ନୂଆଦିଲ୍ଲୀ,୧୫/୦୪: ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ବିଶ୍ୱ ତାପମାତ୍ରା ଦ୍ରୁତ ଭାବେ ବୃଦ୍ଧି ହେଉଛି । ଏହା ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ଲୋକଙ୍କ ଜୀବନ ଏବଂ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି । ନିର୍ମାଣ, କୃଷି, ମତ୍ସ୍ୟ ଚାଷ, ଜଙ୍ଗଲ ସହ ଅନ୍ୟ କଠିନ ପରିଶ୍ରମ କରୁଥିବା ଶ୍ରମଶକ୍ତି ଉପରେ ଏହାର ନକରାତ୍ମକ ପ୍ରଭାବ ରହୁଛି । ଏହା ଶ୍ରମିକଙ୍କ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପ୍ରତି କ୍ଷତି ପହଞ୍ଚାଉଛି । ଏଥିଯୋଗୁ ଶ୍ରମିକଙ୍କ ଉତ୍ପାଦକତା ବାବଦକୁ ବାର୍ଷିକ ପ୍ରାୟ ୨ ଲକ୍ଷ କୋଟି ଡଲାର କ୍ଷତି ହେଉଥିବା ୱାନ ଆର୍ଥ ଜର୍ଣ୍ଣାଲର ଏକ ଅଧ୍ୟୟନରୁ ଜଣାପଡିଛି ।
ଏହି ଅଞ୍ଚଳରେ ତାପମାତ୍ରା ଅତିରିକ୍ତ ୧% ବୃଦ୍ଧିରେ ପ୍ରାୟ ୮୦ କୋଟି ଲୋକ ସେମାନଙ୍କ ବାର୍ଷିକ କାର୍ଯ୍ୟ ଦିବସର ପ୍ରାୟ ଅଧା ଦିନ କାମ କରିବାକୁ ସକ୍ଷମ ହେବେ ନାହିଁ । ଶ୍ରମିକଙ୍କ ଉତ୍ପାଦକତା ହ୍ରାସ ଏବଂ କାମର ଦିନ କମିଲେ ଏହା ମୋଟାମୋଟି ଭାବେ ସେମାନଙ୍କୁ ସମସ୍ୟାକୁ ଠେଲିଦେବ । ସେମାନେ କଷ୍ଟରେ କାଳାତିପାତ କରିବେ ବୋଲି ସର୍ଭେରେ ଉଲ୍ଲେଖ ରହିଛି । ବିଶ୍ୱର ୬୦ରୁ ୭୦% ଶ୍ରମ ଶକ୍ତି ଅଣ ସଙ୍ଗଠିତ କ୍ଷେତ୍ରରେ ରହିଛନ୍ତି । ସେହିଭଳି ଅଭିବୃଦ୍ଧିଶୀଳ ରାଷ୍ଟ୍ରଗୁଡିକରେ ୧୫ ବର୍ଷରୁ ଉଦ୍ଧ୍ୱର୍ ପ୍ରାୟ ୬୭% ରୁ ୯୦ଧ ଶ୍ରମଶକ୍ତି ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଏହି ସର୍ଭେରେ କୁହାଯାଇଛି ।
ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ମରୁଭୂମି, ସମୁଦ୍ର କୂଳିଆ ଅଞ୍ଚଳ, ହେନ୍ତାଳ ବନ ଏବଂ ଉଷ୍ମ ମଣ୍ଡଳୀୟ ଜଙ୍ଗଲ ଦେଖାଯାଇଥାଏ । ଏସବୁ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆର୍ଥିକ ଦୃଷ୍ଟିକୋଣରୁ ଏତେଟା ସ୍ୱଚ୍ଛଳ ନୁହନ୍ତି । ବାହାରେ କାମ କରୁଥିବା ଶ୍ରମିକଙ୍କ ଅବସ୍ଥାକୁ ନେଇ ହୋଇଥିବା ଏହି ସର୍ଭେରେ ଭାରତ ମଧ୍ୟ ଉଷ୍ଣ ମଣ୍ଡଳୀୟ ଅଞ୍ଚଳ ମଧ୍ୟରେ ରହୁଛି । ପଶ୍ଚିମରେ ଗୁଜରାଟର କଛ ଠାରୁ ପୂର୍ବରେ ମିଜୋରାମ ଯାଏ ଆସୁଛି । ଭାରତ ମଧ୍ୟ ଉତ୍ତାପ ବୃଦ୍ଧି ଯୋଗୁ କ୍ଷତି ସହୁଛି । ଅତ୍ୟଧିକ ଉତ୍ତାପ ଯୋଗୁ ୨୦% କାର୍ଯ୍ୟ ସମୟ କ୍ଷତିଗ୍ରସ୍ତ ହେଉଛି ।
ଉତ୍ତାପ ଅତିରିକ୍ତ ୧% ବୃଦ୍ଧି ହେଲେ ଏକ ତୃତୀୟାଂଶ ବା ୩୩% କାର୍ଯ୍ୟ ସମୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି । ଫଳରେ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ପ୍ରତି ୮ ଜଣରେ ଜଣେ ଲୋକ ଉତ୍ତାପ ବୃଦ୍ଧି ଯୋଗୁ କ୍ଷତି ସାମ୍ନା କରିବେ । ଉତ୍ତାପ ଜନୀତ ଚାପ ଯୋଗୁ ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟକ୍ଷମତା ୧୦% କମିବ । ସେହିଭଳି ତାପମାତ୍ରା ୪୦ ଡିଗ୍ରୀ ରହିଲେ ବା ଅତ୍ୟଧିକ ଗରମରେ କାର୍ଯ୍ୟକ୍ଷମତା ୭୮% ଯାଏ ହ୍ରାସ ହେବାର ଆଶଙ୍କା ରହିଛି ।