ନୂଆଦିଲ୍ଲୀ: ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ମର୍ଣ୍ଣି ମୋର୍କେଲଙ୍କୁ ଭାରତୀୟ ଟିମ୍ର ବୋଲିଂ କୋଚ୍ ନିଯୁକ୍ତ କରିଛି ବିସିସିଆଇ। ସେ ସେପ୍ଟେମ୍ବର ୧ରୁ ଭାରତୀୟ ଦଳର କୋଚିଂ ଷ୍ଟାଫ ଶିବିରରେ ସାମିଲ ହେବେ । ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରୁ ସେ ତାଙ୍କର ପ୍ରଶିକ୍ଷଣ ଯାତ୍ରା ଆରମ୍ଭ କରିବେ । ମୋର୍କେଲଙ୍କୁ ଭାରତୀୟ ଦଳରେ ବୋଲିଂ କୋଚ୍ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ କାର୍ଯ୍ୟ କରିବା ଲାଗି ପୁଣି ଥରେ ସୁଯୋଗ ମିଳିଛି । କାରଣ ଉଭୟ କୋଲକାତା ନାଇଟ୍ ରାଇଡର୍ସ ଲାଗି ମିଳିତ ଭାବରେ କାର୍ଯ୍ୟ କରୁଥିଲେ । ଏହା ବ୍ୟତୀତ ଗମ୍ଭୀର ଏବଂ ମୋର୍କେଲ୍ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଲାଗି ମଧ୍ୟ କାର୍ଯ୍ୟ କରିଥିଲେ ।
ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ‘ହଁ, ମର୍ଣ୍ଣି ମୋର୍କେଲ୍ ସିନିୟର ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି ।’ ତେବେ ଏକ ମାସ ପୂର୍ବରୁ ମର୍ଣ୍ଣି ମୋର୍କେଲ୍ ଭାରତୀୟ ଟିମ୍ର ବୋଲିଂ କୋଚ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ସେ ମୋର୍କେଲଙ୍କୁ ବୋଲିଂ କୋଚ୍ କରିପାରନ୍ତି ବୋଲି କୁହାଯାଉଥିଲା । ଆଉ ଏବେ ମର୍ଣ୍ଣି ମୋର୍କେଲ୍, ପାରସ ମାହମ୍ବ୍ରେଙ୍କ ସ୍ଥାନ ନେଇଛନ୍ତି । ଡନକନ ପ୍ଲେଚରଙ୍କ ପରେ ପ୍ରାୟ ୧୦ ବର୍ଷ ପରେ ବିସିସିଆଇ ବିଦେଶୀ ଖେଳାଳିଙ୍କୁ ବୋଲିଂ କୋଚ୍ ନିଯୁକ୍ତ କରିଛି ।
ଏହା ପୂର୍ବରୁ ୨୦୨୩ ଦିନିକିଆ ବିଶ୍ବକପରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଟିମ୍କୁ ବୋଲିଂ ପ୍ରଶିକ୍ଷଣ ଦେଇଥିଲେ ମର୍ଣ୍ଣି ମୋର୍କେଲ । ପିସିବି ସହ ଚୁକ୍ତି ଶେଷ ହେବାର କେଇ ମାସ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ମୋର୍କେଲଙ୍କ ପ୍ରଶିକ୍ଷଣ ସତ୍ତ୍ୱେ ପାକିସ୍ତାନ ଟିମ୍ ବିଶ୍ବକପର ସେମିଫାଇନାଲରେ ପହଞ୍ଚି ପାରିନଥିଲା ।