ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ

ଭୁବନେଶ୍ୱର,୧୯/୦୪: ଘରେ ନ ପଶୁଣୁ ବାଜିଲାଣି ଚାଳ । ଅସନ୍ତୋଷର ନିଆଁ କୁହୁଳୁଛି । ପ୍ରାର୍ଥୀ ଚୟନକୁ ନେଇ ତୃଣମୂଳସ୍ତରର କର୍ମୀ ନାରାଜ । ବିରୋଧ ଆଉ ବିଦ୍ରୋହ ଦଳର ତଣ୍ଟିରେ କଣ୍ଟା ହୋଇ ଲାଖିଛି । ଭାରାକ୍ରାନ୍ତ ରାଜ୍ୟ ବିଜେପି କେମିତି ଆଗକୁ ଯିବ, ଭୋଟ ଲଢ଼ିବ ବାଟ ପାଉନି । ଅଧିକାଂଶ ବିଧାନସଭା ଆସନରେ ଦଳର ଏଭଳି ସ୍ଥିତି ରାଜ୍ୟ ନେତୃତ୍ୱର ମୁଣ୍ଡବ୍ୟଥା ବଢ଼ାଇଛି । ପ୍ରଥମ ଦଫା ଭୋଟ ପାଇଁ ବିଜ୍ଞପ୍ତି ଜାରି ସହ ନାମାଙ୍କନ ଆରମ୍ଭ ହୋଇଛି । ପଦ୍ମ ଦଳ କିନ୍ତୁ ଏଯାଏ ଜୟପୁର ଆସନ ପାଇଁ ପ୍ରାର୍ଥୀ ଦରାଣ୍ଡୁଛି । ବିଜୁ ଜନତା ଦଳ ସମରସଜ୍ଜାରେ ବେଶ୍‌ ଆଗରେ ଥିଲା ବେଳେ ବିଜେପି ବହୁ ପଛରେ ପଡ଼ିଛି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୁପାରିସ କ୍ରମେ ବିଜେଡିରୁ ବହିଷ୍କୃତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କୋଳେଇ ନେଇଥିଲା । ମାତ୍ର ଜଗଦ୍ଦେବଙ୍କୁ ନେଇ ବିଜେପି କଳି ଖୋର୍ଦ୍ଧା ଡେଇଁ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଲା । ଖୋର୍ଦ୍ଧାରେ ଗତଥର ପଦ୍ମଚିହ୍ନରେ ଲଢ଼ିଥିବା କାଳୁ ଖଣ୍ଡାଏତରାୟଙ୍କ ସମର୍ଥକ ମହାମେଳି କରି ହଙ୍ଗାମା କଲେ । ଅପରାଜିତା କେମିତି ଜଗଦ୍ଦେବଙ୍କୁ ବିଧାୟକ ପ୍ରାର୍ଥୀ ବୋଲି ସଭାରେ କହିଲେ ଦର୍ଶାଇ କୈଫିୟତ୍‌ ମାଗିଲେ । ଦଳ ଏମିତି ଅକଳରେ ପଡ଼ିଛି ଯେ କାଳୁ ନା ଜଗଦ୍ଦେବ କିଏ ବାଛିପାରୁନି । ଖୋର୍ଦ୍ଧା ସହ ବେଗୁନିଆ ସିଟ୍‌ ଝୁଲିକି ରହିଛି । ସାଂସଦଙ୍କ ଉପସ୍ଥିତିରେ ଜଣେ ସାମ୍ବାଦିକଙ୍କୁ ଜଗଦ୍ଦେବଙ୍କ ଆକ୍ରମଣ ଦଳ ମୁହଁରେ କଳା ବୋଳିଛି । 

ନୟାଗଡ଼ରେ ବିଜେପି ସଂଗଠନକୁ ସଜାଡ଼ିଥିଲେ ଇରାନୀ ରାୟ । ଦଳ କିନ୍ତୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ଭରସା କଲା । ଇରାନୀ ବିଜେଡିକୁ ଆସିଲେ । ପ୍ରତିହିଂସାରେ ଫଁ ଫଁ ହୋଇ ପ୍ରତ୍ୟୁଷାଙ୍କ ପରାଜୟ ପାଇଁ ଆରମ୍ଭ କରିଛନ୍ତି ଗୋଟି ଚାଳନା । ସୋରରେ ରାଜେନ୍ଦ୍ର ଦାସଙ୍କୁ ଦଳ ଟିକଟ ଦେଇଛି । ତଳସ୍ତରର କର୍ମୀ ଖୋଲା ବିଦ୍ରୋହ କଲେଣି । ରାଜୁଙ୍କ ଅକଲଗୁଡ଼ୁମ୍‌ । ସାରା ରାଜ୍ୟରେ ବିଜେପି ଏବେ ଅକଳରେ ପଡ଼ିଛି । ଦଳକୁ ଘାରିଛି ଆତ୍ମଘାତୀ ଚିନ୍ତା । ଟିକଟ ନ ପାଇ ଅପମାନ ଓ ପ୍ରତିଶୋଧର ନିଆଁରେ ଜଳୁଥିବା ଏହି ଆତ୍ମଘାତୀ ନେତାମାନେ ବିଜେପିକୁ ପାନେ ଦେବାକୁ ପଣ କରିଛନ୍ତି ।

