ଭୁବନେଶ୍ୱର,୨୦/୦୯: କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଓ ସୁଇସାଇଡ୍ ନୋଟ୍ ଏବେ ପୁଣି ଥରେ ବନ ବିଭାଗରେ ଚାରା ଦୁର୍ନୀତିକୁ ପଦାରେ ପକାଇ ଦେଇଛି । ସଞ୍ଜୟଙ୍କ ସୁଇସାଇଡ ନୋଟ୍ ଆଧାରରେ ତାଙ୍କ ସମ୍ପର୍କୀୟମାନେ କରିଥିବା ଅଭିଯୋଗରୁ ପ୍ରକାଶ, ସ୍ଥାନୀୟ ଡିଏଫ୍ଓ କୁଆଡ଼େ ଗତବର୍ଷ ସଞ୍ଜୟଙ୍କୁ ୭ ଲକ୍ଷ ଟଙ୍କା ପିସି (ପର୍ସେଣ୍ଟେଜ ବା କମିଶନ) ମାଗିଥିଲେ। ସଞ୍ଜୟ ବିଭିନ୍ନ ପର୍ଯ୍ୟାୟରେ ଅଢ଼େଇ ଲକ୍ଷ ଟଙ୍କା, ଏକ ଏସି, ବୋରୱେଲ ଖନନ ଓ ୪୦ ହଜାର ଟଙ୍କାର ବ୍ୟବସ୍ଥା କରିଥିଲେ ମଧ୍ୟ ୭ ଲକ୍ଷ ଟଙ୍କା ପିସିର ଟାର୍ଗେଟ ପୂରଣ କରିପାରି ନଥିଲେ । ତେଣୁ ତାଙ୍କ ଉପରେ ମାନସିକ ଚାପ ପକା ଯାଉଥିଲା ଓ ସେ ଆତ୍ମହତ୍ୟା କରିଛନ୍ତି । ଅବଶ୍ୟ ଡିଏଫ୍ଓଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇନାହିଁ । ଏଠାରେ ପ୍ରଶ୍ନ ଉଠୁଛି, ଜଣେ ସାଧାରଣ ଫରେଷ୍ଟରଙ୍କୁ ଡିଏଫ୍ଓ ୭ ଲକ୍ଷ ଟଙ୍କାର ପିସି କେଉଁ ଆଧାରରେ ମାଗୁଥିଲେ? ଏ ସମ୍ପର୍କରେ ତଥ୍ୟ ଦେବାକୁ ଯାଇ ବିଭାଗର ଜଣେ କର୍ମଚାରୀ ନାମ ଗୋପନ ସର୍ତ୍ତରେ ଚାରା ଦୁର୍ନୀତିର ପେଡ଼ି ଖୋଲିଛନ୍ତି ।
କଥା ଏମିତି: ରାଜ୍ୟରେ ବନବିଭାଗ ଅଧୀନରେ କାମ କରେ ସିଲ୍ଭି କଲ୍ଚର ଓ ରିସର୍ଚ୍ଚ ୱିଙ୍ଗ୍ । ଯାହାର ମୁଖ୍ୟ କାମ ଗୁଣାତ୍ମକ ଚାରା ପ୍ରସ୍ତୁତ କରି ବନଖଣ୍ଡଗୁଡ଼ିକୁ ଯୋଗାଇ ଦେବା ଓ ଲୁପ୍ତପ୍ରାୟ ଗଛର ପୁନରୁଦ୍ଧାର କରି ତାହାର ପୁନଃପ୍ରଜନନ ପ୍ରକ୍ରିୟାରେ ସାହାଯ୍ୟ କରିବା । ଓଡ଼ିଶାରେ ଥିବା ଏହି ନର୍ସରୀଗୁଡ଼ିକର ପରିସୀମା ୫ ହେକ୍ଟର ପରିମିତ ଅଞ୍ଚଳରୁ ଆରମ୍ଭ କରି ୧୨୦ ହେକ୍ଟର ପର୍ଯ୍ୟନ୍ତ ରହିଛି । ଯେଉଁଠାରେ ଜାମୁ, କରଞ୍ଜ, ବାହାଡ଼ା, ହରିଡ଼ା, ବାଉଁଶ, ଅର୍ଜୁନ ଭଳି ଅତି କମ୍ରେ ୧୦ ପ୍ରକାର ଗଛର ଚାରା ପ୍ରସ୍ତୁତ କରାଯାଇଥାଏ । ଏହାସହ ବିଲୁପ୍ତ ପ୍ରାୟ ଗଛ ମଧ୍ୟରେ ନାଗେଶ୍ୱର, ଶାଳିଆ ବାଉଁଶ, ପାହାଡ଼ି ଶିଶୁ ଓ ରକ୍ତଚନ୍ଦନ ଭଳି ଗଛର ଚାରା ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଚାରାକୁ ନେଇ ଗୁଣାତ୍ମକ ଗବେଷଣା ପାଇଁ ଓଡ଼ିଶାରେ ୧୯ଟି ଗବେଷଣା ନର୍ସରୀ (ଭୁବନେଶ୍ୱରରେ ୧୦ ଓ ରାୟଗଡ଼ାରେ ୯) ଥିବା ବେଳେ ୪ଟି ବଡ଼ ହାଇଟେକ ନର୍ସରୀ (ଭୁବନେଶ୍ୱରରେ ୩ ଓ ରାୟଗଡ଼ାରେ ଗୋଟିଏ) ରହିଛି ।
ପ୍ରତିବର୍ଷ ଆରମ୍ଭରୁ ଅର୍ଥାତ ଫେବ୍ରୁଆରୀ ଶେଷ ସୁଦ୍ଧା ନର୍ସରୀମାନଙ୍କୁ ବିଭିନ୍ନ ବନଖଣ୍ଡ ପକ୍ଷରୁ ସେହିବର୍ଷ କେତେ ଓ କେଉଁ ପ୍ରଜାତିର ଚାରା ଆବଶ୍ୟକ ଟାର୍ଗେଟ ଦିଆଯାଇଥାଏ । କ୍ୱାଲିଟି ପ୍ଲାଣ୍ଟିଂ ମାଟେରିଆଲ୍ (କ୍ୟୁପିଏମ୍) ପାଇଁ ଚାରା ପିଛା ୬ ଟଙ୍କା ୩୭ ପଇସା ଓ ପଲିପଟ (ପଲିଥିନ ପଟ୍) ପ୍ଲାଣ୍ଟିଂ ପାଇଁ ଚାରା ପିଛା ୧୨ ଟଙ୍କା ୬୦ ପଇସା ଦିଆଯାଇଥାଏ । ଏଥିପାଇଁ ଦାୟିତ୍ୱରେ ଥିବା ଫରେଷ୍ଟର କିମ୍ବା ବନାଞ୍ଚଳ ଅଧିକାରୀମାନେ ବନଖଣ୍ଡ ଅଧିକାରୀଙ୍କୁ ରିକ୍ୟୁଜିସନ୍ ଦିଅନ୍ତି ଓ ଆବଶ୍ୟକ ଅର୍ଥ ପ୍ରଦାନ କରିବା ପାଇଁ ନିବେଦନ କରନ୍ତି । ଥରେ ଟଙ୍କା ଆସିବା ପରେ ସେହି ବର୍ଷର ନର୍ସରୀ କାମ ଆରମ୍ଭ ହୁଏ । ଆଉ ଆରମ୍ଭ ହୁଏ ଟଙ୍କା ହେରଫେର । ଗଛ ଲଗା ବାବଦକୁ ଆସୁଥିବା ଟଙ୍କାର ସିଂହ ଭାଗ ପିସି ନାମରେ ଯାଉଛି ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଓ ବନାଞ୍ଚଳ ଅଧିକାରୀ (ରେଞ୍ଜର)ଙ୍କ ପକେଟ୍କୁ । ଏସବୁ ପିସି କାରବାରର ମାଧ୍ୟମ ସାଜୁଛନ୍ତି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଭଳି ତଳିଆ କର୍ମଚାରୀ । ଏହି କାରବାରରେ ଚାଦର ଘୋଡ଼ାଇବାକୁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ ମିଛ ଭାଉଚର କରିବାକୁ ବାଧ୍ୟ ହେଉଛନ୍ତି । ଯିଏ କରି ପାରୁଛି ସେ କୋଠା ତୋଳୁଛି, ଆଉ ଯିଏ ନପାରୁଛି ସେ ଭିଜିଲାନ୍ସ, କେନ୍ଦୁପତ୍ର ଭଳି ବିଭାଗକୁ ଡେପୁଟେସନ୍ରେ ପଳାଉଛି । ନଚେତ ମାନସିକ ଚାପର ବଶବର୍ତ୍ତୀ ହେବାକୁ ବାଧ୍ୟ ହେଉଛନ୍ତି ।
ତଥ୍ୟ ଅନୁସାରେ, ପ୍ରତି ଚାରାର ମୂଲ୍ୟରେ ୩୦% କମିଶନ ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଉଛି । ଏଥିରୁ ଡିଏଫ୍ଓଙ୍କ ପାଖକୁ ୧୦%, ରେଞ୍ଜର ୧୦%, ଏସିଏଫ୍ ୩%, ଆକାଉଣ୍ଟ୍ସ ବିଭାଗକୁ ୩% ଯାଉଛି । ଆଉ ୪% ଯାଉଛି ସ୍ଥାନୀୟ ସାମ୍ବାଦିକ, ପରିବେଶବିତ୍, ସମାଜସେବୀ ଏବଂ ଜଙ୍ଗଲ ବିଭାଗ ସହ ଜଡ଼ିତ ଥିବା ବିଭିନ୍ନ ଅନୁଷ୍ଠାନ ପାଖକୁ । ଜାରିଂ ହାଇଟେକ୍ ନର୍ସରୀକୁ ୨ ଲକ୍ଷ ପଲିପଟ୍ ଚାରାର ବରାଦ ଆସିଥିଲା । ଏହି ଡିଭିଜନ୍ ଅଧୀନରେ ରାୟଗଡ଼ା, କୋରାପୁଟ, ଭବାନୀପାଟଣା ଓ ବଲାଙ୍ଗିର ବନଖଣ୍ଡ ରହିଛି । ଯେଉଁମାନଙ୍କ ପାଖରୁ ଆଗୁଆ ଚାରା ପାଇଁ ଅର୍ଡର ଆସିଥିଲା, ଏ ବାବଦକୁ ମିଳୁଥିବା ଅର୍ଥରୁ କମିଶନ ଭାବେ ୭ ଲକ୍ଷ ଉପରିସ୍ଥ ଅଧିକାରୀ ସଞ୍ଜୟଙ୍କ ଠାରୁ ଦାବି କରିଥିଲେ । ନିୟମାନୁଯାୟୀ ଜାରିଂ ନର୍ସରୀର ଦାୟିତ୍ୱରେ ଜଣେ ରେଞ୍ଜର ରହିବା କଥା । କିନ୍ତୁ ଥିଲେ ସଞ୍ଜୟଙ୍କ ଭଳି ଫରେଷ୍ଟର। ଏହାର କାରଣ ସରକାରଙ୍କୁ ଜଣା ।
ବ୍ୟବସ୍ଥା ଅନୁସାରେ, ଗୋଟିଏ ବଡ଼ ନର୍ସରୀରେ ୧୧ ଶହ ଶଯ୍ୟାରେ ଚାରା ପ୍ରସ୍ତୁତ କରାଯାଇଥାଏ । ପ୍ରତି ଶଯ୍ୟା ୪୦ ଫୁଟ ଲମ୍ବା ଓ ୪ ଫୁଟ ଚଉଡ଼ା । ଯାହାର ଦାୟିତ୍ୱରେ ଜଣେ ରେଞ୍ଜର ରହିବାର ନିୟମ ଅଛି । ମାତ୍ର କୌଣସି ଅଜଣା କାରଣରୁ ରାଜ୍ୟର ଅଧିକାଂଶ ନର୍ସରୀରେ ଏହି ଦାୟିତ୍ୱ ଫରେଷ୍ଟରମାନଙ୍କ ହାତରେ ଦିଆଯାଇଥିବା ବେଳେ ବନଖଣ୍ଡ ଅଧିକାରୀମାନେ ସିଧାସଳଖ ଏହାକୁ ସମ୍ଭାଳୁଛନ୍ତି । ରାଜ୍ୟରେ ବନ ବିଭାଗର ବିଭିନ୍ନ ପ୍ରକାର ଡିଭିଜନକୁ ମିଶାଇ ମୋଟ ୭୬ଟି ଡିଭିଜନ ରହିଛି । ଗୋଟିଏ ବର୍ଷର ଚାରା ଅର୍ଡର ଯଦି ଦେଖାଯିବ, ଅତି କମ୍ରେ ୪ଟି ବଡ଼ ହାଇଟେକ୍ ନର୍ସରୀରେ ୮ ଲକ୍ଷ ଏବଂ ୧୯ଟି ଛୋଟ ନର୍ସରୀ ପାଇଁ ୧୯ ଲକ୍ଷ ଚାରା ରହୁଛି । ଏହା ମଧ୍ୟରେ ବେଶି ଭାଗ ପଲିପଟ୍ ଚାରା ରହୁଥିବା ବେଳେ କ୍ୟୁପିଏମ୍ ଚାରା କମ୍ ।
ସେଥିରେ ଯଦି ପୂର୍ବବର୍ଷର ଚାରା କେହି ନେବେ ତା’ ହେଲେ ଦୁଇ ଗୁଣା ଅର୍ଥ ଦେବାକୁ ପଡ଼ିବ । କାରଣ ଏହା ଶତ ପ୍ରତିଶତ ବଞ୍ଚିଥାଏ । ଏଥିରୁ ଚାରା ଦୁର୍ନୀତିର ଚେର ଓ ପରିମାଣ ବେଶ ଅନୁମେୟ । ବିଶେଷ କରି ଫନି ବାତ୍ୟା ପରେ ରାଜ୍ୟରେ ଚାରାରୋପଣ ଲକ୍ଷ ଲକ୍ଷରୁ ଯାଇ କୋଟି କୋଟିକୁ ଛୁଇଁଛି । କିନ୍ତୁ କେଉଁଠି କେତେ ସଂଖ୍ୟାର ଗଛ ବଞ୍ଚି ପାରିଛି କିମ୍ବା ଏବେ ହେଉଥିବା ଚାରା ରୋପଣରୁ ତାହା ସମସ୍ତଙ୍କୁ ଜଣା । ତେଣୁ ଆର୍ଥିକ ଅନିୟମିତତାର ପରିମାଣ ସେହି ଅନୁସାରେ କେତେ ବଢ଼ିଥିବ ତାହା ନ କହିବା ଭଲ । ତେବେ ବନ ବିଭାଗର କୌଣସି ବରିଷ୍ଠ ଅଧିକାରୀ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ନାରାଜ । ତଳ କର୍ମଚାରୀ ମୁହଁ ଚୁପ୍ ରଖୁଥିବା ବେଳେ ବରିଷ୍ଠ ଅଧିକାରୀ ଫୋନ୍ କଲ୍କୁ ଆଡ଼େଇ ଯାଇଛନ୍ତି ।
ସାଧାରଣତଃ ପ୍ରତିବର୍ଷ ତାପମାତ୍ରା ବଢ଼ୁଥିବା ବେଳେ ବନ ବିଭାଗର ଚାରା ରୋପଣ ଟାର୍ଗେଟ ବଢ଼ୁଛି ଏବଂ ଧଳାହାତୀ ମାନଙ୍କ ପକେଟ ସେହି ଅନୁସାରେ ଗରମ ହେଉଛି । ଯଦି ଆମେ ୨୦୨୨ ମସିହାର ସିଏଜି ରିପୋର୍ଟକୁ ଦେଖିଲେ, ରାଜ୍ୟରେ ୪୮୫ ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ ବିଫଳ ହୋଇଥିଲା । ସହରାଞ୍ଚଳ ଚାରାରୋପଣରେ ଅଧିକ ୪୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ବଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ୧୪.୮୨ କୋଟି ଟଙ୍କାର ଅନିୟମିତତା ହୋଇଥିଲା । ରାସ୍ତା ପାଶ୍ୱର୍ ବୃକ୍ଷରୋପଣରୁ କୌଣସି ଚାରା ବଞ୍ଚିନାହିଁ । ତଥ୍ୟ ଅନୁସାରେ ୬୮ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥିଲା ।
ରାଜ୍ୟରେ ବନ ବିଭାଗରେ ରହିଛି ସେଲ୍ଭି କଲଚର ଆଣ୍ଡ ରିସର୍ଚ୍ଚ ୱିଙ୍ଗ୍ । ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । କିନ୍ତୁ ତାହାର ସୁଫଳ କେତେ ଓ ହରିଲୁଟ୍ କେତେ ତାହାର ସମୀକ୍ଷା ହେଉ ନଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ନିୟମାନୁସାରେ ଏହି ରିସର୍ଚ୍ଚ ୱିଙ୍ଗ୍ ଦାୟିତ୍ୱରେ ଜଣେ ଉଦ୍ଭିଦ ବିଜ୍ଞାନୀ କିମ୍ବା ପୁରୁଖା ଅଧିକାରୀ ରହିବା କଥା । କିନ୍ତୁ ଏବେ ରହୁଛନ୍ତି ତଳିଆ କର୍ମଚାରୀ । ଏଭଳି ନିଷ୍ପତ୍ତି କାହିଁକି ତାହାର ଉତ୍ତର ଦେବାକୁ ବିଭାଗୀୟ ଅଧିକାରୀମାନେ ନାରାଜ । ଏହି ରିସର୍ଚ୍ଚ ୱିଙ୍ଗ୍ର ମୂଳ କାମ ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ସମ୍ପର୍କରେ ଗବେଷଣା କରି ଡାଟା ବେସ୍ ପ୍ରସ୍ତୁତ କରିବା । ଜଙ୍ଗଲ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଭିନ୍ନ ଭିନ୍ନ ଗଛ ଏବଂ ବିଦେଶୀ ଗଛ ସମ୍ପର୍କରେ ତଥ୍ୟ ପ୍ରସ୍ତୁତ କରିବା । କିନ୍ତୁ ଏବେ ଏହି ବିଭାଗ ଗବେଷଣା ଶବ୍ଦକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଉଦ୍ଭିଦ ବିଜ୍ଞାନ କେନ୍ଦ୍ରକୁ ପରାମର୍ଶଦାତା ଦାୟିତ୍ୱ ଦେଇ ବିଭାଗ ଚୁପ୍ । ଏ ବାବଦକୁ ବିପୁଳ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ବିଭାଗକୁ ଫାଇଦା କେତେ ତାହାର ସମୀକ୍ଷା ହେଉନାହିଁ ।