ନୂଆଦିଲ୍ଲୀ ୦୪/୦୯: ଦୁର୍ଲଭତା ଓ ସୌନ୍ଦର୍ଯ୍ୟ ଯୋଗୁ ସୁନାକୁ ମୂଲ୍ୟବାନ ବସ୍ତୁ ରୂପେ ବିବେଚନା କରାଯାଏ । ଏହା କେବଳ ଆଭୂଷଣର ଅଂଶ ରୂପେ ପରିଚିତ ନୁହେଁ, ଆଧୁନିକ ଟେକ୍ନୋଲୋଜିରେ ରାସାୟନିକ ପ୍ରତିକ୍ରିୟା ଓ ବୈଦ୍ୟୁତିକ ପରିଚାଳକରେ ଉତ୍ପ୍ରେରକ ଭାବେ ମଧ୍ୟ କାମ କରେ । କ୍ୱାର୍ଟଜ ଭେନ୍ସ (ବିଭିନ୍ନ ପ୍ରକାର ପଥରରେ ଥିବା ଫାଟ-ସମ୍ବନ୍ଧୀୟ ବୈଶିଷ୍ଟ୍ୟ), ସ୍ଫଟିକୀକୃତ ସିଲିକନ୍ ଡାଇଅକ୍ସାଇଡ୍ରେ ଏହା ସାଧାରଣତଃ ସୁନା ମୁଣ୍ଡା ବା ନଗେଟ୍ ରୂପେ ମିଳେ । ଏହାର ଗଠନ ପ୍ରକ୍ରିୟା ବୈଜ୍ଞାନିକ ମହଲରେ ସର୍ବଦା ବିତର୍କର ବିଷୟ ହୋଇ ରହିଛି ।
ସଦ୍ୟତମ ଅନୁସନ୍ଧାନ ସୁନାର ଉତ୍ପତ୍ତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି । ଭୂକମ୍ପ ମୂଲ୍ୟବାନ ସୁନା ନଗେଟ୍ ଉତ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ ବୋଲି ଏହା ଦର୍ଶାଇଛି । ‘ଗୋଲ୍ଡ ନଗେଟ୍ ଫର୍ମେସନ୍ ଫ୍ରମ୍ ଅର୍ଥକ୍ୱେକ୍-ଇନ୍ଡ୍ୟୁସ୍ଡ ପିଜୋଇଲେକ୍ଟ୍ରିସିଟି ଇନ୍ କ୍ୱାର୍ଟଜ୍’ ଶୀର୍ଷକ ଏହି ଅନୁସନ୍ଧାନ ନେଚର୍ ଜିଓସାଇନ୍ସରେ ପ୍ରକାଶ ପାଇଛି । ଅଧ୍ୟୟନର ମୁଖ୍ୟ ବୈଜ୍ଞାନିକ କ୍ରିସ୍ ଭଏସି କହିଛନ୍ତି, ପୃଥିବୀର କ୍ରଷ୍ଟ୍ (ପ୍ରଥମ ପରସ୍ତ)ରେ ଫାଟ ଜରିଆରେ ପ୍ରବାହିତ ଉତ୍ତପ୍ତ, ଜଳ-ସମୃଦ୍ଧ ତରଳ ପଦାର୍ଥରୁ ସୁନା ନିର୍ଗତ ହୋଇଥାଏ ।
ଏହି ତରଳ ଥଣ୍ଡା ହେଲେ କିମ୍ବା ରାସାୟନିକ ପରିବର୍ତ୍ତନ ଦେଇ ଗତି କଲେ ସୁନା ଅଲଗା ହୁଏ ଏବଂ କ୍ୱାର୍ଟଜ୍ ଭେନ୍ରେ ଫସିଯାଏ । ଏହି ତଥ୍ୟକୁ ବ୍ୟାପକ ଗ୍ରହଣୀୟତା ମିଳିଥିଲେ ମଧ୍ୟ ବିଶାଳ ସୁନା ମୁଣ୍ଡା ପ୍ରସ୍ତୁତିର ବ୍ୟାଖ୍ୟାରେ ତାହା ବିଫଳ ହୋଇଛି । ଖାସ୍କରି ଏହି ତରଳ ପଦାର୍ଥଗୁଡ଼ିକରେ ସୁନାର ଅତ୍ୟନ୍ତ କମ୍ ମାତ୍ରାକୁ ଦେଖିବା ପରେ । ଅଧ୍ୟୟନର ଅନ୍ୟତମ ବୈଜ୍ଞାନିକ ମୋନାଶ ୟୁନିଭର୍ସିଟି ସ୍କୁଲ ଅଫ୍ ଅର୍ଥ୍, ଆଟ୍ମୋସପିୟର ଆଣ୍ଡ ଏନ୍ଭିରନ୍ମେଣ୍ଟ୍ର ପ୍ରଫେସର ଆଣ୍ଡି ଟମ୍କିନ୍ସ କହିଛନ୍ତି, ଏହି ଚାପଯୁକ୍ତ କ୍ୱାର୍ଟଜ୍ କେବଳ ବୈଦ୍ୟୁତିକ-ରାସାୟନିକ ଭାବେ ନିଜ ପୃଷ୍ଠରେ ସୁନା ଗଚ୍ଛିତ କରେ ନାହିଁ, ସୁନାର ସୂକ୍ଷ୍ମ କଣିକା ସୃଷ୍ଟି ଓ ସଂଗ୍ରହ ମଧ୍ୟ କରେ ।
ଲ୍ଲେଖନୀୟ କଥା ହେଉଛି ନୂଆ କଣିକାର ଉତ୍ପତ୍ତି ଅପେକ୍ଷା ଉପସ୍ଥିତ କଣିକାରେ ଜମା ହେବା ସୁନାର ପ୍ରବୃତ୍ତି ଥିଲା । ଏହାର କାରଣ କ୍ୱାର୍ଟଜ୍ ଏକ ବୈଦ୍ୟୁତିକ ଇନ୍ସୁଲେଟର ଓ ସୁନା ଏକ ସୁଚାଳକ ବୋଲି ସେ କହିଛନ୍ତି । ଥରେ କିଛି ସୁନା ଗଚ୍ଛିତ ହେଲେ, ପରବର୍ତ୍ତୀ ବୃଦ୍ଧି ଅର୍ଥାତ୍ ଅଧିକ ସୁନା କଣିକା ଜମା ହେବାର କେନ୍ଦ୍ରବିନ୍ଦୁ ପାଲଟେ । କ୍ୱାର୍ଟଜ୍ ଭେନ୍ରେ ବିଶାଳ ସୁନା ମୁଣ୍ଡାର ଉତ୍ପତ୍ତି ନିମନ୍ତେ ଏହି ଅନୁସନ୍ଧାନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି ବୋଲି ଭଏସି କହିଛନ୍ତି । ସୁନା ମୁଣ୍ଡାଗୁଡ଼ିକର ଉତ୍ପତ୍ତି ବିଷୟରେ ବୁଝିବାର ସମ୍ଭାବନାକୁ ଏହା ନୂଆ ଦିଗ ପ୍ରଦାନ କରିଛି । କ୍ୱାର୍ଟଜ୍ ଭେନ୍ ଭିତରେ ଭୂକମ୍ପ କାର୍ଯ୍ୟକଳାପ ଓ ଏହି ମୂଲ୍ୟବାନ ଧାତୁ ମଧ୍ୟରେ ଥିବା ସମ୍ପର୍କର ସମ୍ଭାବନାକୁ ଏହା ଦର୍ଶାଇଛି । ବିଶ୍ୱର ଅନ୍ୟତମ ସବୁଠୁ ମୂଲ୍ୟବାନ ଧାତୁର ପରିଚାଳନା କରୁଥିବା ଭୂବୈଜ୍ଞାନିକ ପ୍ରକ୍ରିୟା ଉପରେ ଏହା ଆଲୋକପାତ କରିଛି ।