ପ୍ରମୂଖ ଖବର

ମେଣ୍ଟ ଚର୍ଚ୍ଚାରେ ଅବସାନ: ଟିକେଟ୍ ପାଇଁ ନେତାଙ୍କ ଲବି ଆରମ୍ଭ, ସମ୍ବଲପୁରରେ ବିଜେଡି ଆଶାୟୀଙ୍କ ଲମ୍ବା ତାଲିକା

ସମ୍ବଲପୁର,୨୩/୦୩: ବିଜେପି-ବିଜେଡି ମେଣ୍ଟ ଉପରେ ଲାଗିଲା ବିରାମ । ପଡ଼ିଲା ପୂର୍ଣ୍ଣଛେଦ । ଏବେ ଦୁଇ ଦଳର ନେତା ଆଶ୍ୱସ୍ତ । ତୃଣମୂଳସ୍ତର କର୍ମୀ ବି ଖୁସ୍‌ । ତେଣୁ ଆଜିଠାରୁ ନିଜର ପୂର୍ଣ୍ଣ ଶକ୍ତି ଲଗାଇ ଆରମ୍ଭ  କରିଛନ୍ତି ଲବି । ଦଳର ଟିକଟ ହାତେଇବାକୁ ଜୋରଦାର କସରତ କରୁଛନ୍ତି ।   

ସମ୍ବଲପୁର ବିଧାନସଭା ମଣ୍ଡଳୀ ପାଇଁ ବିଜେଡି  ଆଶାୟୀଙ୍କ ତାଲିକା ଲମ୍ବା । ଜିଲ୍ଲା ସଭାପତି  ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ରାସେଶ୍ୱରୀ  ପାଣିଗ୍ରାହୀ, ସିଦ୍ଧାର୍ଥ ଦାସ, ସିଦ୍ଧାର୍ଥ ସାହାଙ୍କଠାରୁ  ନେଇ ଦଳରେ ନ ଥିବା ଅନେକ ଯୁବ ଚେହେରା  ଓ ସମାଜସେବୀ ଆଶାବାଦୀ ଅଛନ୍ତି । ରେଢ଼ାଖୋଲ  ଆସନ ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ,  ଯୁବନେତା ତଥା କେନ୍ଦୁପତ୍ର ୱେଲଫେୟାର  ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି, ଅବସରପ୍ରାପ୍ତ  ପ୍ରଶାସକ ପ୍ରମୋଦ ବେହେରା ମଧ୍ୟ ଏହି ଆସନ  ପାଇଁ ଜୋରଦାର ଲବି କରୁଛନ୍ତି ।   

ଅନ୍ୟପଟେ, ରେଙ୍ଗାଲି ଓ କୁଚିଣ୍ଡାରେ ବିଜେଡି  ଟିକଟ ପରିବର୍ତ୍ତନ କରୁଥିବା ଏକ ପ୍ରକାର ନିଶ୍ଚିତ  ହୋଇଛି । କୁଚିଣ୍ଡାରେ ବିଜେଡି ବିଧାୟକ କିଶୋର  ନାୟକ ଥିଲେ ମଧ୍ୟ ତାଙ୍କ ବିରୋଧରେ ଥିବା ଜନ  ଅସନ୍ତୋଷ ପାଇଁ ଦଳ ଟିକଟ ପରିବର୍ତ୍ତନ କରିବା  ନିଶ୍ଚିତ ବୋଲି କୁହାଯାଉଛି । ତଥାପି ସେ ଆଶା  ଛାଡି ନାହାନ୍ତି । ୨୪ ତାରିଖ ଦିନ ସମ୍ବଲପୁର  ଲୋକସଭା ମଣ୍ଡଳୀ ପାଇଁ ନବୀନ ନିବାସରେ  ବୈଠକ ରହିଛି । ସେଠାରେ ଆଲୋଚନା ଏକ  ପ୍ରକାର ଶେଷ ନିଷ୍ପତ୍ତି ବୋଲି କୁହାଯାଉଛି ।   

ବିଜେପିରେ ମଧ୍ୟ ଟିକଟ ଦୌଡରେ ଅନେକ  ଆଶାୟୀ ରହିଛନ୍ତି । ହେଲେ ସମ୍ବଲପୁରକୁ  ଜୟନାରାୟଣ ମିଶ୍ର ଫେରିବା ପରେ ଅନ୍ୟ  ଆଶାୟୀଙ୍କ ଆଶାରେ ପୂର୍ଣ୍ଣଛେଦ ପଡିଥିବା  କୁହାଯାଉଛି । ଦଳ ମଧ୍ୟ ଜୟଙ୍କୁ ବଦଳାଇ  କୌଣସି ରିସ୍କ ନେବାକୁ ଚାହୁଁନି । ସେହିଭଳି  ରେଙ୍ଗାଲି ଓ କୁଚିଣ୍ଡାରେ ମଧ୍ୟ କୌଣସି  ପରିବର୍ତ୍ତନ ହେବାର ଆଶା ନାହିଁ । ରେଙ୍ଗାଲି  ପାଇଁ ନାଉରୀ ନାୟକ ଓ କୁଚିଣ୍ଡା ପାଇଁ ରବି  ନାୟକଙ୍କ ଟିକଟ୍‌ ପକ୍କା ଥିବା ଚର୍ଚ୍ଚା ହେଉଛି ।  ହେଲେ ବିଜେପିକୁ ଅଡୁଆ ସାଜିଛି ରେଢ଼ାଖୋଲ  ବିଧାନସଭା ଆସନ । ୨୦୧୯ ନିର୍ବାଚନରେ  ବିଧାନସଭା ପ୍ରାର୍ଥୀ ହୋଇଥିବା ଦେବେନ୍ଦ୍ର  ମହାପାତ୍ର ଓ ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲଙ୍କ  ମଧ୍ୟରେ କଡା ଟକ୍କର ଚାଲିଛି । ଦଳ କାହାକୁ  ଟିକଟ୍‌ ଦେବ କୌଣସି ସ୍ପଷ୍ଟତା ନାହିଁ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.