ନୀଳଗିରି, ୨୦/୧୧ : ବାଡ଼ ବସାକୁ କେନ୍ଦ୍ରକରି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ। ଫାଣ୍ଡି ଆଗରେ ଦମ୍ପତିଙ୍କୁ ଆକ୍ରମଣ। ନୀଳଗିରି ଥାନା ଅଧିନ ଈଶ୍ୱରପୁର ପାଣ୍ଡି ଆଗରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦମ୍ପତି ଗୁରୁତର ହୋଇ ଈଶ୍ୱରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାନୁଯାୟୀ, ନୀଳଗିରି ଥାନା ଅଧିନ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ ଜାଗାକୁ ତାଙ୍କ ପୋଡୋଶୀ ଘେରୁଥିବା ଅଭିଯୋଗ ନେଇ ଉଭୟ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ହେବାରୁ ହରେକୃଷ୍ଣ ଏବଂ ତାଙ୍କ ସ୍ତ୍ରୀ ଈଶ୍ୱରପୁର ଫାଣ୍ଡିକୁ ଅଭିଯୋଗ ଦେବା ପାଇଁ ଯାଇଥିଲେ। ଅଭିଯୋଗ ଦେଇ ଫାଣ୍ଡିରୁ ବାହାରୁଥିବା ବେଳେ ଫାଣ୍ଡି ସମ୍ମୁଖରେ ୧୦ ରୁ ୧୫ ଜଣ ଦୁର୍ବୃତ୍ତ ତାଙ୍କୁ ଠେଙ୍ଗା ଏବଂ ଇଟାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫାଣ୍ଡି ଅଧିକାରୀ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।