିନ୍ନ ସ୍ଥାନରେ ଉଦାହରଣ ସହ ଉପସ୍ଥାପନ କରିଛନ୍ତି । ଓଡ଼ିଶା ସରକାରଙ୍କ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ୨୦୨୨ ଏପ୍ରିଲ୍‌ ମାସ ସଂଖ୍ୟାରେ ‘ଭୁବନେଶ୍ୱର: ଆନ୍ତର୍ଜାତିକ ଐତିହ୍ୟ ମାନ୍ୟତାର ନଗରୀ’ ଉପରେ ଆଲୋଚିତ ଆଲେଖ୍ୟର ପ୍ରଥମ ପାରାରେ ସେ ଭୁବନେଶ୍ୱରର ନୌବଣିକଙ୍କ କଥା ସୂଚିତ କରିଛନ୍ତି । 

ସେହିପରି ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକାଶିତ ଇଂରାଜୀ ପତ୍ରିକା ‘ଓଡ଼ିଶା ରିଭ୍ୟୁ’ ୨୦୦୭ ସେପ୍ଟେମ୍ବର ମାସ ସଂଖ୍ୟାରେ ‘ଫ୍ରିଡମ୍‌ ମୁଭମେଣ୍ଟ ଇନ୍‌ ଭୁବନେଶ୍ୱର’ ପ୍ରବନ୍ଧରେ ବି ଶ୍ରୀ ତ୍ରିପାଠୀ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ସ୍ୱାଧୀନତାର ବହୁ ପୂର୍ବରୁ ଭୁବନେଶ୍ୱର ସହରର ଉପକଣ୍ଠ ବାଲିଅନ୍ତା ଥିଲା ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ । ବେପାର ଲାଗି ବହୁ ବଡ଼ ବଡ଼ ବୋଟ୍‌ ବା ଜାହାଜ ଲାଗୁଥିଲା । ମାଧ୍ୟମ ଥିଲା କୁଆଖାଇ ଏବଂ ଦୟା । କିଣାବିକା ଓ ବାଣିଜ୍ୟ କାରବାର ସହ ଜଳପଥଟି ପୁରୁଣା ଜଗନ୍ନାଥ ସଡ଼କକୁ ସଂଯୋଗ କରୁଥିଲା । ଯାହାଦ୍ୱାରା ସେ ସମୟରେ ଗମନାଗମନଠୁ ଆରମ୍ଭ କରି ଅନେକ ପ୍ରକାରର ସୁବିଧା, ସୁଯୋଗ ସୃଷ୍ଟି ହେଉଥିଲା । ଏହି ସ୍ଥାନଟି ଜଙ୍କସନ୍‌ରେ ପରିଣତ ହୋଇଥିଲା । କଟକ, ଭୁବନେଶ୍ୱର ଓ ଏହା ଆଖପାଖର ଲୋକ ଏଠି ବହୁମାତ୍ରାରେ ଠୁଳ ହେଉଥିଲେ । କାରଣ ସେତେବେଳେ ବ୍ରିଟିଶ ସରକାରର କଡ଼ା ନଜର ରହିଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କୁ ଖୋଜିବା ଏବଂ ସେମାନଙ୍କ ଉପରେ ନଜର ରଖିବା ମୁଖ୍ୟ କାମ ଥିଲା । ସେଥିଲାଗି ଅଧିକ ସୈନ୍ୟ ଦଳଙ୍କୁ ମୁତୟନ କରାଯାଇଥିଲା । 

ସୂଚନା ଓ ସମାଚାର ପଠାଇବା ସହ ଭାବବିନିମୟ, ଦେଖାସାକ୍ଷାତ ଏବଂ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି ସମସ୍ତେ ଏହି ସ୍ଥାନକୁ ବାଛିଥିଲେ । ସ୍ୱାଧୀନତା ପରେ ଏବଂ ଭୁବନେଶ୍ୱର ରାଜଧାନୀ ଘୋଷଣା ହେବା ପରେ ଏସବୁ ଧୀରେ ଧୀରେ କମିଗଲା । କାଳକ୍ରମେ ବାଣିଜ୍ୟିକ କେନ୍ଦ୍ରସ୍ଥଳୀ ଭାବେ ବାଲିଅନ୍ତାର ଗୁରୁତ୍ୱ ହ୍ରାସ ପାଇଗଲା ।

