ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଳିଙ୍ଗା ଚକଦରସାହିରେ ୯ ଘର ଭାଙ୍ଗିଲେ ହାତୀପଲ, ଧାନ ଚାଉଳ ଖାଇ ଭାଙ୍ଗିଦେଲେ ଆସବାବପତ୍ର

ଝୁମ୍ପୁରା, ୧୨।୨ : ଚମ୍ପୁଆ ରେଞ୍ଜ, ବାଲିବନ୍ଧ ଫରେଷ୍ଟ ସେକ୍ସନର କଳିଙ୍ଗା ଅଞ୍ଚଳରେ ୧୭ ଟିକିଆ ହାତୀପଲଙ୍କ ଆତଙ୍କ। ରବିବାର ବିଳମ୍ବିତ ରାତିରେ କଳିଙ୍ଗା ଚକଦର ସାହିରେ ହାତୀପଲ ପଶି ୯ଟି ଘରର କାନ୍ଥ, କବାଟ, ଝରକା ଆଦି ଭାଙ୍ଗି ଧାନ, ଚାଉଳ ଖାଇଯିବା ସହ ଆସବାବପତ୍ର ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବହୁ କଷ୍ଟରେ ହାତୀ କବଳରୁ ଜୀବନ ବଞ୍ଚାଇଥିବାବେଳେ ରାତିସାରା ହାତୀଙ୍କୁ ଘଉଡ଼ାଇବା ପାଇଁ ନକେଦମ୍ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ହାତୀର ଗତିବିଧି ଟ୍ରାକ୍ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଏତେ ସଂଖ୍ୟାରେ ହାତୀ ଗାଁ ଭିତରେ ପଶି ଉପଦ୍ରବ କରିଥିଲେ ମଧ୍ୟ ଉକ୍ତ ସମୟରେ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପାରି ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି ହୋଇଛି।

ଏହି ୧୭ ଟିକିଆ ହାତୀପଲ ପ୍ରଥମେ ଗଙ୍ଗାଧର ମହାନ୍ତଙ୍କ ଘରେ ଝରକା ଭାଙ୍ଗିଥିଲେ। ଏହାପରେ ସୈରେନ୍ଦ୍ରୀ ନାଏକ, ବୈକୁଣ୍ଠ ମହାନ୍ତ, ଲୋକନାଥ ମହାନ୍ତ, ଅଳତୀ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ଗୁଣନିଧି ନାଏକ, ରଜନୀ ମହାନ୍ତ, ଯଦୁମଣି ନାଏକ ପ୍ରମୁଖଙ୍କ ଘରେ ଆକ୍ରମଣ କରି ଝରକା, କାନ୍ଥ, କବାଟ ଆଦି ଭାଙ୍ଗି ଧାନ ଚାଉଳ ଆଦି ଖାଇଥିଲେ। କିଛି ଲୋକଙ୍କ ଫ୍ରିଜ, କୁଲର୍ ଆଦି ଆସବାବ ନଷ୍ଟ ହେଇଥିବା ଲୋକ ଅଭିଯୋଗ କରିଛନ୍ତି। ହାତୀ ପଲ ୧୦ କ୍ଵିଣ୍ଟାଲରୁ ଅଧିକ ଧାନ ଖାଇଯିବା ସହ ବାହାରେ ବିଞ୍ଚି ନଷ୍ଟ କରି ଦେଇଥିବା କହିଛନ୍ତି ବୈକୁଣ୍ଠ ମହାନ୍ତ। 

ଚମ୍ପୁଆ ଆଡୁ ଏହି ୧୭ ଟିକିଆ ହାତୀପଲ ବଳିବନ୍ଧ ସେକ୍ସନକୁ ପ୍ରବେଶ କରିଥିବା ବାଲିବନ୍ଧ ଫରେଷ୍ଟର ବୁଲୁ ନାହାକ କହିଥିବା ବେଳେ ଘଟଣାସ୍ଥଳକୁ ବନ କର୍ମଚାରୀଙ୍କୁ ପଠା ଯାଇଥିବା କହିଛନ୍ତି। ହାତୀପଲ ବର୍ତ୍ତମାନ ମଣଦା ଜଙ୍ଗଲରେ ରହିଥିବା ଫରେଷ୍ଟର ଶ୍ରୀ ନାହାକ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.