ନୂଆଦିଲ୍ଲୀ: ଦିଲ୍ଲୀରେ ଦୁର୍ନୀତିର ଆଉ ଏକ ନୂଆ ମାମଲା ଏବେ ସାମ୍ନାକୁ ଆସିଛି । ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ନରେଶ କୁମାର ଏବଂ ତାଙ୍କ ପୁଅ କରଣ ଚୌହାନଙ୍ର ଉପରେ ଦୁର୍ନୀତି ଅଭିଯୋଗ ଆସିଛି । ଅଭିଯୋଗ ହୋଇଛି ଯେ, ଦ୍ୱାରକା ଏକ୍ସପ୍ରେସ ୱେ ପାଇଁ NHAI ଦ୍ୱାରା ଜମି ଅଧିଗ୍ରହଣରେ ଦୁର୍ନୀତି ହୋଇଛି । ତାଙ୍କ ପୁଅଙ୍କ କମ୍ପାନୀକୁ ୩୧୫ କୋଟି ଟଙ୍କାର ଲାଭ ପ୍ରଦାନ କରିଥିବା ନେଇ ମୁଖ୍ୟ ସଚିବଙ୍କ ଉପରେ ଅଭିଯୋଗ ହୋଇଛି । ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସକ୍ରିୟ ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲ ଏହି ଅଭିଯୋଗକୁ ଭିଜିଲାନ୍ସ ମନ୍ତ୍ରୀଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀର ମୁଖ୍ୟ ସଚିବ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏଥି ସହ ଦିଲ୍ଲୀର ଅନେକ ମନ୍ତ୍ରୀ ମୁଖ୍ୟ ସଚିବଙ୍କ ବିରୋଧରେ ଟ୍ୱିଟ୍ କରିଛନ୍ତି ।
ବାସ୍ତବରେ, ଅଭିଯୋଗ ହୋଇଛି ଯେ, ମୁଖ୍ୟ ଶାସନ ସଚିବ ଦ୍ୱାରକା ଏକ୍ସପ୍ରେସ ୱେରେ ଜମି ଅଧିଗ୍ରହଣକୁ ପରିଚାଳନା କରି ତାଙ୍କ ପୁଅର କମ୍ପାନୀକୁ ୩୧୫ କୋଟି ଟଙ୍କା ଲାଭ ଦେଇଛନ୍ତି । ଅଭିଯୋଗରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଦ୍ୱାରକା ଏକ୍ସପ୍ରେସୱେ ପାଇଁ ଜମି ଅଧିଗ୍ରହଣ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିକୁ ମୁଖ୍ୟ ଶାସନ ସଚିବ ନରେଶ କୁମାର ପରିଚାଳନା କରିଥିଲେ । ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ଜମି ଅଧିଗ୍ରହଣ ପାଇଁ କମିଟି ତାଙ୍କ ପୁଅର କମ୍ପାନୀକୁ ଅଯଥା ସୁବିଧା ଦେଇଛି । ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ମୁଖ୍ୟ ଶାସନ ସଚିବ ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣରେ ତାଙ୍କ ପୁଅର କମ୍ପାନୀକୁ ମଧ୍ୟ ସାମିଲ କରିଛନ୍ତି । ବର୍ତ୍ତମାନ କେଜ୍ରିୱାଲ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।