ପ୍ରମୁଖ ଖବର
  • ଓଡ଼ିଶା​‌ରେ ପହଞ୍ଚିଲେ ଅମିତ୍‌ ଶାହ, କରିବେ ମାରାଥନ୍ ପ୍ରଚାର
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ତୁମେ ହିଁ ବିନ୍ଧାଣି ତୁମ ଜୀବନ ମନ୍ଦିରର

ଭୁବନେଶ୍ୱର: ଜନ୍ମ ସହ ଜୀବନ ଆସିନଥାଏ । ଜୀବିତ ରହିବା ଏବଂ ଜୀବନ ଏ ଦୁଇଟା ପୂରାପୂରି ଅଲଗା କଥା । ବଡ଼ ଗହନ କଥା । ପ୍ରତ୍ୟେକ ଜନ୍ମିଥିବା ମଣିଷର ଯେ ଜୀବନ ଅଛି ଏପରି ଭାବିବା ଠିକ୍‌ ନୁହେଁ । ପ୍ରତି ମୁହୂର୍ତ୍ତରେ ମଣିଷକୁ ଜୀବନ ଗଢ଼ିବାକୁ ପଡ଼ିଥାଏ । ଜୀବନ ଗଢ଼ି ତୋଳିବା ଜିଇଁଥିବା ସମୟରେ ଏକ ସ୍ୱାଭାବିକ ଧାରା । ତେବେ ପ୍ରତ୍ୟେକ ମଣିଷର ମାନସିକତାକୁ ନେଇ ତାର ଜୀବନ । ତେଣିକି ତାହା ସୁଖପ୍ରଦ ହୋଇପାରେ ଅବା ଦୁଃଖପୂର୍ଣ୍ଣ ହୋଇପାରେ । ନିଜ ଜୀବନ କିଭଳି ହେବ ତାହା ବ୍ୟକ୍ତିର ନିଜସ୍ୱ ଚିନ୍ତାଧାରା, କାମନା ବାସନା ତଥା ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ । ତେବେ ପ୍ରତ୍ୟେକ ଅନୁକୂଳ ଏବଂ ପ୍ରତିକୂଳ ଅବସ୍ଥାରେ ମଧ୍ୟ ଏ ଜୀବନକୁ ଉପଭୋଗ କରାଯାଇପାରେ । ଏ ଜୀବନ ହେଉଛି କେବଳ ମାତ୍ର ଆନନ୍ଦମୟ । ଆନନ୍ଦ ହିଁ ଆନନ୍ଦ । ଜୀବନକୁ ପ୍ରତିଟି ସ୍ତରରେ, ପ୍ରତି ମୁହୂର୍ତ୍ତରେ ଏକ ଉତ୍ସବ ଭାବରେ ଗ୍ରହଣ କରାଯାଇପାରିବ । ଯେହେତୁ ଏ ଜୀବନ ହେଉଛି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସଙ୍ଗୀତମୟ, ଜୀବନ ଉତ୍ସବକୁ ଉପଭୋଗ କରିବା ପାଇଁ, ଏହାର ସଙ୍ଗୀତକୁ ଶୁଣିବା ପାଇଁ ମଣିଷ ନିଜକୁ ମାନସିକ ସ୍ତରରେ ତିଆରି କରିପାରିବା ହିଁ ବଡ଼ କଥା । ଯେ ପାରିଛି ତା’ ପାଇଁ ଏ ଜୀବନ ମହାର୍ଘ । ସୁଖ, ଆନନ୍ଦମୟ । 

