ପ୍ରମୂଖ ଖବର

ଗଞ୍ଜାମରେ ହେବ ରୋଚକ ଲଢ଼େଇ, ଏଥର ୫ ହେଭିୱେଟ୍‌ଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଭୋଟ୍‌ ଫଳାଫଳ

ବ୍ରହ୍ମପୁର,୧୦/୦୫: ଗଞ୍ଜାମ ଜିଲ୍ଲାର ୫  ହାଇପ୍ରୋଫାଇଲ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ବ୍ରହ୍ମପୁର, ଗୋପାଳପୁର, ଦିଗପହଣ୍ଡି, ଭଞ୍ଜନଗର ଓ ସାନଖେମୁଣ୍ଡି  ବିଧାନସଭା ଆସନରେ ଏସବୁ ହେଭିୱେଟ୍‌  ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବ୍ରହ୍ମପୁର ଆସନରୁ ବିଜେଡି ପ୍ରାର୍ଥୀ ଡା. ରମେଶଚନ୍ଦ୍ର  ଚ୍ୟାଉପଟ୍ଟନାୟକ, ଗୋପାଳପୁର ଆସନରୁ  ବିଜେଡିର ବିକ୍ରମ ପଣ୍ଡା, ଦିଗପହଣ୍ଡି ଆସନରୁ  ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ଭଞ୍ଜନଗର  ଆସନରୁ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ  ଓ ସାନଖେମୁଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ରମେଶ  ଚନ୍ଦ୍ର ଜେନା । ଏହି ସମସ୍ତ ପ୍ରାର୍ଥୀ ରାଜନୀତିରେ  ଲମ୍ବା କ୍ୟାରିୟର ଅତିକ୍ରମ କରିଛନ୍ତି । ଚଳିତ ଥର  ସେମାନଙ୍କ ବିଜୟ କିମ୍ବା ପରାଜୟ ଭବିଷ୍ୟତ ଗତିପଥ ନିର୍ଦ୍ଧାରଣ କରିବା ସମ୍ଭାବନା ରହିଛି ।  

ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡିର  ୫ ଥରର ବିଧାୟକ ଡା. ରମେଶଚନ୍ଦ୍ର  ଚ୍ୟାଉପଟ୍ଟନାୟକ ୫ ବର୍ଷ ବ୍ୟବଧାନରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ମୁକାବିଲା  କରିବାକୁ ମଇଦାନରେ ଠିଆ ହୋଇଛନ୍ତି  ବିଜେପିର ନବାଗତ କେ. ଅନୀଲ କୁମାର ।  ତେଣୁ ଡା. ଚ୍ୟାଉପଟ୍ଟନାୟକଙ୍କ ଏହି ନିର୍ବାଚନ  ଭବିଷ୍ୟତ ରାଜନୀତି କ୍ୟାରିୟରକୁ ପ୍ରଭାବିତ  କରିବ ବୋଲି ଅନେକ ଆକଳନ କରିଛନ୍ତି । ଗୋପାଳପୁର ବିଧାନସଭା ଆସନ ଏବେ  ରାଜ୍ୟ ରାଜନୀତି ଲେନ୍ସରେ ରହିଛି । ବ୍ରହ୍ମପୁର  ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ବିଜେଡି ପ୍ରାର୍ଥୀ କରିଛି । 

ଗୋପାଳପୁର  ଆସନର ୩ ଥର ଲଗାତାର ବିଧାୟକ  ହୋଇଥିବା ପ୍ରଦୀପ ପାଣିଗ୍ରାହି ଦଳରୁ ବହିଷ୍କୃତ  ହେବା ପରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ  ବିଜେପି ପ୍ରାର୍ଥୀ । ଗୋପାଳପୁର ଆସନରେ  ବିଜେପି ବିଭୂତି ଜେନାଙ୍କ ଉପରେ ପୁଣି ଆସ୍ଥା  ପ୍ରକଟ କରିଛି । ସେ ବିଜୟୀ ହେଲେ ତାଙ୍କର  ରାଜନୈତିକ ପତିଆରା ଅକ୍ଷୁର୍ଣ୍ଣ ରହିବ ।  ଦିଗପହଣ୍ଡି ଆସନରେ ବିଜେପିରୁ ପ୍ରାର୍ଥୀ  ହୋଇଛନ୍ତି ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ସେ ବ୍ରହ୍ମପୁର ଲୋକସଭା ଆସନରୁ ୨ ଥର ସାଂସଦ । ତାଙ୍କ ବିପକ୍ଷରେ  ନିର୍ବାଚନ ଲଢ଼ୁଛନ୍ତି ୬ ଥରର ବିଧାୟକ ତଥା ଦିବଙ୍ଗତ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ  ବିପ୍ଲବ ପାତ୍ର । ରାଜନୀତିକୁ ନବାଗତ । ତେବେ  ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଏଠାରେ  କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି ।  

ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ବିକ୍ରମ  କେଶରୀ ଆରୁଖ ସପ୍ତମ ଥର ପାଇଁ ଭଞ୍ଜନଗର  ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ କଡ଼ା ଚାଲେଞ୍ଜ ଦେଉଛନ୍ତି  ବିଜେପିର ପ୍ରଦ୍ୟୁମ୍ନ ନାୟକ । ଗତଥର ବିକ୍ରମ  ପ୍ରାୟ ୯ ହଜାର ଭୋଟରେ ବିଜୟୀ ହୋଇଥିଲେ ।  ପ୍ରତି ନିର୍ବାଚନରେ ତାଙ୍କର ଭୋଟ ହାର ହ୍ରାସ  ପାଇଥିବା ଜଣାପଡ଼ିଛି । ଚଳିତ ନିର୍ବାଚନରେ  ଏଭଳି ସ୍ଥିତି ଲାଗି ରହିଲେ ବିଜେଡି ପାଇଁ  କଡ଼ା ଚାଲେଞ୍ଜ ହେବା ଆଶଙ୍କା ରହିଛି ।  

ସାନଖେମୁଣ୍ଡି ଆସନରେ କଂଗ୍ରେସ ପ୍ରାର୍ଥୀ  ରମେଶ ଜେନା ୨୦୦୯ ଓ ୨୦୧୯ରେ ସେ  ଦୁଇ ଥରର ବିଧାୟକ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ସେ ଚତୁର୍ଥ ଥର ଭାଗ୍ୟ  ପରୀକ୍ଷା କରୁଛନ୍ତି । ଗଞ୍ଜାମ ଜିଲ୍ଲାର ଏକମାତ୍ର  ଆସନରେ କଂଗ୍ରେସର ପତିଆରା ରହିଥିବାରୁ ସେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ।  ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି  ରମେଶ ଜେନାଙ୍କୁ ଏଥର କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିଛି । ପୂର୍ବ ବିଧାୟିକା  ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି  ଦେବୀଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.