ନିମବାହାଳି, ୯।୮ : ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ଅଧିନ ଗାଲପଡା ସ୍ଥିତ ହରିଜନ ସାହିରେ ଗୋଠଛଡ଼ା ଦନ୍ତାହାତୀ ଉପଦ୍ରବ। ଦନ୍ତାହାତୀ ଆକ୍ରମଣରେ ରଞ୍ଜିତ ମହାପାତ୍ର (୩୨ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ଘର ବାଲିମି ଥାନା ଅନ୍ତର୍ଗତ ଗାଲପଡା ସ୍ଥିତ କୋଠାଳୁ ଗାଁର ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ରଞ୍ଜିତ ମହାପାତ୍ର ଘରକୁ ଫେରୁଥିବା ସମୟରେ ରାତି ୧୧ ଟାରେ ଗାଲପଡ଼ା ହରିଜନ ସାହି ଭିତରେ ଯାଉଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଫୋପାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା । ତେବେ ହାତୀଟି ଆକ୍ରମଣ କରି ସେଠାରୁ ଚାଷ ଜମି ଆଡ଼କୁ ପଳାଇ ଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।ଖବର ପାଇ ଘଟଣାସ୍ଥଳରେ ଖଜୁରିଆକଟା ସେକ୍ସନ ଫରେଷ୍ଟଗାର୍ଡ ନିକୁଞ୍ଜ ମହାରଣା ଓ କର୍ମଚାରୀ ଏବଂ ବାଲିମି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।