କୌଣସି ଏକ ରାଜ୍ୟରେ ସୁନ୍ଦର ମନ୍ଦିରଟିଏ ନିର୍ମାଣ ହେଉଥିଲା । ଶହ ଶହ ମଜ୍‌ଦୁର ସେହି କାର୍ଯ୍ୟରେ ଲାଗିଥିଲେ । ମନ୍ଦିର ତୋଳା କଥା । କିଛି ସହଜ କାମ ନଥିଲା । ପ୍ରତି ମୁହୂର୍ତ୍ତରେ ନୂଆ ପଥର ଭଙ୍ଗା ହେଉଥିଲା । ନୂଆ ନୂଆ ମୂର୍ତ୍ତିମାନ ଗଢ଼ା ହେବାରେ ଲାଗିଥାଏ । ଜଣେ ସାଧୁ ସେହି ପଥ ଦେଇ ଯାଉଥିଲେ । ସେ ଜଣେ ପଥର ଖୋଦେଇ ଶ୍ରମିକକୁ ପଚାରିଲେ- ଆରେ ଭାଇ, ତୁମେ କ’ଣ କରୁଛ? ପ୍ରଶ୍ନ ଶୁଣି ସେହି ମଜଦୁର ପ୍ରଚଣ୍ଡ କ୍ରୋଧଭରା ତାର ଚକ୍ଷୁ ଦୁଇଟିକୁ ଉପରକୁ ଉଠାଇ ସାଧୁଙ୍କ ମୁହଁକୁ ଚାହିଁଲା ଏବଂ ବଡ଼ ରାଗ ତମତମ ସ୍ୱରରେ କହିଲା- ତୁ ଅନ୍ଧ ନା କ’ଣ? ମୁଁ କ’ଣ କରୁଛି ତୋତେ କ’ଣ କିଛି ଜଣାପଡ଼ୁ ନାହିଁ? ସେଥିରେ ପୁଣି ମୋତେ ପଚାରୁଛୁ ମୁଁ କ’ଣ କରୁଛି? ଆରେ କଣା, ମୁଁ ପଥର ଖୋଳୁଛି । ଖୁବ୍‌ କ୍ରୋଧରେ ଏତକ କହିଦେଇ ସେ ଲାଗିଗଲା ତା’ କାମରେ । ସାଧୁଙ୍କୁ ଜଣାପଡ଼ିଲା ସତେ ଯେପରି ସେହି ମଣିଷଟି ମନ୍ଦିର ତିଆରିରେ ପଥର ଖୋଳୁନଥିଲା³ ବରଂ ସେ ତା’ ନିଜ ଉପରେ, ନିଜ ଜୀବନ ଉପରେ ପ୍ରତିଶୋଧ ନେଉଥିଲା ।

ସାଧୁ ସାମାନ୍ୟ ଆଗକୁ ମାଡ଼ିଗଲେ । ଆଉ ଅନ୍ୟ ଜଣେ ମଜ୍‌ଦୁରକୁ ସେହି ଏକା ପ୍ରଶ୍ନ ପଚାରିଲେ । ସେହି ଶ୍ରମିକଟି ମଧ୍ୟ ପଥର ଭାଙ୍ଗୁଥିଲା । ସାଧୁ ପଚାରିଲେ- ଆରେ ଭାଇ, କଅଣ କରୁଛ ଏଠାରେ? ପ୍ରଶ୍ନ ଶୁଣି ଶ୍ରମିକଟି ଆଖି ତଳୁ ଉପରକୁ ଉଠାଇଲା । ବଡ଼ ଉଦାସ, ବିଷାଦଗ୍ରସ୍ତ ମୁହଁରେ ସାଧୁଙ୍କୁ ଚାହିଁ ଉତ୍ତର ଦେଲା - ମିତ୍ର, ଆଉ କଅଣ କରିବି? ନିଜ ପିଲାମାନଙ୍କ ପାଇଁ ରୁଟି ସଂଗ୍ରହରେ ଲାଗିଯାଇଛି । ମାତ୍ର ଏହି ପଦକ କହି ସେ ପୁନରାୟ ପଥର