ପୁରୀ,୧୦/୦୮: ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣ ମହାରଣାଙ୍କ ଶୁକ୍ରବାର ସକାଳ ସାଢ଼େ ୫ଟା ବେଳେ ପରଲୋକ ଘଟିଛି । ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ୧୪ ବର୍ଷ ବୟସରୁ ପ୍ରତିବର୍ଷ ମହାପ୍ରଭୁଙ୍କ ରଥ ନିର୍ମାଣରେ ଖୋଜା ପଡ଼ନ୍ତି। ତାଙ୍କ ଜୀବନକାଳରେ ସେ ପ୍ରାୟ ୭୦ରୁ ଊଦ୍ଧ୍ୱର୍ ଥର ରଥ ନିର୍ମାଣ ଓ ପ୍ରାୟ ୫ଟି ନବକଳେବର ସମ୍ପନ୍ନ କରିଛନ୍ତି । ତାଙ୍କ ଘର ପୁରୀ ମାର୍କଣ୍ଡେଶ୍ୱର ସାହି ବୁଢ଼ିମା’ ତୋଟା ନିକଟରେ ।
ଶୁକ୍ରବାର ସକାଳେ ସେ ନିଦରୁ ଉଠିବା ପରେ ଶୌଚ ନିମନ୍ତେ ବାଥ୍ରୁମ୍କୁ ଯାଇଥିଲେ । ସେଠାରେ ତାଙ୍କର ଅଚାନକ ହୃଦଘାତ ହୋଇଥିଲା। ସ୍ଥାନୀୟ ସାହିର ଡାକ୍ତରଙ୍କୁ ଡାକି ସ୍ୱାସ୍ଥ୍ୟ ପରୀକ୍ଷା କରିବା ବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ନିଧନ ଜାଣିବା ପରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହୁଥିବା ସମସ୍ତ ସେବାୟତ, ନିର୍ମାଣକାରୀ ଓ ପ୍ରଶାସନିକ ଅଧିକାରୀମାନେ ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗଦ୍ୱାରଠାରେ କୃଷ୍ଣ ମହାରଣାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ବଡପୁଅ ନାରାୟଣ ମହାରଣା ମୁଖାଗ୍ନି ଦେଇଥିଲେ ।
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ୪ ପୁଅ, ୧୨ ନାତି, ୭ ନାତୁଣୀ, ବୋହୂ ଓ ପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କ ନିଧନ ଜାଣିବା ପରେ ଆଜି ଶ୍ରୀମନ୍ଦିର ସିଂହଦ୍ୱାରରେ ରହିଥିବା ରଥକୁ ଖୋଲିବା ପ୍ରକ୍ରିୟାକୁ ସମ୍ପୃକ୍ତ ସେବାୟତମାନେ ସ୍ଥଗିତ ରଖିଥିଲେ । ସମସ୍ତେ ଶୋକ ପ୍ରକାଶ କରି କୃଷ୍ଣ ମହାରଣାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି