ନୂଆଦିଲ୍ଲୀ : ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ବଡ଼ ଝଟକା ଲାଗିଛି। ସିବିଆଇ କେସ୍ରେ ଗିରଫଦାରୀ ବିରୁଦ୍ଧରେ ଏବଂ ଏହି କେସ୍ରେ ଜାମିନ୍ ପାଇଁ ଦାଏର ତାଙ୍କର ପିଟିସନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ହେଲେ କୋର୍ଟ ତାଙ୍କୁ ଜାମିନ୍ ପିଟିସନ ଦାଏର କରିବାକୁ ଟ୍ରାଏଲ କୋର୍ଟ ଯିବାକୁ ଅନୁମତି ଦେଇଛନ୍ତି।
ବିଚାରପତି ନୀନା ବନ୍ସଲ କୃଷ୍ଣାଙ୍କ ବେଞ୍ଚ କହିଛନ୍ତି , କେଜ୍ରିୱାଲଙ୍କ ଗିରଫ ଅବୈଧ ନୁହେଁ ଏବଂ ଏହା କୁହାଯାଇ ପାରିବ ନାହିଁ ଯେ, ସିବିଆଇ ତାଙ୍କୁ ବିନା କୌଣସି କାରଣରେ ଗିରଫ କରିଛି। କେଜ୍ରିୱାଲଙ୍କୁ ସିବିଆଇ ୨୬ ଜୁନ୍ରେ ଇଡିର ହେପାଜତରେ ରହିଥିବା ବେଳେ ଗିରଫ କରି ଥିଲା। ହେଲେ ସୁପ୍ରିମକୋର୍ଟ ମନି ଲଣ୍ଡରିଂ କେସ୍ରେ ତାଙ୍କୁ ଅନ୍ତରୀଣ ଜାମିନ୍ ଦେଇଛି। ସିବିଆଇ କେସ୍ରେ ନିଜର ଗିରଫଦାରୀ ଓ ରିମାଣ୍ଡରେ ପଠାଇବାର ତଳକୋର୍ଟର ନିଷ୍ପତ୍ତିକୁ କେଜ୍ରିୱାଲ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ।
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକଙ୍କୁ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ କେସ୍ରେ ୨୧ ମାର୍ଚ୍ଚରେ ଗିରଫ କରାଯାଇ ଥିଲା। ଲୋକସଭା ନିର୍ବାଚନ ବେଳେ ସୁପ୍ରିମକୋର୍ଟ ତାଙ୍କୁ ୨୧ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରି ଥିଲେ। ଇଡି ଓ ସିବିଆଇ କେଜ୍ରିୱାଲଙ୍କୁ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ ଭାବେ କହିଥିଲେ। ହେଲେ ଆମ୍ ଆଦମୀ ପାର୍ଟି ଏହି ଅଭିଯୋଗକୁ ଖାରଜ କରି ଆସିଛି। ଆମ୍ ଆଦମୀ ପାର୍ଟିର କହିବାନୁସାରେ , ଦିଲ୍ଲୀ ସରକାରକୁ ଅସ୍ଥିର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କୁ ମିଛ କେସ୍ରେ ଫସାଇ ଦିଆଯାଇଛି।
ସିବିଆଇର ଦାବି ଯେ, ଆର୍ଥିକ ୨୦୨୧-୨୨ମସିହାର ଅବକାରୀ ନୀତିରେ ଭୁଲ୍ ଉପାୟରେ ପରିବର୍ତ୍ତନ କରାଯାଇଛି। ଏଥିରେ ଏମିତି ପ୍ରାବଧାନ କରାଯାଇଥିଲା, ଯେଉଁଥିରେ ମଦ ବ୍ୟବସାୟୀଙ୍କୁ ଅଧିକ ଫାଇଦା ମିଳିଥିଲା ଏବଂ ଏହାର ବଦଳରେ ତାଙ୍କ ଠାରୁ ଲାଞ୍ଚ ବି ନିଆଗଲା। କେଜ୍ରିୱାଲଙ୍କ ବ୍ୟତୀତ ଏହି ମାମଲାରେ ତାଙ୍କର ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଅଭିଯୋଗ ହୋଇଛି ଯେ, ଲାଞ୍ଚର ଅର୍ଥକୁ ଗୋଆ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ବ୍ୟବହାର କରାଯାଇ ଥିଲା।
ଉଲ୍ଲେଖନୀୟ ଯେ, ଉକ୍ତ କେସ୍ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ୧୭ ମାସ ହେବ ଜେଲ୍ରେ ଅଛନ୍ତି। ସେ ଜାମିନ୍ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ତାଙ୍କ ବ୍ୟତୀତ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡ଼ିଥିଲା।