ନୂଆଦିଲ୍ଲୀ,୧୩/୦୮: ଗତ କିଛି ବର୍ଷ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ନିକଟରେ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ୭୪% ଲୋକ ମାସିକ ଖର୍ଚ୍ଚ ପୂରଣ କରିବାକୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବା ସହିତ କଠିନ ପରିଶ୍ରମ କରୁଛନ୍ତି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୪% ବୃଦ୍ଧି ପାଇଛି। ୨୦୨୩ ରେ ପାକିସ୍ତାନର ୬୦% ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତି ଏତେ ଖରାପ ଯେ ଲୋକମାନେ ସେମାନଙ୍କର ଅତ୍ୟାବଶ୍ୟକ ଖର୍ଚ୍ଚ ହ୍ରାସ କରୁଛନ୍ତି, ଋଣ ନେଉଛନ୍ତି ଏବଂ ଗୋଟିଏରୁ ଏକାଧିକ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନର ଲୋକମାନେ ସେମାନଙ୍କର ଏକ ଉତ୍ତରମ ଭବିଷ୍ୟତକୁ ନେଇ ଚିନ୍ତାଗସ୍ତ ଅଛନ୍ତି।
ଆର୍ଥିକ ସଙ୍କଟ ସହିତ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ମଧ୍ୟ ଶେଷ ହେଉନାହିଁ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୀର୍ଘ ଦିନ ଧରି ଜେଲ୍ରେ ଅଛନ୍ତି ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ) ଅଭିଯୋଗ କରିଛି ଯେ କ୍ଷମତାରେ ଥିବା ନୱାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ତାଙ୍କ ଦଳକୁ ଧ୍ୱଂସ କରିବାକୁ ଚାହୁଁଛି। ପିଟିଆଇ ହେଉଛି ପାକିସ୍ତାନର ମୁଖ୍ୟ ବିରୋଧୀ ଦଳ। ଯେତେବେଳେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କ୍ଷମତାକୁ ଆସିଲେ, ସେତେବେଳେ ସେ ଦେଶର ସ୍ଥିତିରେ ଉନ୍ନତି ଆଣିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ସେ ଏଥିରେ ସଫଳ ହେବା ଭଳି ମନେ ହେଉନାହିଁ।
ଖାଦ୍ୟ ସାମଗ୍ରୀରେ ହେଉଛି ହ୍ରାସ:
ପାକିସ୍ତାନର ୧୧ ଟି ବଡ଼ ସହରରେ ୧୧୦୦ରୁ ଅଧିକ ଅଧିକ ଲୋକଙ୍କ ମଧ୍ୟରେ କରାଯାଇଥିବା ଏକ ସର୍ଭେରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ସର୍ଭେ ଜୁଲାଇରୁ ଅଗଷ୍ଟ ମଧ୍ୟରେ କରାଯାଇଥିଲା। ଏହି ସର୍ଭେ ପଲ୍ସ କନସଲଟାଣ୍ଟ ଦ୍ୱାରା କରାଯାଇଥିଲା। ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ, ପାକିସ୍ତାନର ୬୦% ଲୋକ ସେମାନଙ୍କର ଅତ୍ୟାବଶ୍ୟକ ଖର୍ଚ୍ଚ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ସେମାନେ ଖାଦ୍ୟ ସାମଗ୍ରୀ ମଧ୍ୟ କମ୍ କିଣୁଛନ୍ତି। ଅନ୍ୟପକ୍ଷରେ ୪୦% ଲୋକ ଅଛନ୍ତି ଯେଉଁମାନେ କି ଟଙ୍କା ଋଣ ନେଇ ପରିବାର ଚଳାଉଛନ୍ତି।
ସର୍ଭେ ସମୟରେ ଯେଉଁମାନେ ନିଜର ମତାମତ ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୦% କହିଛନ୍ତି ଯେ ସେମାନଙ୍କ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ ପାଇଁ ପାର୍ଟ ଟାଇମ୍ କାମ କରିବାକୁ ପଡ଼ୁଛି। ରିପୋର୍ଟରେ କୁହାଯାଇଛି ଯେ ୫୬% ଲୋକ ମୌଳିକ ଆବଶ୍ୟକତା ପୂରଣ କରିବାରେ ବ୍ୟସ୍ତ ଥିବା ବେଳେ ସେମାନେ କୌଣସି ପ୍ରକାର ଅର୍ଥ ସଞ୍ଚୟ କରିପାରୁନାହାନ୍ତି, ଫଳରେ ଏହି ଅବସ୍ଥା ନିଶ୍ଚିତ ଭାବରେ ଖରାପ ଆର୍ଥିକ ସ୍ଥିତିକୁ ସୂଚାଉଛି।