ଖୋଦେଇରେ ଲାଗିଗଲା । ଏହି ଦ୍ୱିତୀୟ ଶ୍ରମିକର ଆଚରଣରୁ ଲାଗୁଥିଲା ସତେ ଯେପରି ତା’ ଜୀବନରେ ଆନନ୍ଦ, ରସ ବୋଲି କିଛି ଜିନିଷ ହିଁ ନାହିଁ । ଜୀବନରେ କୌଣସି ସଙ୍ଗୀତ, ସୌନ୍ଦର୍ଯ୍ୟ ନାହିଁ । ସୁଖ ମଧ୍ୟ ନାହିଁ । କେବଳ ମାତ୍ର ଦୁଃଖ ହିଁ ଦୁଃଖ । ଜୀବନ ସତେ ଯେପରି ତା’ପାଇଁ ଥିଲା ଏକ ବୋଝ ସଦୃଶ, ଯାହାକୁ ସମଗ୍ର ଜୀବନ କେବଳ ବୋହି ବୋହି ଶେଷ ହୋଇଯିବା ହିଁ ଏକମାତ୍ର ସତ୍ୟ, ସାରକଥା ଥିଲା ତା’ପାଇଁ । ଯାହା କବଳରୁ ସତେ ଯେପରି ମୁକ୍ତି ନଥିଲା । ଆଉ ବଡ଼ ଅସହାୟତାରେ ସେହି ଶ୍ରମିକଟି ସେହି କାର୍ଯ୍ୟରେ ଲାଗିଥିଲା ।

ସାଧୁ ସେଠାରୁ ଆଉ ଟିକିଏ ଆଗକୁ ଗଲେ । ତୃତୀୟ ଶ୍ରମିକ ପାଖରେ ପହଞ୍ଚିଲେ । ସେ ମଧ୍ୟ ମନ୍ଦିର ନିର୍ମାଣରେ ନିୟୋଜିତ ହୋଇଥିଲା । ପଥର ଖୋଳୁଥିଲା । ହେଲେ ସେ ପଥର ଖୋଳୁଥିଲା, ଏଣେ ଗୀତ ଗାଉଥାଏ । ଗୁଣୁ ଗୁଣୁ ହୋଇ ସଙ୍ଗୀତର ଲହରୀ ତା’ କଣ୍ଠରୁ ବାହାରି ପବନରେ ଏକ ଆନନ୍ଦର, ଖୁସିର ହିଲ୍ଲୋଳ ସୃଷ୍ଟି କରୁଥାଏ । ଖୁବ୍‌ ଆନନ୍ଦରେ, ମସ୍ତିରେ ଥିବା ଭଳି ଲାଗୁଥାଏ ଶ୍ରମିକଟି । ତା’ ଆଖିରୁ ଏକପ୍ରକାର ଚମକ ବାହାରୁଥାଏ । ଲାଗୁଥାଏ କୌଣସି ଏକ ସୁଗନ୍ଧରେ ଭରି ଉଠୁଥାଏ ତାର ଦେହ, ମନ, ପ୍ରାଣ । ସତେ ଯେପରି ଆନନ୍ଦରେ ସେ ନୃତ୍ୟରତ । ସାଧୁ ଯାଇ ତାକୁ ମଧ୍ୟ ପଚାରିଲେ- ଆରେ ଭାଇ, ତୁମେ ଏଠାରେ କଅଣ କରୁଛ? ହସ ହସ ମୁହଁରେ ସେହି ଶ୍ରମିକଟି ତା’ ଆଖି ଉପରକୁ ଉଠାଇଲା ଏବଂ ସାଧୁଙ୍କୁ ଚାହିଁ କହିଲା- ଭଗବାନଙ୍କ ମନ୍ଦିର ତିଆରି କରୁଛି ।

