ପୁରୀ,୨୦/୧୧: ପୁରୀ ଜିଲ୍ଲାରେ ଅଧିକାଂଶ ପରିବାରର ମୁଖ୍ୟ ଆୟ ନଡ଼ିଆ, ପଇଡ଼ । ଗ୍ରାମାଞ୍ଚଳରେ ନଡ଼ିଆ ଗଛକୁ ରୋଜଗାରିଆ ବଡ଼ପୁଅ କୁହାଯାଏ । ଜିଲ୍ଲା ପ୍ରଶାସନ ଏବେ ଏହାକୁ ହତାଦାର କରୁଥିବା ଅଭିଯୋଗ ହୋଇଛି । ପୁରୀ ସଷ୍ଟେନେବୁଲ୍ ଡେଭଲପମେଣ୍ଟ ପ୍ଲାନ୍ରେ ଅଣଦେଖା କରାଯାଇଛି ।
ଜିଲ୍ଲାରେ ନଡ଼ିଆ ବିପ୍ଲବ ଆଣିବା ନିମନ୍ତେ ପ୍ରଶାସନ ଦାୟିତ୍ୱହୀନ ମନୋଭାବ ଦେଖାଉଛି । ପୁରୀ ସଷ୍ଟେନେବୁଲ୍ ଡେଭଲପମେଣ୍ଟ ପ୍ଲାନ୍ରେ ପଇଡ଼ ପାଣି ବଟଲିଂ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି । ହେଲେ ଏସବୁ ଫାଇଲ୍ ତଳେ ଚାପି ହୋଇଯାଇଛି । କାର୍ଯ୍ୟକାରୀ କରିବାକୁ କାହାରି ଆନ୍ତରିକତା ନାହିଁ । ସମସ୍ତେ ଚୁପ୍ ହୋଇ ବସି ପଡ଼ିଛନ୍ତି । ଯାହାକୁ ନେଇ ନଡ଼ିଆ ଚାଷୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏନେଇ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ମଞ୍ଜୁଲତା ତ୍ରିପାଠୀ କହିଛନ୍ତି, ଏପର୍ଯ୍ୟନ୍ତ ଏଭଳି ପ୍ଲାଣ୍ଟ ସ୍ଥାପନ ନେଇ ସେପରି କିଛି ପଦକ୍ଷେପ ନିଆଯାଇନି । କେବଳ ନଡ଼ିଆ ଚାଷ ନିମନ୍ତେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି । ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଚାଷୀ ଆବେଦନ କଲେ ୫୦ ଡିସିମିଲି ଜମିରେ ନଡ଼ିଆ ଚାଷ କରିବାକୁ ସହାୟତା ରାଶି ପ୍ରଦାନ କରାଯାଉଛି ।
ପୁରୀ ଜିଲ୍ଲାର ସଦରରେ ପ୍ରାୟ ୧୦୮୫ ହେକ୍ଟରରେ ନଡ଼ିଆ ଚାଷ ହେଉଥିବା ବେଳେ ୧୫୬୨ ଜଣ ଚାଷୀ, ବ୍ରହ୍ମଗିରିରେ ୯୫୦ ହେକ୍ଟରରେ ନଡ଼ିଆ ଚାଷ ହେଉଥିବା ବେଳେ ୧୯୪୦ ଜଣ ଚାଷୀ, କୃଷ୍ଣପ୍ରସାଦରେ ୮୧୫ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ୧୨୪୪ ଜଣ ଚାଷୀ, ସତ୍ୟବାଦୀରେ ୧୧୨୫ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ୧୮୦୬ ଜଣ ଚାଷୀ, କଣାସରେ ୪୧୫ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ୯୪୯ ଜଣ ଚାଷୀ, ପିପିଲିରେ ୧୦୫୦ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ୧୧୨୪ ଜଣ ଚାଷୀ, ଡେଲାଙ୍ଗରେ ୭୮୦ ହେକ୍ଟରରେ ନଡ଼ିଆ ଚାଷ ହେଉଥିବା ବେଳେ ୯୮୨ ଜଣ ଚାଷୀ, ନିମାପଡ଼ାରେ ୧୨୮୫ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ୨୦୨୦ ଜଣ ଚାଷୀ, କାକଟପୁରରେ ୬୯୦ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ୧୪୦୬ ଜଣ ଚାଷୀ, ଅସ୍ତରଙ୍ଗରେ ୫୧୦ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ୧୦୫୦ ଜଣ ଚାଷୀ, ଗୋପରେ ୧୩୫୧ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଥିବା ବେଳେ ୨୦୨୪ ଜଣ ଚାଷୀ ସମ୍ପୃକ୍ତ ଥିବା ଜିଲ୍ଲା ପ୍ରଶାସନ ଆକଳନ କରିଛି । ବାସ୍ତବରେ ଆକଳନ ଠାରୁ ଜିଲ୍ଲାରେ ନଡ଼ିଆ ଚାଷୀଙ୍କ ସଂଖ୍ୟା ଢେର ଅଧିକ ।
ସେପଟେ ନଡ଼ିଆ ଓ ପଇଡ଼ ବିକ୍ରି ନିମନ୍ତେ ବଜାର ସୁବିଧା ବିଶେଷ ନାହିଁ । ସାକ୍ଷୀଗୋପାଳ, ସାତଶଙ୍ଖକୁ ବାଦ୍ ଦେଲେ ଜିଲ୍ଲାରେ ଅନ୍ୟ ବ୍ଲକରେ ନଡ଼ିଆ ବିକ୍ରି ନିମନ୍ତେ ସେଭଳି ବଜାର ସୁବିଧା ନାହିଁ । ସ୍ୱତନ୍ତ୍ର ନଡ଼ିଆ ବିକ୍ରି ହାଟ ବସାଇବା କିମ୍ବା ନଡ଼ିଆରୁ ବିଭିନ୍ନ ଖାଦ୍ୟ ପଦାର୍ଥ ତିଆରି ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ପ୍ରଶାସନ ଫୋକସ୍ ଦେଉନି । ସେହିପରି ପଇଡ଼ ବିକ୍ରି ନିମନ୍ତେ କୌଣସି ବଜାର ସୁବିଧା ନାହିଁ । ଗ୍ରାମାଞ୍ଚଳର କିଛି ମୂଲମଜୁରି କରୁଥିବା ଲୋକେ ବିଭିନ୍ନ ଲୋକଙ୍କ ବାଡ଼ିରୁ ପଇଡ଼ ତୋଳିବା ପରେ ଦଲାଲଙ୍କୁ ବିକ୍ରି କରୁଛନ୍ତି । ବଜାର ସୁବିଧା ନଥିବାରୁ ଦଲାଲଙ୍କ ମନ ମୁତାବକ ଦରରେ ସେମାନେ ବିକ୍ରି କରୁଛନ୍ତି । ଏବେ ଜିଲ୍ଲାରେ ଚାଷୀ ବିଭିନ୍ନ ଗ୍ରାମାଞ୍ଚଳର ବ୍ୟବସାୟୀଙ୍କୁ ନଡ଼ିଆ ୧୦ରୁ ୧୪ ଟଙ୍କାରେ ଓ ପଇଡ଼ ୧୦ରୁ ୧୨ ଟଙ୍କାରେ ବିକ୍ରି କରୁଛନ୍ତି । ଗ୍ରାମାଞ୍ଚଳର ବ୍ୟବସାୟୀମାନେ ଏହାକୁ ଦଲାଲଙ୍କୁ ୫ରୁ ୭ ଟଙ୍କା ଲାଭ ରଖି ବିକ୍ରି କରୁଛନ୍ତି । ଯାହା ବିଭିନ୍ନ ଜରିଆରେ ସାଧାରଣ ବଜାରକୁ ବିକ୍ରି ନିମନ୍ତେ ଆସିବା ବେଳକୁ ୨୫ରୁ ୩୫ ଟଙ୍କା ହେଉଛି । ମାତ୍ର ଚାଷୀ ଉପଯୁକ୍ତ ମୂଲ୍ୟ ପାଉନି। ଅଭାବି ବିକ୍ରିର ଶିକାର ହେଉଛି । ଫୋନି ବାତ୍ୟା ପରେ ଜିଲ୍ଲାରେ ନଡ଼ିଆ, ପଇଡ଼ ଉତ୍ପାଦନ ହ୍ରାସ ପାଇଛି । ନଡ଼ିଆ ଚାଷରେ ରୋଗ ପ୍ରାଦୁର୍ଭାବ ମଧ୍ୟ ବଢ଼ିଛି । ହେଲେ ଏହାକୁ ଦମନ କରିବା ଓ ଉତ୍ପାଦନ ବଢ଼ାଇବା ନିମନ୍ତେ ସରକାରୀ ଉଦ୍ୟମ ହେଉନି ।