ନୂଆଦିଲ୍ଲୀ,୧୪।୧୧: ଗାଜାର ସବୁଠାରୁ ବଡ ହସ୍ପିଟାଲ ଅଲ୍ ଶିଫ ଏବେ ଶ୍ମଶାନରେ ପରିଣିତ ହୋଇଛି। ଏବେ ଏଠାରେ ସ୍ଥିତି ଏଭଳି ଖରାପ ହୋଇସାରିଛି ଯେ, ମୃତଦେହକୁ ହସ୍ପିଟାଲ ପରିସରରେ ପୋତିବାକୁ ପଡୁଛି। ମିଳିଥିବା ସୂଚନା ଅନୁସାରେ, ୧୭୦ ମୃତଦେହକୁ ପୋତା ଯାଇଛି, ଯେଉଁଥିରେ ବହୁ ସଂଖ୍ୟାରେ ଶିଶୁ ରହିଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଖୁବ୍ ଶୀଘ୍ର ପୋତାନଗଲେ ସଢିବା ଆରମ୍ଭ ହୋଇଯିବ ଓ ଏଠାରେ ସଫେଇ କାମରେ ସମସ୍ୟା ହେବ। ଏଭଳି ଦାବି କରାଯାଉଛି ଯେ, ଏହି ହସ୍ପିଟାଲକୁ ଇସ୍ରାଏଲୀ ଟ୍ୟାଙ୍କ ଘେରି ନେଇଛି। ଇସ୍ରାଏଲର କହିବା ଅନୁସାରେ, ଏହି ହସ୍ପିଟାଲରେ ହମାସ ଆତଙ୍କବାଦୀମାନେ ଶରଣ ନେଇଥିଲେ ଓ ସୁଡଙ୍ଗର ନେଟଓ୍ବର୍କ ଏହା ସହିତ ଯୋଡି ହୋଇ ରହିଛି।
ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ୍ ଅଲ୍ କିନ୍ଦ୍ରା ଓ ଡାକ୍ତର ଅହମ୍ମଦ ଅଲ୍ ମୋଖାଲତି କହିଛନ୍ତି, ଏହି ମୃତଦେହକୁ ଶିଫା ମେଡିକାଲ ପରିସର ଭିତରେ ସାମୁହିକ ଭାବରେ ପୋତାଯିବ। ସେ କହିଛନ୍ତି, ସ୍ଥିତି ବହୁତ କଷ୍ଟକର ହୋଇସାରିଛି, କାରଣ ଆମକୁ ଆଇସିସିଆରସିଠାରୁ କୌଣସି ସାହାଯ୍ୟ ମିଳୁନି। ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। କାରଣ ଶବ ସଢିବା ଆରମ୍ଭ କରିସାରିଛି।ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି, ଏବେ ହସ୍ପିଟାଲକୁ ଫୁଏଲ ସପ୍ଲାଇ ବନ୍ଦ ହୋଇଯାଇଥିବା କାରଣରୁ ଆଇସିୟୁରେ ଥିବା ୭ ଜଣ ଶିଶୁ ଓ ୨୯ ରୋଗୀଙ୍କୁ ପୋତିବାକୁ ପଡିଛି।
ହସ୍ପିଟାଲରେ ଥିବା ଲୋକଙ୍କ କହିବା ଅନୁସାରେ, ସ୍ଥିତି ଖୁବ୍ ଖରାପ ହୋଇସାରିଛି। ଚାରିଆଡେ ମୃତଦେହରୁ ଗନ୍ଧ ବାହାରୁଛି। ଏପରିକି ଡାକ୍ତରମାନେ ଏଭଳି କାଣ୍ଡକୁ ଅମାନବୀୟ ବୋଲି କହିଛନ୍ତି। ହସ୍ପିଟାଲ ଭିତରେ ଖାଦ୍ୟ, ପାଣି କିମ୍ବା ବିଜୁଳି ନାହିଁ। ଅଲ୍ ଶିଫା ହସ୍ପିଟାଲ ଗତ ୭୨ ଘଣ୍ଟାରୁ ଅଧିକ ସମୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି। କାରଣ ଇସ୍ରାଏଲ ସେନା ଏହାକୁ ଘେରି ରହିଛି। ଇସ୍ରାଏଲ ସେନା କହୁଛି ଏହି ହସ୍ପିଟାଲର ସେହି ଟନେଲ ଠିକ୍ ଉପରେ ହମାସ ହେଡକ୍ବାଟର ରହିଛି। ଆତଙ୍କବାଦୀମାନେ ହସ୍ପିଟାଲ ଓ ରୋଗୀଙ୍କୁ ହ୍ୟୁମାନ ଶିଲ୍ଡ ଭାବରେ ବ୍ୟବହାର କରୁଛନ୍ତି। ତେବେ ଗାଜାର ସ୍ବାସ୍ଥ୍ୟ ଅଧିକାରୀମାନେ ଏହାକୁ ମନା କରିଛନ୍ତି।