ଭୁବନେଶ୍ୱର,୧୦/୦୬: ଏକ ନକଲି ଟ୍ରେଡିଂ ଆପ୍ରେ ଫସିଛନ୍ତି ଜଣେ ବିଲ୍ଡର । ମାତ୍ର ଦୁଇ ଘଣ୍ଟାରେ ତାଙ୍କର ୩୫ ଲକ୍ଷ ଟଙ୍କାକୁ ସାଇବର ଠକ ଗାଏବ୍ କରିଦେଇଛନ୍ତି। ଏ ନେଇ ବିଲ୍ଡର ନାସନାଲ ସାଇବର କ୍ରାଇମ୍ ପୋର୍ଟାଲରେ ଅଭିଯୋଗ କରିବା ସହ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ପ୍ରତ୍ୟୁଷ ପଟ୍ଟନାୟକ ନାମକ ଜଣେ ବିଲ୍ଡର ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିହାଣି ଅଞ୍ଚଳରେ ରହୁଛନ୍ତି । କିଛି ଦିନ ତଳେ ଜଣେ ସାଙ୍ଗ ତାଙ୍କୁ ଟ୍ରେଡିଂରେ ଟଙ୍କା ନିବେଶ କରିବାକୁ ପରାମର୍ଶ ଦେଇଥିଲେ । ଏ ନେଇ କିଛି ନାମୀ ଟ୍ରେଡିଂ ଆପ୍ର ଲିଙ୍କ୍ ମଧ୍ୟ ପଠାଇଥିଲେ । ଏହାସହ ୟୁଟ୍ୟୁବ୍ ଜରିଆରେ କିଛି ଅନ୍ଲାଇନ୍ କ୍ଲାସେସ୍ରୁ ଟ୍ରେଡିଂ ପାଠ ପଢ଼ିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରୀ ପଟ୍ଟନାୟକ ଟ୍ରେଡିଂରେ ଟଙ୍କା ନିବେଶ କରିବାରେ ମାତିଗଲେ ।
କିଛିମାତ୍ରାରେ ସେ ଟଙ୍କା ରୋଜଗାର କଲେ ମଧ୍ୟ । ତେବେ ଗତକାଲି ରାତିରେ ତାଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା ଯେଉଁଥିରେ ଦୁଇ ଗୁଣା ଟଙ୍କା ରୋଜଗାର କରିବାର ଗ୍ୟାରେଣ୍ଟି ବିଜ୍ଞାପନ ଥିଲା । ଉକ୍ତ ମେସେଜ୍ରେ ଥିବା ଏକ ଅଜଣା ଲିଙ୍କ୍ରେ କ୍ଲିକ୍ କରିବା କ୍ଷଣି ଏକ ୱେବ୍ସାଇଟ୍ ଖୋଲିଥିଲା । ୱେବ୍ସାଇଟ୍ରେ ଥିବା ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରିଥିଲେ ଶ୍ରୀ ପଟ୍ଟନାୟକ । ଆର ପଟୁ ସାଇବର ଠକ ଜଣକ ତାଙ୍କୁ ନାନା ପ୍ରଲୋଭନ ଦେଖାଇଥିଲା । କିଛି କ୍ଷଣ ପରେ ସେ ଏକ ଟେଲିଗ୍ରାମ୍ ଗ୍ରୁପ୍ରେ ଆପେ ଯୋଡି ହୋଇଗଲେ ଯେଉଁଥିରେ ପାଖାପାଖି ୩୧୬ ଜଣ ସଦସ୍ୟ ଥିଲେ । ସମସ୍ତଙ୍କୁ ଏକ ଆପ୍ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦିଆଯାଉଥିଲା। କେତେକ ଆଡମିନ୍ ଉକ୍ତ ଗ୍ରୁପ୍ରେ ସମସ୍ତ ସଦସ୍ୟଙ୍କୁ ଟ୍ରେଡିଂରେ ନିବେଶର ତରିକା ଶିଖାଉଥିଲେ ।
ଶ୍ରୀ ପଟ୍ଟନାୟକ ସେମାନଙ୍କ ଠକେଇର ତରିକା ବୁଝିପାରିଲେନି । ଲୋଭର ବଶବର୍ତ୍ତୀ ହୋଇ ଉକ୍ତ ଆପ୍କୁ ଡାଉନ୍ଲୋଡ୍ କରି ଏକ ଆକାଉଣ୍ଟ ଖୋଲିଲେ । ଟେଲିଗ୍ରାମ ଗ୍ରୁପ୍ ଆଡମିନ୍ଙ୍କ ପରାମର୍ଶକ୍ରମେ ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ନିବେଶ କଲେ । ୧୫ ମିନିଟ୍ ଭିତରେ ତାଙ୍କ ଆକାଉଣ୍ଟକୁ ୩ ଲକ୍ଷ ୨୪ ହଜାର ଟଙ୍କା ଫେରସ୍ତ ଆସିଥିଲା । ଏହା ଦେଖି ଶ୍ରୀ ପଟ୍ଟନାୟକ ଅଧିକ ଉତ୍ସାହିତ ହୋଇଗଲେ । ୨ ଘଣ୍ଟା ଭିତରେ ପାଖାପାଖି ୧୨ଟି ସଂସ୍ଥାରେ ୩୩ ଲକ୍ଷ ଟଙ୍କା ନିବେଶ କରିଦେଲେ । ଉକ୍ତ ଆପ୍ରୁ ତାଙ୍କ ଆକାଉଣ୍ଟ ଆପେ ଡିଆକ୍ଟିଭେଟ୍ ହୋଇଗଲା । ଗ୍ରୁପ୍ରୁ କାଢ଼ିଦିଆଗଲା । ପୂର୍ବ ଦେଢ଼ ଲକ୍ଷକୁ ମିଶାଇ ତାଙ୍କର ମୋଟ ଉପରେ ୩୪ ଲକ୍ଷ ୫୦ ହଜାର ଟଙ୍କା କ୍ଷତି ହୋଇଥିବା ଜାଣି ଶ୍ରୀ ପଟ୍ଟନାୟକ ନାସନାଲ ସାଇବର କ୍ରାଇମ୍ ପୋର୍ଟାଲରେ ଅଭିଯୋଗ କରିଛନ୍ତି