ଜୟପୁର: ଶନିବାର ରାଜସ୍ଥାନର ରାଜଧାନୀ ଜୟପୁରରେ ବିଜେପିର ନୂଆ ରାଜ୍ୟ ସଭାପତି ମଦନ ରାଠୋର ପଦଭାର ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ବସୁନ୍ଧରା ରାଜେ ଉପସ୍ଥିତ ଥିଲେ । ମଞ୍ଚରେ ଭାଷଣ ଦେଉଥିବା ବେଳେ ତାଙ୍କର ଦୁଃଖ ସ୍ପଷ୍ଟ ବାରିହୋଇ ପଡ଼ିଛି । ସେ କହିଛନ୍ତି, ରାଜନୀତିରେ ସମସ୍ତଙ୍କୁ ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡ଼େ । ରାଜନୀତିର ଅନ୍ୟନାମ ଉତ୍ଥାନ-ପତନ । ପ୍ରତିଟି ଲୋକକୁ ଏହି ପରିସ୍ଥିତି ଦେଇ ଗତି କରିବାକୁ ପଡ଼େ।
ସେ ଆହୁରି ମଧ୍ୟ କହିଛନ୍ତି, ‘ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩ଟି କଥା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି – ପଦ, ସ୍ଥିତି/ଛବି ଏବଂ ଅହଂକାର । ସବୁ ଜାଣିଛନ୍ତି ପଦ ଓ ଅହଂକାର ସ୍ଥାୟୀ ନୁହେଁ । କିନ୍ତୁ ଗୋଟିଏ କଥା ଅଛି ତାହା ହେଉଛି ସ୍ଥିତି । ଯଦି ଆପଣ ଭଲ କାମ କରୁଛନ୍ତି ତେବେ ଲୋକେ ମନେ ରଖନ୍ତି । ଯଦି ପଦର ଅହଂକାର କାହା ପାଖରେ ଆସେ ତେବେ ତାର ଛବି ବା ସ୍ଥିତି ଖରାପ ହୋଇଯାଏ । ଆଜିର ସମୟରେ ଏହା ହିଁ ହେଉଛି ।’
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ମୁଁ ଜାଣିଛି ଆପଣଙ୍କ ସହ ଆଜି ଏଭଳି ଜଣେ କାର୍ଯ୍ୟକର୍ତ୍ତା ଅଛନ୍ତି ଯିଏ କେବେ ବି ଅହଂକାର କରିବ ନାହିଁ ବରଂ ଆପଣମାନଙ୍କୁ ଆଗକୁ ବଢ଼ିବା ଲାଗି ସବୁକିଛି କରିବ । ଏଭଳି ବ୍ୟକ୍ତିଙ୍କୁ ହିଁ ଆମ ପାର୍ଟିର ଆବଶ୍ୟକତା ରହିଛି । ଏଥିପାଇଁ ଦୁନିଆରେ ବଡ଼ ପାର୍ଟି ହୋଇପାରିଛି ବିଜେପି । ଏହି ସବୁ କର୍ତ୍ତବ୍ୟ ନିର୍ବାହର ଦାୟିତ୍ବ ପ୍ରଦେଶ ଅଧ୍ୟକ୍ଷଙ୍କୁ ଦିଆଯାଏ ।’
ବସନ୍ଧୁରା ରାଜେ କହିଛନ୍ତି, ମୋ ନଜରରେ ସବୁଠାରୁ ବଡ଼ ପଦ ହେଉଛନ୍ତି ଜନତାଙ୍କ ଆକାଂକ୍ଷା । ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ବସୁନ୍ଧରା ରାଜେଙ୍କୁ ଝଟ୍କା ଦେଇ ବିଜେପି ପ୍ରଥମ ଥର ବିଧାୟକ ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଏହାକୁ ନେଇ ବସୁନ୍ଧରା ରାଜେ ନାରାଜ ହୋଇଥିବା ନେଇ ମଧ୍ୟ ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡ଼ିଥିଲା । ଆଜି ମଞ୍ଚ ଉପରେ ଏଭଳି ଭାଷଣ ମାଧ୍ୟମରେ ବସୁନ୍ଧରା ରାଜେ ତାଙ୍କ ଭିତରେ ଥିବା କୋହକୁ ବାହାର କରିଥିବା କୁହାଯାଉଛି ।