ଭଦ୍ରକ,୦୮/୦୮ : ଲୁଟ୍ ପାଇଁ ଲୁଟେରାଙ୍କ ନୂଆ ଉପାୟ । ପ୍ରଥମେ କୁକୁରଙ୍କୁ ଖାଦ୍ୟରେ ଲିଭୋ ସେଟ୍ରିଜିନ ଦେଲେ । କୁକୁର ଶୋଇବା ପରେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନ ଅଧିନ ଚରମ୍ପା ପଥରଆଡ଼ି ଗ୍ରାମରେ ଘଟିଛି ଏହି ଘଟଣା । ଗାଁର ଜଣେ ବ୍ୟକ୍ତି ମାଆଙ୍କର ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି।
ସାଧାରଣତଃ ମଣିଷଙ୍କୁ ନିଶା ଦେଇ ଲୁଟ୍ କରିବାର ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଥର ଏକ ନୂଆ ଉପାୟରେ ଚୋରି କରିଛନ୍ତି ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ନାୟକାଣି ଡିହି ଅଞ୍ଚଳର ଶରତ କୁମାର ନାୟକ ପଥରଆଡ଼ିରେ ଦୁଇବର୍ଷ ହେବ ରହୁଛନ୍ତି। ନିଜ ମାଙ୍କ ଶୁଦ୍ଧି ପାଇଁ ଶରତ ଗାଁକୁ ଯାଇଥିଲେ । ଘର ମାଲିକଙ୍କ ଅନୁପସ୍ଥିତିରେ ବୁଧବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ପୋଷା କୁକୁରଙ୍କୁ ଖାଦ୍ୟରେ ମେଡିସିନ ଦେଇଥିଲେ। କୁକୁରଗୁଡ଼ିକ ଅଚେତ୍ ହେବା ପରେ ଘରର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ସୁନାଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟିନେଇଥିଲେ। ଏନେଇ ଘର ମାଲିକ ଶରତ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଚରମ୍ପା ଅଞ୍ଚଳରେ ଲଗାତର କିଛିଦିନ ହେବ ଚୋରି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନନେଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।