୨୦୧୮ ମସିହାରେ ପ୍ରକାଶିତ ପତ୍ରିକା ‘ବିଜୟିନୀ’ର ‘ମହାନଗରୀ ମନ୍ଦିରମାଳିନୀ: ଏକାମ୍ର ଭୁବନେଶ୍ୱର’ ସଂଖ୍ୟାରେ ‘ଭୁବନେଶ୍ୱରର ନାମ ଓ ପାରିପାଶ୍ୱିର୍କ ଶକ୍ତି’ ସନ୍ଦର୍ଭରେ ଗବେଷିକା ପ୍ରେରଣା ବିଶ୍ୱାଳ ବି ଏ କଥାକୁ ସ୍ଥାନିତ କରିବାକୁ ଭୁଲିନାହାନ୍ତି । ସେ ଲେଖିଛନ୍ତି, ଏକାଦଶ ଶତାବ୍ଦୀରେ ଉତ୍କଳ ଆଉ ସିଂହଳର ଗମନାଗମନ ରହସ୍ୟମୟ କଥା ନୁହେଁ । ଶୁଣିଲେ ବିସ୍ମିତ ଲାଗେ, ଉତ୍କଳ କାହାଣୀ କେତେ ଲମ୍ବିଛି! ପ୍ରାଚୀ-ମହୋଦଧି-ସିଂହଳ ଜଳପଥରେ ସିଂହଳ ନରେଶ କଳିଙ୍ଗରେ ପଦାର୍ପଣ କରିଛନ୍ତି ଚୁଡ଼ଙ୍ଗଗଡ଼ରେ! ତାଙ୍କ ବୋଇତ ସ୍ୱଚ୍ଛନ୍ଦରେ ପହଞ୍ଚିଥିଲା, କିନ୍ତୁ କେଉଁ ବୋଇତ ବୁଡ଼ି ଯାଇଥିଲା କେଜାଣି, ନୌପରିବହନର ପ୍ରମାଣ ଆଜିର ଏହି ବାରଙ୍ଗ ନିକଟ  ‘ବୋଇତବୁଡ଼ି’ ନାମକ ଗଭୀର ଗଣ୍ଡର ଅବସ୍ଥିତି । ୨ କିମି ବ୍ୟାପ୍ତ ଏହି ଗଡ଼ କେଶରୀ ଓ ଗଙ୍ଗ ସାମ୍ରାଜ୍ୟର ଜୀବନ ନାଟିକା ହୋଇ ରହିଥିଲା । ବହୁ ହ୍ରଦ ଓ ଜଳାଶୟରେ ଭରପୂର ଥିଲା ଏହି ଚୁଡ଼ଙ୍ଗଗଡ଼ ।

ବଡ଼ କଥା ହେଲା³ ଭୁବନେଶ୍ୱର ଦୁଇଟି ପାଶ୍ୱର୍ରେ ଦୁଇଟି ନଦୀ କୁଆଖାଇ ଓ ଦୟା ନଦୀ ରହିଛି । ଗୋଟିଏ ପାଶ୍ୱର୍ର ଦୟାନଦୀ କୂଳରେ ଶିଶୁପାଳଗଡ଼ ଓ ଧଉଳି ଏବଂ ଅନ୍ୟ ପାଶ୍ୱର୍ରେ ଚୁଡ଼ଙ୍ଗଗଡ଼ । ଯେହେତୁ ଗଡ଼ ଥିଲା ଏବଂ ରାଜାରାଜୁଡ଼ା ଶାସନ ଚାଲିଥିଲା ତେଣୁ ନିଶ୍ଚିତ ଭାବେ ଜଳପଥ ଓ ନୌପରିବହନ ସହ ଭୁବନେଶ୍ୱରର ସମ୍ପର୍କ ରହିଥିଲା । ଧଉଳି ପାଦଦେଶ ଦୟାନଦୀ କୂଳରେ ଅଶୋକଙ୍କ ଯୁଦ୍ଧ ଇତିହାସ ମୂକସାକ୍ଷୀ । ସେଠି ବି ଅନେକ କିଛି ଘଟଣାର ମାଧ୍ୟମ ଦୟାନଦୀ ହୋଇଥାଇପାରେ । ଯୁଦ୍ଧର ଆବଶ୍ୟକତା ଦୃଷ୍ଟିରୁ ନୌପରିବହନ ପାଇଁ ଅତୀତରେ ତା’ର ବି ସାହାରା ନିଆ ଯାଇଥାଇପାରେ । ଏତଦ୍‌ ବ୍ୟତୀତ ଅନେକ ସାଧବ ପୁଅ ବି ଏଠୁ ବାହାରକୁ ନୌବାଣିଜ୍ୟ ପାଇଁ ଯାଇଥିବେ ନିଶ୍ଚୟ । ଯାହା ଏକ ଅନାଲୋଚିତ ଅଧ୍ୟାୟ । ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଐତିହାସିକ ଓ ଗବେଷକମାନେ ମତ ରଖିଛନ୍ତି ।   

