ପୁରୀ,୦୩/୦୮: ରବିବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି ଅନୁଷ୍ଠିତ ହେବ । ସ୍ନାନପୂର୍ଣ୍ଣମୀରେ ଠାକୁରେ ଅଣସରକୁ ବିଜେ ଅବସରରେ ଏହି ଚିତାକୁ କଢ଼ାଯାଇଥିଲା । ରବିବାର ଅସଲ ରତ୍ନଚିତା ଲାଗି ହେବ । ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ଏଥିପାଇଁ ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା ।
ପ୍ରଥମ ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ପୁଷ୍ପାଳକ ସେବାୟତ ତିନିବାଡ଼ରେ ମଇଲମ କରିବେ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ପୁଷ୍ପାଳକ ସେବକମାନେ ରତ୍ନ ସିଂହାସନରୁ ହାତରେ ବିଜେ କରାଇ ଆଣି ଖଟ ଶେଜରେ ବିଜେ କରିବେ । ସୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ । ଏଥିରେ ଦୁର୍ମୂଲ୍ୟ ପଥର ସବୁ ସ୍ଥାପନ ହୋଇଥିବ । ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଚିତା ଅକ୍ଷତ ରହିବ।