ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସଜେଇ ହେଉଛି ସିଏମ୍‌ଓ, ଏବେ ନୂଆ ଚୌକି, ନୂଆ ସୋଫା, ଚକାଚକ୍‌ ସିଲିଂ

ଭୁବନେଶ୍ୱର,୦୭/୦୬: ବଦଳିଲା ସରକାର । ୧୦ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ନୂଆ  ମୁଖ୍ୟମନ୍ତ୍ରୀଙ୍କ ପାଇଁ ସଜେଇ ହେଉଛି ତାଙ୍କ କାର୍ଯ୍ୟାଳୟ । ଜୋର୍‌ସୋର୍‌ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ର ନବୀକରଣ କାର୍ଯ୍ୟ ଚାଲିଛି । ରାତିଦିନ ଏକ୍‌ କରି  ଲାଗି ପଡ଼ିଛି ପୂର୍ତ୍ତ ବିଭାଗ । 

ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ଥିଲେ ନବୀନ ପଟ୍ଟନାୟକ । ୨୦୦୦ରୁ ୨୦୨୪ ଯାଏ  ସେଇ ସମାନ କାଠ ଚୌକିରେ ବସୁଥିଲେ ନବୀନ ।  ଦିନେ ସେଥିରେ ବସୁଥିଲେ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ବିଜୁ ବାବୁ । ସେଇ କାଠ ଚୌକିକୁ ଆଣି ନବୀନ ବସୁଥିଲେ । ଭାଙ୍ଗିଥିଲେ ମଧ୍ୟ ନ ବଦଳାଇ ମରାମତି କରିଥିଲେ କିଛି ବର୍ଷ ତଳେ । ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ ଚୌକି ଆସିଛି ।  

ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକସେବା ଭବନର ତୃତୀୟ ମହଲାରେ ଥିବା ତାଙ୍କ ଚାମ୍ବରକୁ ନୂଆ ରୂପ ଦିଆଯାଉଛି । ଚଟାଣରୁ ଆରମ୍ଭ କରି କାନ୍ଥ ଓ  ଛାତ ସିଲିଂ ସବୁ ଚକାଚକ୍‌ ହେଉଛି । ରଙ୍ଗ କାମ ବି କରାଯାଉଛି । ସିଏମ୍‌ଓରେ ଥିବା କ୍ୟାବିନେଟ ରୁମ୍‌କୁ ବି ନୂଆ ରୂପରେ ସଜା ଯାଉଛି । କନଫରେନ୍ସ ରୁମ୍‌ ପୂରା ହାଇଟେକ ରୂପ ନେଉଛି । ଏଇଠୁ ବସି ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶା ସହ ଯୋଡ଼ି ହେବା ସହ  ଘନଘନ ବୈଠକ କରିବେ । ଚେୟାର, ଟେବୁଲ,  ସୋଫା ସବୁ ବଦଳୁଛି । ନୂଆ ଫର୍ଣ୍ଣିଚର ପହଞ୍ଚିଲାଣି ।  ଟଏଲେଟ ବି ଚକାଚକ୍‌ ହେଉଛି । ଅତିଥିଙ୍କ ବସିବା ପାଇଁ ପୂର୍ବାପେକ୍ଷା ଆହୁରି ପ୍ରଶସ୍ତ ସ୍ଥାନ ସହ  ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି । ନୂଆ ଶୀତତାପ ନିୟନ୍ତ୍ରିତ (ଏସି) ବି ଲଗାଯିବ । 

୨୦୦୦ ମସିହାରେ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ଦାୟିତ୍ୱ ସମ୍ଭାଳିଥିଲେ । ତାଙ୍କ ପୂର୍ବରୁ ଏହି ପଦରେ  ଥିଲେ କଂଗ୍ରେସର ଦିବଂଗତ ନେତା ହେମାନନ୍ଦ ବିଶ୍ୱାଳ ।  ସେତେବେଳେ ନୂଆ କରି ମୁଖ୍ୟମନ୍ତ୍ରୀ ହେବାବେଳେ  ନବୀନ କିଛି ବଦଳାଇ ନଥିଲେ । ଯେମିତି ସିଏମ୍‌ଓ  ଥିଲା, ସେମିତି ରହିଥିଲା । ମାତ୍ର ୧୦ ବର୍ଷ ପରେ  ଯେତେବେଳେ ସିଏମ୍‌ଓ ଛାତରୁ ପଲସ୍ତରା ଖସିବା  ସହ କିଛି ଜାଗାରୁ ପାଣି ଗଳିଲା, ଏହାର ନବୀକରଣ  କାର୍ଯ୍ୟ କରାଯାଇଥିଲା ।  

ଏବେ ନବୀନ ସରକାରର ପତନ ହୋଇଛି । ବିଜେପି ସରକାର ଗଢ଼ିବାକୁ ଯାଉଛି । ନୂଆ ମୁଖ୍ୟମନ୍ତ୍ରୀ ପାଇଁ ସବୁକିଛି ନୂଆ କରାଯାଉଛି । ସିଲିଂ, କାଚ,  ଝରକା, କବାଟ, ଟଏଲେଟ, ବୋର୍ଡ, ଟେବୁଲ, ଚେୟାର ସବୁ ବଦଳୁଛି, ଚକାଚକ୍‌ ହେଉଛି । 

କେବଳ ଦପ୍ତର ନୁହେଁ, ଆଗକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବି ଚକାଚକ୍‌ ହେବ ।  ପୂର୍ବରୁ କଂଗ୍ରେସ ଶାସନ ଅମଳରେ ଯେଉଁଠି ମୁଖ୍ୟମନ୍ତ୍ରୀ ରହୁଥିଲେ, ସେଠାରେ ଏବେ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଛି । ଏହାକୁ ଏବେ ଖାଲି କରାଯାଉଥିବା ଜଣାପଡ଼ୁଛି । ମାତ୍ର କିଛି ନୂଆ କାମ ହାତକୁ ନିଆଯାଇନି । ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ସେ କେଉଁଠି ରହିବାକୁ  ଇଚ୍ଛା ପ୍ରକାଶ କରିବେ, ତା’ପରେ ହିଁ ସରକାରୀ ବାସଭବନକୁ ଚକାଚକ୍‌ କରାଯିବ । ଏମିତିକି ବାସ୍ତୁଶାସ୍ତ୍ରକୁ ଗୁରୁତ୍ୱ ଦେଇ ନୂଆ ମୁଖ୍ୟମନ୍ତ୍ରୀ ନୂଆ ବାସଭବନ ଚୟନ କରିପାରନ୍ତି । ଯେପର୍ଯ୍ୟନ୍ତ ନୂଆ ବାସଭବନ ସ୍ଥିର ହୋଇନଥିବ, ସେପର୍ଯ୍ୟନ୍ତ ରାଜ୍ୟ ଅତିଥି ଭବନରେ ରହିବେ ନୂଆ ମୁଖ୍ୟମନ୍ତ୍ରୀ । 

ଅତିଥି ଭବନର ୩ଟି ଭିଭିଆଇପି ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀଙ୍କ ତତ୍କାଳ ରହଣୀ ପାଇଁ ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି । ସ୍ୱଳ୍ପ ଅବଧି ପାଇଁ ଏଠାରେ  ନୂଆ ମୁଖ୍ୟମନ୍ତ୍ରୀ ରହିପାରନ୍ତି । ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବଳୟ ବି ବଢ଼ିବ ଅତିଥି ଭବନରେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.