କେନ୍ଦୁଝର ସଦର, ୧।୯: ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ପାରାଦୀପଠାରୁ ଭାୟା ଯାଜପୁର ରୋଡ୍ ଦେଇ ଟ୍ରେନ୍ ନମ୍ବର ୦୮୪୦୫ ଓ ୦୮୪୦୬ ଚଳାଚଳ କରୁଛି । ଏହି ଟ୍ରେନ୍ ସକାଳ ୫ଟା ୩୦ରେ ପାରାଦୀପ ଛାଡ଼ି ୧୧ଟା ୨୫ରେ କେନ୍ଦୁଝର ଗଡ଼ରେ ପହଞ୍ଚୁଛି । ଏହାପରେ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ କେନ୍ଦୁଝର ଗଡ଼ରେ ରହଣି ପରେ ପୁଣି ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ପାରାଦୀପ ଅଭିମୁଖେ ଯାତ୍ରା ଆରମ୍ଭ କରିଥାଏ ।
ଯୋଡ଼ା, ବଡ଼ବିଲ, ବଲାଣି, ବାମେବାରୀ, ଜୋରଲି ଓ ବାଂଶପାଣି ଅଞ୍ଚଳର ବହୁସଂଖ୍ୟକ ଲୋକେ ପାରାଦ୍ୱୀପ ବନ୍ଦର ସହରରେ କାମ କରୁଥିବା ବେଳେ ଲୁହାପଥର ପରିବହନରେ ବ୍ୟବହୃତ ଯାନବାହାନ ଖରାପ ହେଲେ ପାରାଦୀପ ଯାଇଥାନ୍ତି । ମାତ୍ର ବାଂଶପାଣି ଅଞ୍ଚଳରୁ ପାରାଦୀପ ଅଭିମୁଖେ କୌଣସି ଟ୍ରେନ୍ ସେବା ନ ଥିବାରୁ ଲୋକମାନେ ବସ୍ରେ ଯିବାକୁ ବାଧ୍ୟ ହେଉଛନ୍ତି । ଏଥି ସହିତ ଲୋକଙ୍କ ଅଧିକ ଅର୍ଥ ବ୍ୟୟ ମଧ୍ୟ ହେଉଛି । ସମସ୍ୟାର ସମାଧାନ ପାଇଁ ଦାବି କରିଛି ଯୁବ ଓ ଶ୍ରମ ବିକାଶ ମଞ୍ଚ । ପାରାଦ୍ୱୀପ କେନ୍ଦୁଝର ମେମୁ ଟ୍ରେନକୁ ବାଂଶପାଣି ପର୍ଯ୍ୟନ୍ତ ଚଳାଇ ସେଠାରୁ ପୁଣି ପାରାଦୀପ ଆଭିମୁଖେ ଯାତ୍ରା ଆରମ୍ଭ କରି ଲୋକଙ୍କୁ ଉପଯୁକ୍ତ ରେଳ ସେବା ଯୋଗାଇ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ରଞ୍ଜନ କୁମାର ବେହେରା, ଉପସଭାପତି ସୁରେଶ ଚନ୍ଦ୍ର ପଲେଇଙ୍କ ସମେତ କେନ୍ଦୁଝର ବାସୀ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି ।