ନୂଆଦିଲ୍ଲୀ ୦୭/୦୬: ଗ୍ରୀନ୍ଲ୍ୟାଣ୍ଡର ବରଫ ଚାଦରରେ ବୈଜ୍ଞାନିକମାନେ ରହସ୍ୟମୟ ବିଶାଳକାୟ ଭାଇରସ୍ ଆବିଷ୍କାର କରିଛନ୍ତି । ୧୯୮୧ ମସିହାରେ ମହାସାଗରରେ ଏହି ଭାଇରସ୍ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା । ଏଗୁଡ଼ିକ ସଧାରଣତଃ ସମୁଦ୍ରରେ ଶୈବାଳଗୁଡ଼ିକୁ ସଂକ୍ରମିତ କରନ୍ତି । କିନ୍ତୁ ପ୍ରଥମ ଥର ଏହି ବିଶାଳକାୟ ଭାଇରସ୍ ବରଫ ଚାଦରରେ ଚିହ୍ନଟ ହୋଇଛି । ଡେନ୍ମାର୍କର ଆରହସ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହାକୁ ଭଲ ଖବର ବୋଲି କହିଛନ୍ତି । ସେମାନଙ୍କ କହିବା ଅନୁସାରେ, ଏହି ବିଶାଳକାୟ ଭାଇରସ୍ କୌଣସି ଗୁପ୍ତ ଅସ୍ତ୍ର ଭାବେ କାର୍ଯ୍ୟ କରୁଥାଇ ପାରନ୍ତି ।
ଏମାନେ ବରଫ ତରଳିବା ହାରକୁ ଧିମା କରୁଥାଇ ପାରନ୍ତି । ମାଇକ୍ରୋବାୟୋମ ନାମକ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଅଧ୍ୟୟନର ଗବେଷକ ଲୌରା ପେରିନି କହିଛନ୍ତି, ଏହି ଭାଇରସ୍ ବିଷୟରେ ଆମେ ଅଧିକ ଜାଣିନୁ । ଶୈବାଳ ବୃଦ୍ଧିଯୋଗୁ ବରଫ ତରଳିବାର ହାର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ଏହାର ହ୍ରାସରେ ଭାଇରସ୍ ସହାୟକ ହୋଇପାରନ୍ତି । ତେବେ ଏ କ୍ଷେତ୍ରରେ ସେମାନେ କେତେ ଦକ୍ଷ ସେ ନେଇ ବୈଜ୍ଞାନିକଙ୍କ ଧାରଣା ନାହିଁ । ଏହି ଭାଇରସ୍ଗୁଡ଼ିକୁ ପୁଣି ଥରେ ପାଇ ଏ ପ୍ରକାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମାଧାନ ହେବ ବୋଲି ସେ ଆଶା କରିଛନ୍ତି ।
ଗବେଷକ ଟିମ୍ ବରଫ ଚାଦରରୁ ନମୁନା ସଂଗ୍ରହ କରିଥିଲେ । ଡାର୍କ ଆଇସ୍, ଆଇସ୍ କୋର୍, ଲାଲ୍ ଓ ସବୁଜ ତୁଷାର ଏବଂ ତରଳୁଥିବା ଗର୍ତ୍ତରୁ ସେମାନେ ନମୁନା ନେଇଥିଲେ । ଡିଏନ୍ଏ ବିଶ୍ଳେଷଣ ପରେ ପରିଚିତ ଭାଇରସ୍ଙ୍କ ସହ ଏମାନଙ୍କ ସିକ୍ୱେନ୍ସ ମେଳ ଖାଉଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଲେ । ଶୈବାଳ ଚତୁପାଶ୍ୱର୍ରେ ଏକ ପରିସଂସ୍ଥାନ ରହିଛି । ବ୍ୟାକ୍ଟେରିଆ, ଫିଲାମେଣ୍ଟସ୍ ଫଙ୍ଗି ଓ ଇଷ୍ଟ୍ ସମେତ ଶୈବାଳ ଖାଉଥିବା ପ୍ରୋଟିଷ୍ଟ୍, ଫଙ୍ଗସ୍ଗୁଡ଼ିକୁ ପରଜୀବୀ କରୁଥିବା ଫଙ୍ଗସ୍ର ବିଭିନ୍ନ ପ୍ରଜାତି ଏବଂ ସଦ୍ୟ ଆବିଷ୍କୃତ ବିଶାଳକାୟ ଭାଇରସ୍ ଶୈବାଳକୁ ସଂକ୍ରମିତ କରୁଛନ୍ତି ବୋଲି ଲୌରା କହିଛନ୍ତି ।
ଭାଇରସ୍ ସାଧାରଣତଃ ବ୍ୟାକ୍ଟେରିଆଠୁ ଆହୁରି କ୍ଷୁଦ୍ର । ସାଧାରଣ ଭାଇରସ୍ଙ୍କ ଆକାର ୨୦-୨୦୦ ନାନୋମିଟର । ଅନ୍ୟପକ୍ଷେ, ଏକ ସାଧାରଣ ବ୍ୟାକ୍ଟେରିଆର ଆକାର ୨-୩ ମାଇକ୍ରୋମିଟର ହୋଇଥାଏ । ଅନ୍ୟ ଅର୍ଥରେ କହିଲେ, ଏକ ସାଧାରଣ ଭାଇରସ୍ ବ୍ୟାକ୍ଟେରିଆଠୁ ୧୦୦୦ ଗୁଣ ଛୋଟ । କନ୍ତୁ ବିଶାଳକାୟ ଭାଇରସ୍ ୨.୫ ମାଇକ୍ରୋମିଟର ପର୍ଯ୍ୟନ୍ତ ବଢ଼ିଥାନ୍ତି । ଅଧିକାଂଶ ବ୍ୟାକ୍ଟେରିଆଠୁ ଏହା ବଡ଼ । ତେବେ ଖାଲି ଆଖିରେ ଏହି ବିଶାଳକାୟ ଭାଇରସ୍କୁ ଦେଖିବା ସମ୍ଭବ ନୁହେଁ ବୋଲି ଲୌରା କହିଛନ୍ତି ।