ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲରେ ଗ୍ୟାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ ଡିସିପି, ଝାରପଡ଼ା ଜେଲ୍‌ରେ ରେଡ୍

ଭୁବନେଶ୍ୱର, ୨୦/୦୩ : ଝାରପଡ଼ା ଜେଲରେ କମିଶନରେଟ୍‌ ପୋଲିସର ରେଡ୍‌। ଜେଲରେ ଗ୍ୟାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍‌ ହୋଇଛି। ଜେଲର ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍‌ ଛାନଭିନ୍‌ କରିଛି। ଚଢାଉ ସମୟରେ ବିଭିନ୍ନ ନିଶାଦ୍ରବ୍ୟ ଜବତ ହୋଇଛି। ଜେଲ୍ ଭିତରୁ ଗଞ୍ଜେଇ, ଗୁଟ୍‌ଖା, ଖଇନି, ବିଡି, ଟୋବାକୋ, ଲାଇଟର୍, ଏବଂ କିଛି ଗୁଟ୍‌ଖା ଜରି ଜବତ ହୋଇଛି। ଏହି ଚଢାଉରେ ୨ ଜଣ ଆଡିସନାଲ ଡିସିପି, ୫ ଜଣ ଏସିପି, ୧୧ ଜଣ ଇନ୍ସପେକ୍ଟର, ୨୨ ଏସଆଇ ଏବଂ ୪ ପ୍ଲାଟୁନ୍ ଫୋର୍ସ ସାମିଲ ଥିଲେ। ଗତକାଲି ଗ୍ୟାଙ୍ଗୱାରରେ ଜଣେ କଏଦୀ ଲହୁଲୁହାଣ ହୋଇଥିବା ଘଟଣାରେ ଏହି ରେଡ୍ ହୋଇଛି। 

ସୂଚନାନୁଯାୟୀ, ଝାରପଡ଼ା ସ୍ପେଶାଲ୍‌ ହାଇ ସିକ୍ୟୁରିଟି ଜେଲ୍‌ରେ ସାଙ୍ଘାତିକ ଘଟଣା ଘଟିଛି। ପୂର୍ବ ବିବାଦ ଓ ନିଶା ବେପାରକୁ କେନ୍ଦ୍ର କରି ଜଣେ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୩ ଜଣ କଏଦୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ କଏଦୀଙ୍କ ଆଖି ଫୁଟିଛି। ଗୁରୁତର କଏଦୀ ଜଣଙ୍କ ହେଲେ ଶମ୍ଭୁନାଥ ବାରିକ। ତାଙ୍କୁ ପ୍ରଥମେ ଜେଲ୍‌ ହସ୍ପିଟାଲ୍‌ ଓ ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ଜେଲ୍‌ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଗତ ୧୭ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ କଏଦୀ ଚକ୍ରଧର ବାରିକ ଓରଫ ଚକରା, ଜଗନ୍ନାଥ ମହାନ୍ତି ଓ ପାପୁନ ମାଝି ଜେଲ କ୍ୟାଣ୍ଟିନରୁ ଆସୁଥିଲେ। ଏହି ସମୟରେ ଶମ୍ଭୁନାଥଙ୍କ ସହ ଧକ୍କା ହୋଇଥିଲା । ସାମାନ୍ୟ କଥାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଉତ୍‌କ୍ଷିପ୍ତ ହୋଇ ୩ ଜଣ କଏଦୀ ଶମ୍ଭୁନାଥଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଶମ୍ଭୁନାଥଙ୍କ ମୁହଁ ଓ ଆଖି ଫାଟି ରକ୍ତାକ୍ତ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଘଟଣା ଜେଲ୍‌ ୱାର୍ଡରଙ୍କ ଉପସ୍ଥିତିରେ ଘଟିଥିଲା । ଶମ୍ଭୁନାଥଙ୍କୁ ଅନ୍ୟ କଏଦୀମାନେ ପ୍ରଥମେ ଜେଲ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନ ସେଠାରେ ରହି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ହେଲା ପରେ ମଙ୍ଗଳବାର ଜେଲ୍‌ ହସ୍ପିଟାଲକୁ ଅଣାଯାଇ ତାଙ୍କର ଚିକିତ୍ସା କରାଯାଉଛି । ଏହି ମାର୍‌ପିଟ୍‌ ପଛରେ ନିଶା କାରବାର ଥିବା ଜଣାପଡିଛି । 

ଜେଲ୍‌ରେ ଅଢ଼େଇ ବର୍ଷରୁ ଅଧିକ ଦିନ ହେବ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଇସାରାରେ ଜେଲ୍‌ରେ ନିଶା କାରବାର କରୁଥିଲା ଚକରା । ଏହା ଶମ୍ଭୁନାଥ ଜାଣିବା ପରେ ଜେଲରଙ୍କୁ ଜଣାଇ ଦେଇଥିଲେ । ଜେଲର ଚଢ଼ଉ କରି ସେ ସବୁ ନିଶା ସାମଗ୍ରୀ ଚକରାଠାରୁ ଜବତ କରିଥିଲେ । ଏଥିପାଇଁ ସେ ଶମ୍ଭୁନାଥଙ୍କୁ ଆକ୍ରମଣ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏନେଇ ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଚକରା ଓ ତାର ଦୁଇ ସହଯୋଗୀଙ୍କ ନାଁରେ ମାମଲାର ତଦନ୍ତ କରୁଛି । ଜେଲ୍‌ କର୍ତ୍ତୃପକ୍ଷ ଚକରାକୁ ଅନ୍ୟ ଜେଲ୍‌କୁ ସ୍ଥାନ୍ତାନ୍ତର କରିବେ ବୋଲି ଜଣାପଡିଛି । ସେପଟେ ଘଟଣା ବିଷୟରେ ଜେଲ୍‌ ଡିଜିଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେଇଛନ୍ତି । 

ତେବେ ଜେଲ୍‌ ଡିଆଇଜି କହିଛନ୍ତି, ମାର୍‌ପିଟ୍‌ ପରେ ଜେଲ୍‌ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ବିଭାଗୀୟ ତଦନ୍ତ ବି ଚାଲିଛି । ଭୁଲ୍‌ ଯାହାର ଥିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ଡିସିପି ପ୍ରତୀକ ସିଂହ କହିଛନ୍ତି, ଚକରାକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା । ତା’ ନାଁରେ ଏକାଧିକ ମାମଲା ରହିଛି । ଜେଲ୍‌ କର୍ତ୍ତୃପକ୍ଷ ଅଭିଯୋଗ କଲା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜେଲ୍‌ ଭିତରକୁ ତଦନ୍ତ କରିବାକୁ ଏକ ଟିମ୍‌ ଯିବ । ସେଥିପାଇଁ ଆମେ କୋର୍ଟଙ୍କୁ ଅନୁମତି ମାଗିବୁ। ଅନୁମତି ମିଳିବା ପରେ ଜେଲ୍‌ ଭିତରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯିବ। ଏହାପରେ ଆଇନ୍‌ ଅନୂସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି। 





















  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.