ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଆଜି (ଅଗଷ୍ଟ ୩୦) ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି । ଚମ୍ପାଇ ସୋରେନ୍ ‘ପଦ୍ମ’ ଧରିବା ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)କୁ ଏକ ଶକ୍ତ ଝଟକା ଲାଗିଛି । ଅବଶ୍ୟ ସେ ଗତକାଲି ଜେଏମଏମରୁ ଇସ୍ତଫା ଦେଇଥିଲେ । ସେପଟେ ଡ୍ୟାମେଜ୍ କଂଟ୍ରୋଲ ଲାଗି ହେମନ୍ତ ସୋରେନ ରାମଦାସ ସୋରେନଙ୍କୁ ଚମ୍ପାଇଙ୍କ ସ୍ଥାନରେ ମନ୍ତ୍ରୀ କରିଛନ୍ତି ।
ଆଜି ଚମ୍ପାଇ ସୋରେନଙ୍କୁ ସ୍ବାଗତ କରିବାକୁ ରାଞ୍ଚିର ଶାଖା ମୈଦାନରେ ଅଭିନନ୍ଦନ ଓ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ପ୍ରଭାରୀ ଶିବରାଜ ସିଂହ ଚୌହାନ, ନିର୍ବାଚନ ସହପ୍ରଭାବରୀ ହିମନ୍ତ ବିଶ୍ବଶର୍ମା, ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡିଙ୍କ ସେମତ ଝାଡ଼ଖଣ୍ଡ ବିଜେପିର ପ୍ରାୟ ସମସ୍ତ ନେତା ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ଉପସ୍ଥିତ ଥିଲେ ।
ଝାଡ଼ଖଣ୍ଡରେ ରାଜନୈତିକ ହଟଚମଟ ଜାରି ରହିଛି । ଦିନେ ହେମନ୍ତ ସୋରେନଙ୍କ ବିଶ୍ବସ୍ତ ଥିବା ଚମ୍ପାଇ ସୋରେନ ଜେଏମଏ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ହେମନ୍ତ ସୋରେନ ମନି ଲଣ୍ଡରିଂ ମାମଲାରେ ପ୍ରାୟ ୫ ମାସ ଜେଲ ଯାଇଥିଲେ । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ । କିନ୍ତୁ ହେମନ୍ତ ସୋରେନ ଜେଲରୁ ଫେରିବା ପରେ ହଠାତ ଚମ୍ପାଇ ସୋରେନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ପରେ ହେମନ୍ତ ସୋରେନ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ । ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଚମ୍ପାଇ ସୋରେନ । ଫଳସୁରୂପ ଆଜି ତାର ପରିଣାମ ଜେଏମଏମକୁ ଭୋଗିବାକୁ ପଡ଼ିଛି ବୋଲି କୁହାଯାଉଛି ।