ସେ ଥିଲେ ତିନି ଜଣ ଶ୍ରମିକ । ତିନିଜଣଯାକ ପଥର ଖୋଳୁଥିଲେ । ସେ ତିନିଜଣ ଗୋଟିଏ କାମ ହିଁ କରୁଥିଲେ । କିନ୍ତୁ ପ୍ରତ୍ୟେକଙ୍କର ଦେଖିବାର ଦୃଷ୍ଟିଭଙ୍ଗୀ ଥିଲା ଭିନ୍ନ ପ୍ରକାରର । ଜଣେ କ୍ରୋଧ, ଦୁଃଖ, ପୀଡ଼ାରେ । ଜଣେ ବୋଝ, ଉଦାସୀନତାରେ, ବିଷାଦରେ । ଆଉ ଜଣେ ଆନନ୍ଦରେ, ସୁଗନ୍ଧରେ, ସମର୍ପଣରେ । ଜଣେ କେବଳ ମାତ୍ର ପଥର ଖୋଳୁଥିଲା, ଅନ୍ୟ ଜଣକ ଦୈନନ୍ଦିନ ଜୀବନରେ ପେଟ ପାଇଁ ରୁଟି ପାଣି ସଂଗ୍ରହ କରୁଥିଲା । ଶେଷ ଜଣକ ପ୍ରଭୁଙ୍କ ପାଇଁ ମନ୍ଦିର ତିଆରି କରୁଥିଲା । ପଥର ଖୋଳିବା କାର୍ଯ୍ୟରେ ଆନନ୍ଦ ଆସିବ କେଉଁଠାରୁ? ପେଟ ପାଇଁ କାମ କଲାବେଳେ ନୃତ୍ୟ ସଙ୍ଗୀତ ଆସିବ କିପରି? କିନ୍ତୁ ଈଶ୍ୱରଙ୍କ ପାଇଁ ମନ୍ଦିର ତୋଳିବା ନିଶ୍ଚୟ ଏକ ସୁଖମୟ କାର୍ଯ୍ୟ!

ଏଠାରେ ଏହି କାହାଣୀ କହିବାର ତାତ୍ପର୍ଯ୍ୟ ହେଲା ଯେ, ଆମମାନଙ୍କର ଜୀବନ ମନ୍ଦିରରେ ମଧ୍ୟ ଏଇମିତି ତିନି ପ୍ରକାରର ମଣିଷ ଦେଖିବାକୁ ମିଳିଥାଆନ୍ତି । ଜୀବନ ମନ୍ଦିର ନିର୍ମାଣରେ ମଧ୍ୟ ତିନି ପ୍ରକାରର ମଜ୍‌ଦୁର ଥାଆନ୍ତି । ଆମେ ଆମ ନିଜକୁ ପଚାରିବାକୁ ପଡ଼ିବ ଯେ, ଏହି ତିନି ପ୍ରକାର ମଧ୍ୟରୁ ଆମେ ନିଜେ କେଉଁ ପ୍ରକାରର ଶ୍ରମିକ? ଆମେ ପ୍ରତିଦିନ ଜୀବନ ମନ୍ଦିର ନିର୍ମାଣରେ କେବଳମାତ୍ର ପଥର ଖୋଳୁଛେ ନା ପେଟ ପାଇଁ ଦାନା ସଂଗ୍ରହ କରୁଛେ ନା ପ୍ରଭୁଙ୍କ ପାଇଁ ମନ୍ଦିର ତୋଳୁଛେ? ହଁ, ଏକଥା ମନେ ରଖିବାକୁ ହେବ ଯେ ଆମେ ଜୀବନକୁ ଯେଉଁଭଳି ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରୁ, ଜୀବନ ଆମମାନଙ୍କ ପାଇଁ ଅବିକଳ ସେଇମିତି ହୋଇଯାଏ । ତା' ନହେଲେ ବାସ୍ତବରେ ଜୀବନ ହେଉଛି ଏକ ଶୂନ୍ୟ ସିଲଟ । ଆମ୍ଭମାନଙ୍କ ଦୃଷ୍ଟିଭଙ୍ଗୀ ସେହି ସିଲଟ ଉପରେ କିଛି ଲେଖିବା ଆରମ୍ଭ କରିଦିଏ ଏବଂ ତାହାହିଁ ଶେଷରେ ଲେଖା ହୋଇଯାଏ । ଜୀବନ ହେଉଛି ଏକ ସାଦା ଖାଲି କାଗଜ । ଆମ ମନର ପ୍ରତିବିମ୍ବ ତା’ ଉପରେ ପ୍ରତିଫଳିତ ହୁଏ ଏବଂ ସେହି ସାଦା କାଗଜରେ କିଛି ଲେଖି ହୋଇଯାଏ । ତାହାହିଁ ଆମର ଜୀବନଗାଥା ହୋଇଯାଏ । ଆମର ଜୀବନ ହୋଇଯାଏ । ଜୀବନକୁ ସାଥିରେ ଧରି ଆମେ କେବେବି ଜନ୍ମ ହୋଇନଥାଉ । ପ୍ରତି ମୁହୂର୍ତ୍ତରେ ଜୀବନକୁ ଆମମାନଙ୍କୁ ଗଢ଼ି ତୋଳିବାକୁ ପଡ଼ିଥାଏ । ଜନ୍ମ ସହ ଜୀବନ ମିଳିନଥାଏ । ମୃତ୍ୟୁ ସହ ଜୀବନର ଉପଲବ୍ଧି ଆସିଥାଏ ।

ସମଗ୍ର ଦୁନିଆ ଆଜି କିନ୍ତୁ ଦୁଃଖପୂର୍ଣ୍ଣ । ଦୁଃଖରେ ଭର୍ତ୍ତି । ମଣିଷ ଆଜି କେବଳ ଅନ୍ଧକାର ଭିତରେ ପହଁରିବାରେ ଲାଗୁଛି । ଜୀବନ ଅର୍ଥହୀନ ଲାଗୁଛି । ଜୀବନରୁ ଆନନ୍ଦ ହଜିଯାଉଛି । ରସ ହଜିଯାଇଛି । ସ୍ପନ୍ଦନହୀନ ଏ ଜୀବନ । କିନ୍ତୁ କାହିଁକି? କାହିଁକି ଏପରି ହୋଇଛି? ହଜାର ହଜାର ବର୍ଷ ଧରି ଗୋଟିଏ କଥା କେବଳ ମଣିଷକୁ ଶିକ୍ଷା ଦିଆଯାଇ ଆସୁଅଛି ଯେ, ଏ ଜୀବନ ଦୁଃଖପୂର୍ଣ୍ଣ । ଏ ଜୀବନ ଅସାର । ମାୟାରେ ପୂର୍ଣ୍ଣ । ପାପରେ ପୂର୍ଣ୍ଣ । ଏ ଜୀବନରୁ ମୁକ୍ତ ହୋଇଯିବା ହିଁ ଶ୍ରେୟସ୍କର । ଏଥିରୁ ମୁକ୍ତ ହୋଇଯାଅ । ଏ ବନ୍ଧନରୁ ମୁକୁଳିଯାଅ । ଜୀବନ ହେଉଛି ଏକ ଲୁହାର ଶିକୁଳି । ଏହାକୁ ଛିଣ୍ଡାଇ ଦିଅ ଇତ୍ୟାଦି ନାନାକଥା ଆଉ ଏପରି ଶିକ୍ଷା, ଏହି ବିଷାକ୍ତ ଶିକ୍ଷା ଯୁଗ ଯୁଗ ଧରି ପଣ୍ଡିତ, ପୁରୋହିତମାନେ ବଖାଣି ଆସୁଛନ୍ତି । ଫଳସ୍ୱରୂପ ଆଜି ମଣିଷ ଜୀବନରୁ ଯଦି ସମସ୍ତ ସୁଖ, ଆନନ୍ଦ ହଜି ଯାଇଥାଏ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଜୀବନ ଯେ ଏକ ନରକର କୁଣ୍ଡ ଏଇମିତି ନକାରାତ୍ମକ ଭାବ ଆମମାନଙ୍କ ଭିତରେ ପୂରାଇ ଦିଆଯାଇଅଛି । ମୋର କିନ୍ତୁ ଆପଣମାନଙ୍କୁ କହିବାର କଥା ହେଲା- ଏ ଜୀବନ ହେଉଛି ଏକ ମନ୍ଦିର । ଏ ମନ୍ଦିରରେ ସକାଳେ ଆଳତି ହୁଏ । ସନ୍ଧ୍ୟାରେ ଦୀପ ଜଳିଉଠେ । ନୃତ୍ୟଗୀତ, ସଙ୍ଗୀତରେ ମନ୍ଦିର ପ୍ରାଙ୍ଗଣ ନାଚିଉଠେ । ଉତ୍ସବ, ମହୋତ୍ସବରେ ଜୀବନ ମନ୍ଦିର ପୂରିଉଠେ । ହଁ, ଯଦିଓ ମନ୍ଦିର ପ୍ରାଙ୍ଗଣରେ ବର୍ଷାଦିନେ ବର୍ଷା ଝରେ, ଝଡ଼ରେ ଧୂଳି ମଧ୍ୟ ଜମାହୁଏ । ଏସବୁ ସତ୍ତେ୍ୱ ମନ୍ଦିର ସୁନ୍ଦର । ମହକିତ । ସୁଗନ୍ଧିତ । ତେଣୁ ମୋର କହିବାର କଥା ହେଲା, ଏ ଜୀବନ ଦୁଃଖପୂର୍ଣ୍ଣ ଏଇଥିପାଇଁ ନୁହେଁ ଯେ  "ଜୀବନ ଦୁଃଖପୂର୍ଣ୍ଣ' । ବରଂ ଏଇଥିପାଇଁ ସେ ଜୀବନକୁ ଆନନ୍ଦପୂର୍ଣ୍ଣ କରିପାରିବାର କ୍ଷମତା ଏବଂ ପାତ୍ରତା ଆମେ ଉପଲବ୍ଧ କରିପାରୁନାହୁଁ । ଜୀବନ ଦୁଃଖପୂର୍ଣ୍ଣ ଏଇଥିପାଇଁ ନୁହେଁ ଯେ, ଜୀବନର ସ୍ୱଭାବ ଦୁଃଖ । ଜୀବନ ଦୁଃଖପୂର୍ଣ୍ଣ ହୁଏ ଏଇଥିପାଇଁ କି ଆମେ ଜୀବନକୁ ଦୁଃଖଭରା ଆଖିରେ ଦେଖିବାକୁ ଚେଷ୍ଟା କରିଥାଉ । ଆମ ଦୃଷ୍ଟିରୁ ଦୁଃଖଭରା ଛାୟା ସମଗ୍ର ଜୀବନକୁ ଅନ୍ଧକାରମୟ କରିଦିଏ ।

ଗୋଟିଏ ଅନ୍ଧ ମଣିଷ ଛିଡ଼ା ହୋଇଥିବ । ନୀଳ ଆକାଶରେ ଲାଲ ଟୁକ୍‌ଟୁକ୍‌ ସୂର୍ଯ୍ୟ । ଚତୁର୍ଦ୍ଦିଗରେ ଆଲୋକର ରୋଷଣୀ । ପ୍ରକାଶ ହିଁ ପ୍ରକାଶ । କିନ୍ତୁ ସେହି ଅନ୍ଧ ମଣିଷଟି ପାଇଁ ଆଲୋକର, ପ୍ରକାଶର କୌଣସି ଅର୍ଥ ହିଁ ନଥାଏ । ସେ କହିବ ଚାରିଆଡ଼େ ଘନଘୋର ଅନ୍ଧକାର । ଗଭୀର ଅନ୍ଧାର ରାତ୍ରି । ଅମାବାସ୍ୟା । ଏଥିପାଇଁ ସୂର୍ଯ୍ୟଙ୍କର କ’ଣ ଦୋଷ? ସେ ବିଚରା ନିର୍ଦ୍ଦୋଷ । ହେଲେ ଅନ୍ଧ ମଣିଷକୁ ମଧ୍ୟ କ୍ଷମା ଦିଆଯାଇପାରେ । ତାର ତ ସହଜେ ଆଖି ନାହିଁ । ସେ ଏହା କହିବ ହିଁ କହିବ । କିନ୍ତୁ ଜୀବନର ଆନନ୍ଦକୁ ଦେଖିନପାରିବା ପାଇଁ ଆମେ ତ ଅନ୍ଧ ନୁହେଁ । ଆଖି ଥିବା ମଣିଷ ଯଦି ଆଖି ନଥିବା ପରି ବ୍ୟବହାର କରେ, ତେବେ? ଜୀବନ ଦୁଃଖପୂର୍ଣ୍ଣ ମାଲୁମ୍‌ ହୁଏ ଏଇଥିପାଇଁ ଯେ, ଜୀବନକୁ କିଭଳି ଆନନ୍ଦପୂର୍ଣ୍ଣରେ ଦେଖାଯାଇପାରିବ ତାର କଳା ଆମକୁ ଜଣାନାହିଁ ।

ଜୀବନ ହେଉଛି ଏକ ଲମ୍ବା ସୁଦୀର୍ଘ ଯାତ୍ରା । ଆଉ ଏହି ଯାତ୍ରାରେ ଆମେ ନିତି ପ୍ରତିଦିନ ଯାହା ଦେଖୁଛେ, ଯେପରି ନିର୍ମାଣ କରୁଛେ ଜୀବନ ଅବିକଳ ସେଇମିତି ଗଢ଼ା ହୋଇଯିବାରେ ଲାଗିଛି । ଜୀବନର ଶୂନ୍ୟ ସିଲଟରେ ଆମେ ଯେପରି ଲେଖୁଛେ ଜୀବନ ସେୟା ହିଁ ହୋଇଯାଉଛି । ତେଣିକି ତାହା ସୁଖମୟ ହେଉ ଅବା ଦୁଃଖପୂର୍ଣ୍ଣ । ସେ ଶୂନ୍ୟ ସିଲଟରେ ତମେ କ’ଣ ଲେଖିବାକୁ ଚାହୁଁଛ ତାହା ତୁମ ଉପରେ ହିଁ ନିର୍ଭର କରେ ।

ଜୀବନ ଏକ ଦୁଇଧାର ବିଶିଷ୍ଟ ଖଣ୍ଡା । ଏହାକୁ ବଞ୍ଚିବାକୁ ଯେତିକି ଧୈର୍ଯ୍ୟ ଆବଶ୍ୟକ, ଉପଭୋଗ କରିବା ସକାଶେ ସେତିକି ନିଷ୍ଠା ଦରକାର ପଡ଼ିଥାଏ । ଏଥିରେ ଜୀବନ ଯାଇପାରେ ଏବଂ ନିଜ ଜୀବନକୁ ସୁରକ୍ଷିତ ରଖିବା ସହିତ ଅନ୍ୟର ଜୀବନକୁ ମଧ୍ୟ ରକ୍ଷା କରାଯାଇପାରେ । ସେଥିପାଇଁ ପ୍ରତ୍ୟେକ ମଣିଷ ନିଜ ଲକ୍ଷ୍ୟ ସ୍ଥିର କରିବା ଆବଶ୍ୟକ । ସେହି ଧୈର୍ଯ୍ୟ ଓ ନିଷ୍ଠା ପ୍ରତ୍ୟେକ ମଣିଷକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବ । ତାହା କେବଳ ନିଜ ପାଇ ଉପଭୋଗ୍ୟ ହେବନାହିଁ, ସମାଜ ପାଇଁ ମଧ୍ୟ ଏକ ଆଦର୍ଶର ଉଦାହରଣ ସୃଷ୍ଟି କରିବ । ଏ ଦିଗରେ ସମସ୍ତେ ପ୍ରୟାସୀ ହେବା ବାଞ୍ଛନୀୟ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.