ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ସେତିକି ସକ୍ରିୟ ହେଉଛନ୍ତି । ଆଉ ଏହି ସମୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି (ରବିବାର) କହିଛନ୍ତି ଯେ, କିଛି ଲୋକ ପାକିସ୍ତାନ ସହ କଥାବାର୍ତ୍ତା ବିଷୟରେ କହୁଛନ୍ତି । ହଁ, ଯଦି ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବନ୍ଦ କରେ, ତେବେ ଭାରତ ଏହା ସହ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି।
ବାନିହାଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରି ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରିବା ଉଚିତ। ପଡୋଶୀ ଦେଶ ସହିତ ସମ୍ପର୍କକୁ ସୁଦୃଢ କରିବାକୁ କିଏ ବା ଇଚ୍ଛା କରିବ ନାହିଁ ? କାରଣ ମୁଁ ବାସ୍ତବତା ଜାଣେ ଯେ ତୁମେ ତୁମର ସାଙ୍ଗକୁ ବଦଳାଇ ପାରିବ, କିନ୍ତୁ ତୁମର ପଡ଼ୋଶୀକୁ ନୁହେଁ ।
ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମେ ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ ପ୍ରଥମେ ସେମାନଙ୍କୁ ଆତଙ୍କବାଦ ବନ୍ଦ କରିବାକୁ ପଡ଼ିବ । ଯେତେବେଳେ ଜାମ୍ମୁ କାଶ୍ମୀରରେ ପାକିସ୍ତାନ ଆତଙ୍କବାଦକୁ ପ୍ରାୟୋଜିତ କରିବା ବନ୍ଦ କରିବ, ସେତେବେଳେ ଭାରତ ଏହା ସହ ଆଲୋଚନା ଆରମ୍ଭ କରିବ ।
ତେବେ ବର୍ତମାନ ସମୟରେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ରାଜନାଥ ସିଂ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦର ଶିକାର ହୋଇଥିବା ୮୫ % ଲୋକ ମୁସଲମାନ । କାଶ୍ମୀରରେ ଆତଙ୍କବାଦୀ ଘଟଣା ସାଧାରଣ ଥିଲା । ଆତଙ୍କବାଦୀ ଘଟଣାରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଥିଲା କି ? ମୁଁ ଗୃହମନ୍ତ୍ରୀ ଥିଲି ଏବଂ ମୁଁ ଜାଣେ ଯେ ଆତଙ୍କବାଦୀ ଘଟଣାରେ ମୁସଲମାନମାନେ ସର୍ବାଧିକ ଜୀବନ ହରାଇଛନ୍ତି ।