ଓଡ଼ିଶାର ଜାହାଜଗୁଡ଼ିକର ସର୍ବପ୍ରଥମ ଚିତ୍ର ହେଉଛି ଦୁଇଟି ଜାହାଜକୁ ଦର୍ଶାଉଥିବା ଏକ ମୂର୍ତ୍ତି । ଯାହା ଭୁବନେଶ୍ୱର ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ମିଳିଥିଲା ଏବଂ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ । ପ୍ରଥମ ଜାହାଜର ଆଗ ଭାଗରେ ହାତୀ ଠିଆ ହୋଇଛି, ଦୁଇଜଣ ଲୋକ କେନ୍ଦ୍ରରେ ବସିଛନ୍ତି ଏବଂ ଜାହାଜ ଚଳାଉଥିବା ଦୁଇଜଣ ନାବିକ ପଛରେ ଅଛନ୍ତି । 

ପ୍ରାଚୀ ନଦୀ ଥିଲା ମୁଖ୍ୟ ମାଧ୍ୟମ

ଏ ସମ୍ପର୍କରେ ଆଲୋଚନା କଲେ, କାଳକ୍ରମେ ପୋତି ହୋଇଯାଇଥିବା ପ୍ରାଚୀନଦୀର ଗୁରୁତ୍ୱକୁ ବୁଝିବାକୁ ହେବ । ତା’ ପାଖରେ ଚୁଡ଼ଙ୍ଗଗଡ଼-ସାରଙ୍ଗଗଡ଼ ରାଜାମାନଙ୍କ ଦୁର୍ଗ ଥିଲା । ସେଠାକୁ ନିୟମିତ ରାଜା ଓ ତାଙ୍କ ସୈନ୍ୟସାମନ୍ତ ଯା’ଆସ କରୁଥିଲେ । ସେମାନେ ଏଥିପାଇଁ ଜଳପଥକୁ ବାଛିଥିଲେ । ତେଣୁ ବହୁ ବୋଟ୍‌ ବା ଜାହାଜ ଜଳପଥ ଦେଇକରି ଆସୁଥିଲା । ଜାହାଜ ଆସି ସମୁଦ୍ରରେ ଲାଗୁଥିଲା, ସେଠୁ ସେମାନେ ଛୋଟ ଛୋଟ ବୋଟ୍‌ରେ ଦୁର୍ଗକୁ ଆସୁଥିଲେ । ଅନେକ ବଣିକ ବି ବେପାର ଲାଗି ଆସୁଥିଲେ । ଏଦିଗରୁ କୁହାଯାଇପାରେ ଯେ, ନୌବାଣିଜ୍ୟ ବା ନୌପରିବହନ ଏଠି ଚାଲିଥିଲା । ପଟିଆ ଅଞ୍ଚଳରେ ବି କିଛି ଲୋକକଥା ବା ଢ଼ଗ ରହିଛି, ଯାହା ଏ ସମ୍ପର୍କରେ ସୂଚନା ଦିଏ । ଧୀରେ ଧୀରେ ପ୍ରାଚୀ ନଦୀ ପୋତି ହୋଇଯିବା ସହ ଏ ପରମ୍ପରା ବନ୍ଦ ହେଇଗଲା । କିଛି ଗବେଷକ କୁହନ୍ତି, କଟକ ବାଲିଯାତ୍ରାଟି ଏହି ଚୁଡ଼ଙ୍ଗଗଡ଼ ପାଖାପାଖି ପ୍ରାଚୀ ନଦୀ କୂଳରେ ହିଁ ହେଉଥିଲା । ଯେବେ ପ୍ରାଚୀ ନଦୀ ଓ ଚୁଡ଼ଙ୍ଗଗଡ଼ ଇତିହାସ ହୋଇଗଲା, ସେବେ ନଜରରେ ରହିଲା ବାରବାଟୀ ଦୁର୍ଗ । ଆଉ ପରେ ପରେ ବାଲିଯାତ୍ରା ବି ସେଇ ନିକଟ ମହାନଦୀ କୂଳକୁ ଚାଲିଗଲା । 

                                                                                             -ଲଲାଟେନ୍ଦୁ ଦାସ ମହାପାତ୍ର, ବରିଷ୍ଠ ଗବେଷକ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.