ଦଳର ବହୁ ପୁରୁଣା ସିପାହୀଙ୍କୁ ବିଜେପି ଅଣଦେଖା କରି ଟିକଟ କାଟିଛି । ପଦ୍ମ ଶିବିରର ‘ଦଳଡିଆଁ’ଙ୍କୁ ଜ୍ୱାଇଁପୁଅ ଚର୍ଚ୍ଚା ପୁରୁଣା ନେତାଙ୍କୁ ଅଣଦେଖାରୁ ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳୁଛି । ନିୟମିତ ପାର୍ଟି ଅଫିସରେ ହଙ୍ଗାମା, ହୋହଲ୍ଲା ସହ ଚୌକିଫିଙ୍ଗା ବିଜେପିର ନାକ ଘୋଷାରିଲାଣି ।  ଅସନ୍ତୋଷକୁ ପ୍ରଶମିତ କରିବାକୁ ଛାମୁଆ ନେତାଙ୍କ ଉଦ୍ୟମ ଫେଲ୍‌ ମାରିଛି । ଦଳ ପାଇଁ ଏହା ଏବେ ହୋଇଛି ବୁମେରାଂ । 

କେବଳ ଯେ ଉପକୂଳ ଓଡ଼ିଶାରେ ଦଳ ଏମିତି ଝୁଣ୍ଟୁଛି ତା ନୁହେଁ । ପଶ୍ଚିମ ଓଡ଼ିଶାରେ ଓ ଉତ୍ତର ଓଡ଼ିଶାରେ ମଧ୍ୟ ବିଦ୍ରୋହୀ ନିଦ ହଜାଇ ଦେଲେଣି । କୋଇଲା ଦୁର୍ନୀତି ମାମଲାରେ ହାଇକାର୍ଟରୁ ଆଶ୍ୱସ୍ତି ପାଇବା ପରେ ଦିଲ୍ଲୀପ ରାୟଙ୍କୁ ରାଉରକେଲାରୁ ମିଳିଛି ଟିକଟ । ଏହାକୁ ଖୋଲା ବିରୋଧ କରୁଛନ୍ତି ନିହାର ରାୟ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଡେଣା କାଟି ଦେଇଛି ଦଳ । ନା ଲୋକସଭା ନା ବିଧାନସଭା, ଟୁଡୁଙ୍କୁ ଦଳ କେଉଁଠି ଭରସାକୁ ନେଇନି । ଟୁଡୁ ରକ୍ତ ଚାଉଳ ଚୋବାଉଛନ୍ତି । ସାରସକଣା ବିଧାୟକ ବୁଧାନ ମୁର୍ମୁଙ୍କ ଟିକଟ କଟିବା ପରେ ସେ ଖୋଲା ବିଦ୍ରୋହ ଘୋଷଣା କଲେଣି । ସେ ଏବେ କଂଗ୍ରେସ କ୍ୟାମ୍ପ ସହ ଯୋଗାଯୋଗରେ ।

  ରଣପୁର ଆସନରେ ପ୍ରଥମେ ଦଳ ଭେଟେରାନ ସୁରମା ପାଢ଼ୀଙ୍କୁ ଭରସା ନକରି ତାପସ ରଂଜନ ମାର୍ଥାଙ୍କୁ ଯୋଦ୍ଧା ଘୋଷଣା କରିଥିଲା । ସୁରମାଙ୍କ ସମର୍ଥକ ଉଗ୍ରରୂପ ଧାରଣ କରିବାରୁ ତାପସ ବଦଳିଲେ । ରାଗ ଜର୍ଜରିତ ତାପସ ସୁରମାଙ୍କୁ ପାନେ ଦେବାକୁ ଏବେ ଦଳର ଗୋଛି କାଟିବାକୁ ଗୋଟି ଚଳାଇବେ । ରାଜ୍ୟର ବହୁ ଆସନରେ ଏବେ ଦଳରେ ଏମିତି ଛକାପଞ୍ଝା ।

  ବିଜେପି ରାଜ୍ୟରେ ସରକାର ଗଢ଼ିବାର ସ୍ୱପ୍ନ ଦେଖୁଥିଲା ବେଳେ ଭୋଟ ସମରସଜ୍ଜାରେ  ବ୍ୟାକ୍‌ଫୁଟରେ ଅଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ବିଜେଡି ପ୍ରଚାର ଓ ରଣକୌଶଳରେ ମାତ୍‌ ଦେଇ ବିଜେଡି ଆଗକୁ ମାଡ଼ି ଚାଲିଛି । ବିଜେପି କିନ୍ତୁ ଏଯାଏ ବିଦ୍ରୋହୀଙ୍କ ମାନଭଞ୍ଜନ କରିବାରେ ସକ୍ଷମ ହୋଇନି । ଟିକଟ ଜାରି ହୋଇଥିବା ୬୦ ପ୍ରତିଶତ ଆସନରେ ବିଦ୍ରୋହୀ ବଳ ବଢ଼ାଉଛନ୍ତି । ଦଳର ଅଙ୍କକୁ ବିଦ୍ରୋହୀଙ୍କ ଗେମପ୍ଳାନ ପୂରା ଓଲଟପାଲଟ କରିଦେବେ କି? ଏହାକୁ ନେଇ ରାଜ୍ୟ ନେତୃତ୍ୱ ଚିନ୍ତାରେ ଏବେ ଛଟପଟ । କେମିତି ଘର କଳି ତୁଟାଇ ମଇଦାନକୁ ଦଳ ଓହ୍ଲାଇବ ବାଟ ପାଉନି ।

Also Read :-

ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଲେ ସାଉଥ୍‌ ଫିଲ୍ମର ଅଭିନେତା, ରଜନୀକାନ୍ତଙ୍କ ପାଇଁ ଲାଗିଲା ପ୍ରବଳ ଗହଳି

  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.