ନୂଆଦିଲ୍ଲୀ, ୨୯/୮: ଟେଲିଗ୍ରାମ ସିଇଓ ପାଭେଲ ଡୁରୋଭଙ୍କ ବିରୋଧ ଆସିଛି ସଙ୍ଗୀନ ଅଭିଯୋଗ।ତାଙ୍କ ବିରୋଧରେ ଟଙ୍କା ହେର୍ଫେର୍, ତସ୍କରୀ ଓ ଦୁର୍ନୀତି, ଡାଟା ଲିକ୍ ଭଳି ଅନେକ ଗୁରୁତର ଅଭିଯୋଗ ହୋଇଛି। ଏସବୁ ମାମଲାର ଯାଞ୍ଚ କରାଯିବ। ତଦନ୍ତ ପୂରା ନହେବା ଯାଏ ସେ ଫ୍ରାନ୍ସ ଛାଡି ପାରିବେ ନାହିଁ ବୋଲି ଫ୍ରାନ୍ସର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିକଟରେ ଫ୍ରାନ୍ସ ବିମାନ ବନ୍ଦରରୁ ମେସେଜିଂ ଆପ୍ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭ ଗିରଫ କରାଯାଇଥିଲା । ଗତକାଲି ତାଙ୍କୁ ଜାମିନ ମିଳିଛି। ଫ୍ରାନ୍ସର କୋର୍ଟ ତାଙ୍କୁ ଜାମିନ ବାବଦକୁ ୫ ମିଲିୟନ ୟୁରୋ ତଥା ୪୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଫ୍ରାନ୍ସ କର୍ତ୍ତୃପକ୍ଷ ବର୍ତ୍ତମାନ ପାଭେଲ ଡୁରୋଭଙ୍କୁ ଦେଶ ଛାଡିବାକୁ ମନା କରିଛନ୍ତି। ତାଙ୍କୁ ପ୍ରତି ସପ୍ତାହରେ ଦୁଇଥର ପୋଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଛି। ପାଭେଲ ଡୁରୋଭ ରୁଷିଆରେ ଜନ୍ମ ହୋଇଥିଲେ ମଧ୍ୟ ରୁଷିଆ ବ୍ୟତୀତ ତାଙ୍କର ଅନେକ ଦେଶର ନାଗରିକତ୍ୱ ରହିଛି। ଡୁରୋଭ ଗତ କିଛି ବର୍ଷ ଧରି ଫ୍ରାନ୍ସରେ ରହି ଆସୁଥିଲେ। ତାଙ୍କର ଫ୍ରାନ୍ସର ନାଗରିକତା ମଧ୍ୟ ଅଛି। ରୁଷିଆ ଏବଂ ଫ୍ରାନ୍ସ ବ୍ୟତୀତ ଟେଲିଗ୍ରାମ ସିଇଓଙ୍କର ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସେଣ୍ଟ କିଟ୍ସ ଏବଂ ନେଭିସର ନାଗରିକତା ମଧ୍ୟ ରହିଛି। ହେଲେ ତାଙ୍କ ଗିରଫଦାରୀ ଯୋଗୁ ଫ୍ରାନ୍ସ ଓ ରୁଷର ସମ୍ପର୍କ ଉପରେ ପ୍ରଭାବ ପଡିଛି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କ୍ରେମଲିନ୍ ମୁଖପାତ୍ର କହିଛନ୍ତି ଯେ ରୁଷ ଡୁରୋଭଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ, କିନ୍ତୁ ତାଙ୍କ ଫ୍ରାନ୍ସର ନାଗରିକତ୍ୱ ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡିଛି।