କୋଠପଦା,୧୨/୧୧: ଆଜିକାଲି ପ୍ରେମ ବିବାହକୁ କେତେକ କ୍ଷେତ୍ରରେ ପରିବାର ଅନୁମତି ପ୍ରଦାନ କରୁଥିବାବେଳେ ଆଉ କେତେକ କ୍ଷେତ୍ରରେ ଏହାକୁ ନେଇ ମାମଲା ଥାନା, କୋର୍ଟ ପର୍ଯ୍ୟନ୍ତ ଚାଲିଯାଉଛି । ଏହାସତ୍ତେ୍ୱ ଯଦି ଝିଅ ବିବାହ କରୁଛି, ତାର ପରିବାର ତାକୁ ମୃତ ବ୍ୟକ୍ତି ଭଳି ଶୁଦ୍ଧି ହୋଇଯାଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଧୀନ ଉମର ଗ୍ରାମରେ ।
ପୁଲିସ ସୂଚନା ଅନୁଯାୟୀ, ଏହି ଗ୍ରାମର ବିଶ୍ୱଜିତ ମହାପାତ୍ରଙ୍କ ଝିଅ ପାୟଲ (ବର୍ଷା) ନିଜ ଗାଁର ବିଶ୍ୱନାଥ ବେହେରାଙ୍କ ପୁଅ ଆକାଶ ଙ୍କୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା, ମାରପିଟ୍ ହେବା ସହ କଥା ଥାନାକୁ ଯାଇଛି । ଏପରିକି ଏହି ଦୁଇ ପରିବାର ମଧ୍ୟରେ ଏହି ଘଟଣାରେ କୋର୍ଟରେ ୩ଟି ମାମଲା ଏବେ ବିଚାରାଧୀନ ରହିଛି । ଆକାଶ ସାବାଳକ ହୋଇଥିଲେ ମଧ୍ୟ ବର୍ଷା ନାବାଳିକା ହୋଇଥିବାରୁ ସେମାନେ ଏହି ବିବାହ କରିପାରୁନଥିଲେ । ଅନ୍ୟପକ୍ଷରେ ଆକାଶଙ୍କ ନାଁରେ ବର୍ଷାଙ୍କ ପରିବାର ଭଦ୍ରେଶ୍ୱର ଥାନାରେ ଅଭିଯୋଗ କରିବାରୁ ଆକାଶ ଜେଲ୍ ଯାଇଥିଲେ । ଏଣେ ବର୍ଷା ଯେପରି ଆକାଶଙ୍କୁ ଭୁଲିଯିବେ ସେଥିପାଇଁ ବର୍ଷାଙ୍କ ପରିବାର ତାଙ୍କ ଉପରେ ଚାପ ପକାଉଥିଲେ ।
ଆଜକୁ ୧୨ ଦିନ ତଳେ ଆକାଶ ଜାମିନ୍ରେ ଘରକୁ ଆସିଥିବା ବେଳେ ବର୍ଷା ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ଦୁହେଁ ଗ୍ରାମରୁ ପଳାଇଯାଇଥିଲେ । ଏହାପରେ ଝିଅଙ୍କୁ ନ ପାଇ ତାଙ୍କ ପରିବାର ଭଦ୍ରେଶ୍ୱର ଥାନାରେ ତାଙ୍କ ଝିଅ ନିଖୋଜ ହୋଇଯାଇଥିବା ଜଣାଇଥିଲେ । କିନ୍ତୁ ଆଜି ବର୍ଷାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ କହୁଛନ୍ତି କି ସେ ଏବେ ସାବାଳିକା । ତାଙ୍କୁ କେହି ଅପହରଣ କରିନାହାନ୍ତି । ସେ ନିଜ ଇଛାରେ ଆକାଶଙ୍କୁ ବିବାହ କରିଛନ୍ତି । ଯଦି ଆକାଶ, ଆକାଶଙ୍କ ପରିବାର ଓ ତାଙ୍କ(ବର୍ଷା)ର କିଛି କ୍ଷତି ହୁଏ ସେଥିପାଇଁ ବର୍ଷାଙ୍କ ବାପାମା ଓ ଗାଁର କିଛି ଅସାମାଜିକ ବ୍ୟକ୍ତି ଦାୟୀ ରହିବେ । ଏହା ସେ ଭଦ୍ରେଶ୍ୱର ଥାନା ଅଧିକାରୀଙ୍କୁ ଭିଡିଓରେ ଜଣାଇଛନ୍ତି । ଅନ୍ୟପକ୍ଷରେ ଆଜି ବର୍ଷାଙ୍କ ବାପା, ବର୍ଷା ଓ ଆକାଶଙ୍କ ବିବାହର ଫଟୋ ପାଇବା ପରେ ସାହି ଭାଇକୁ ଡାକି ଶୁଦ୍ଧି ହେବା ସହ ଭୋଜିଭାତ ଆୟୋଜନ କରିଥିବା ଦେଖିବାକୁ ମିଳିଛି ।