ମାଲକାନଗିରି,୩। ୯ :ଦୁଇବର୍ଷ ହେଲା ରୋଗ ଯନ୍ତ୍ରଣା ଶଯ୍ୟାରେ ଛଟପଟ ହୋଇ ବିତୁଛି ଶିଶୁକନ୍ୟା ର ଜୀବନ,ତାର ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ।ବାପା ଙ୍କ ଗୋଟିଏ ଆଖିକୁ ଦିଶୁନଥିବା ବେଳେ ଝିଅ ଅଚିହ୍ନା ରୋଗରେ ଦିନକୁ ଦିନ ଦୁର୍ବଳ ହୋଇ ଜୀବନ ମରଣ ସହିତ ସଙ୍ଘର୍ଷ କରୁଛି। ଏପରି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କଦମଗୁଡା ପଞ୍ଚାୟତର ଖୁରୀଗୁଡା ଗ୍ରାମରେ ।
ସେହି ଗ୍ରାମ ଜୟରମା କିର୍ଶାନି ଗୋଟିଏ ଆଖିକୁ ଦିଶୁନଥିବା ରୁ ସେ ଘରେ ଛୋଟ ମୋଟ କାମ କରୁଥିବା ବେଳେ ତାଙ୍କ ପତ୍ନୀ ପର ଘରେ କୁଲି ମଜୁରୀ କରି ଯାହା ଅଣନ୍ତି ସେଥିରେ ପରିବାର କଷ୍ଟ ଚଳିଯାଇଥାଏ। ଝିଅ ସଞ୍ଜୁ ଭଲ ପାଠ ପଢୁ ଥିବାରୁ ତାକୁ ଆବାସିକ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ। ବାପା ମା’ କେତେ ଆଶା କରିଥିଲେ ଝିଅ ପାଠ ପଢି ବଡ଼ମଣିଷ ହୋଇ ଚାକିରୀ କରି ତାଙ୍କ ଦୁଃଖ ଦୂର କରିବେ ହେଲେ ତାଙ୍କ ଆଶା ଆଶା ରେ ହିଁ ରହିଗଲା। ଗତ ଦୁଇ ବର୍ଷତଳେ ଝିଅ କୁ କେଉଁ ଅଚିହ୍ନା ରୋଗ ହେଲା ଯେ ସେ ବିଛଣାରେ ହିଁ ପଡିରହିଲା। ତାର ପାଠ ପଢ଼ାରେ ଡୋରୀ ବନ୍ଧା ହୋଇଗଲା।
ରୋଗ ହେବା ପୂର୍ବରୁ ଗତ ଦୁଇବର୍ଷ ତଳେ ସଞ୍ଜୁ ଖଇରପୁଟ ଆବାସିକ ସେବଶ୍ରମ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିଲେ। ସ୍କୁଲରେ ଥିବା ସମୟରେ ହଠାତ ପ୍ରଥମେ ଜ୍ବର ହେଲା ପରେ ଧୀରେ ଧୀରେ ଏକ ଅଜଣା ରୋଗ ମାଡ଼ିବସିଲା ,ହାତ ଗୋଡ଼ ସବୁ ଅଚଳ ହୋଇଗଲା। ପ୍ରଥମେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଭଲ ନହେବାରୁ ମାଥିଲି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ମଧ୍ୟ ଭଲ ନ ହେବାରୁ ଜମିବାଡ଼ି ବନ୍ଧା ପକାଇ ଓ ସାହି ପଡିଶା ଠାରୁ ଧାର କରଜ କରି କୋରାପୁଟ ମେଡିକାଲ କଲେଜ କୁ ନେଇଥିଲେ । ସେଠାରେ କିଛି ଦିନ ରହି ଚିକିତ୍ସିତ ହେବା ପରେ ସ୍ୱାସ୍ଥବ୍ୟସ୍ଥା ସୁଧାର ନଆସିବାରୁ କଟକ ବଡ଼ ଡାକ୍ତର ଖାନା ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଥିଲେ ମଧ୍ୟ କିଛି କାମରେ ଆସୁନାହିଁ ବୋଲି ଜୟରାମ କହିଛନ୍ତି । ସାଙ୍ଗରେ ନେଇଥିବା ଟଙ୍କା ସବୁ ସରିଯାଇଥିଲା ତେଣୁ କୌଣସି ବିକଳ୍ପ ନପାଇ ପରିବାର ଲୋକେ ଝିଅ ସଂଜୁକୁ ଘରକୁ ନେଇ ଆସିଲେ ।ଏବେ ଘରେ ବିଛଣାରେ ପଡି ଜୀବନ ମରଣ ସହିତ ସଙ୍ଘର୍ଷ କରୁଛି ସଞ୍ଜୁ।
ଜୟରାମଙ୍କୁ ସରକାରୀ ସୁବିଧା କହିଲେ ମାସକୁ ମାତ୍ର ତିରିଶି କେଜି ଚାଉଳ ମିଳୁଛି , ତାହା ମଧ୍ୟ ମାସେ ଯାଉନାହିଁ। ଗୋଟିଏ ପଟେ ଯନ୍ତ୍ରଣା ଶଯ୍ୟାରେ ଝିଅ ପଡିଛନ୍ତି ଅନ୍ୟପଟେ ଛଅ ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ କରିବାର ଚିନ୍ତା ।ଘରେ ଯାହା ଥିଲା ସବୁ ଶେଷ ହୋଇଯାଇଛି । ଝିଅଙ୍କ ଚିକିତ୍ସା ପାଇଁ ପାଖରେ ଟଙ୍କା ଟିଏ ନାହିଁ । ସବୁ ଆଡୁ ନିରାଶ ହେବା ପରେ ଶେଷରେ ଜିଲ୍ଲା ପ୍ରଶାସନ ନିକଟରେ ଚିକିତ୍ସା ସହାୟତା ଯୋଗାଇ ଦେବା. ପାଇଁ ନିବେଦନ କରିଛନ୍ତି ଜୟରାମ।